କାଳ ହେଲା ପାରିବାରିକ କଳି: ଗତକାଲି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଦମ୍ପତ୍ତିଙ୍କ ମଧ୍ୟରୁ ପତ୍ନୀଙ୍କ ମୃତ୍ୟୁ, ସ୍ୱାମୀଙ୍କ ଅବସ୍ଥା ଗମ୍ଭୀର

Published By : Prameya-News7 Bureau | January 20, 2019 IST

ଭୁବନେଶ୍ୱର ୨୦/୧ : କାଳ ହେଲା ପାରିବାରିକ କଳି | ଦେହରେ କିରୋସିନ ଢାଳି ଏକ ଦମ୍ପତ୍ତି ଆତ୍ମହତ୍ୟା ଉଦ୍ୟମ କରିଥିଲେ | ଉଭୟଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ଆଜି ପତ୍ନୀଙ୍କ ମୃତ୍ୟୁ ହୋଇଛି | ଭୁବନେଶ୍ବର ଲକ୍ଷ୍ମୀ ସାଗର ଥାନା ଅଧିନରେ ଥିବା କପିଳେଶ୍ବର କେନାଲ ରୋଡରେ ରହୁଥିବା ଦମ୍ପତି ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଥିରେ ତାଙ୍କର ୩ ବର୍ଷର ଝିଅ ମଧ୍ୟ ପୋଡି ଯାଇ ଆହତ ହୋଇଥିଲା । ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ମଧ୍ୟ ସ୍ୱାମୀ ବାବୁଲି ଏବଂ ତାଙ୍କ ୩ ବର୍ଷର ଝିଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି |


ସୂଚନାଯୋଗ୍ୟ ଯେ, ଗତକାଲି ବାବୁଲି ଦାସ ଏବଂ ତାଙ୍କ ପତ୍ନୀ ଜାନକୀ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ | ଏଥିରେ ପାଖରେ ଛିଡା ହୋଇଥିବା ଝିଅ ମଧ୍ୟ ଆହତ ହୋଇଥିଲା | ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଆଜି ଭୋର ସମୟରେ ଜାନକୀଙ୍କ ମୃତ୍ୟୁ ହୋଇଯାଇଛି | ବାବୁଲିଙ୍କ ଅବସ୍ଥା ଏବେ ମଧ୍ୟ ଗମ୍ଭୀର ରହିଛି | ୩ ବର୍ଷର ଝିଅର ଅବସ୍ଥା ଭଲ ଥିବା ଜଣାପଡିଛି |


ବାବୁଲି ଦାସ ପୁର୍ବରୁ ଏକ ଚିକେନ କାଉଣ୍ଟର କରି ପରିବାର ପ୍ରତିପୋଷଣ କରୁଥିଲେ । ପରେ ନିଶାଶକ୍ତ ହୋଇ ସବୁ ହରାଇ ଦେଇଥିଲେ । ଶୁକ୍ରବାର ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଲିଙ୍ଗରାଜ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ପୋଲିସ ଦୁଇଜଣଙ୍କୁ ବୁଝା ସୁଝା କରି ଘରକୁ ପଠାଇ ଦେଇଥିଲା । ହେଲେ ଗତକାଲି ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ଝଗଡା ଉଗ୍ର ରୂପ ନେଇଥିଲା | ଯାହାଫଳରେ ଉଭୟ ନିଜେ ନିଜେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ | କମିସନରେଟ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.