ବଡ ଝିଅର ଚିକିତ୍ସା ପାଇଁ ପାଖରେ ନଥିଲା ଟଙ୍କା, ଉପାୟ ନପାଇ ସାନ ଝିଅକୁ ବିକି ଦେଲେ ବାପା-ମାଆ…
27/02/2021 at 11:05 AM

ହାଇଦ୍ରାବାଦ,୨୭/୦୨: ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାରେ ଜଣେ ଦମ୍ପତ୍ତି ନିଜର ୧୨ ବର୍ଷୀୟା ଝିଅକୁ ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଛନ୍ତି । ଦମ୍ପତ୍ତି ଏହା ଏଥିପାଇଁ କରିଥିଲେ କାରଣ ସେମାନଙ୍କ ପାଖରେ ବଡ ଝିଅର ଚିକିତ୍ସା ପାଇଁ ଅର୍ଥ ନଥିଲା । ବଡ ଝିଅ ଶ୍ୱାସଜନିତ ରୋଗରେ ପୀଡିତ ଅଛି ।
ତେବେ ଦମ୍ପତ୍ତି ନିଜ ସାନ ଝିଅଙ୍କୁ ଯେଉଁ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ ସେ ଗୁରୁବାର ନାବାଳିକାଙ୍କୁ ବିବାହ କରିଥିଲେ । ବ୍ୟକ୍ତିଜଣଙ୍କ ହେଲେ ଚିନ୍ନା ସୁବୈୟା । ତେବେ ଶିଶୁ ଅଧିକାର ସମିତିର କାର୍ଯ୍ୟକର୍ତ୍ତା ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି।ଏହାପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା ।
ସୂଚନାନୁସାରେ, କୋଟ୍ଟୁରରେ ରହୁଥିବା ଦମ୍ପତ୍ତି ଜଣଙ୍କର ବଡ ଝିଅ ଦୀର୍ଘ ଦିନ ହେବ ଶ୍ୱାସ ଜନିତ ରୋଗରେ ପୀଡିତ ଅଛନ୍ତି । ବଡ ଝିଅର ଚିକିତ୍ସା ପାଇଁ ସେମାନଙ୍କ ପାଖରେ ଅର୍ଥର ଅଭାବ ଥିଲା । ଏହି ସମୟରେ ସେମାନେ ପଡୋଶୀ ଘରେ ରହୁଥିବା ସୁବୈୟାଙ୍କ ସହ ଯୋଗଯୋଗ କରିଥିଲେ । ସୁବୈୟା ୧୦୦୦୦ ଟଙ୍କାରେ ସାନ ଝିଅକୁ କିଣିବେ ବୋଲି ରାଜି ହୋଇଥିଲେ । କିନ୍ତୁ ଦମ୍ପତ୍ତି ୨୫୦୦୦ ଟଙ୍କା ମାଗିଥିଲେ । ଏହାପରେ ୨୫୦୦୦ ଟଙ୍କାରେ କଥା ଛିଡିଥିଲା ।
ନାବାଳିକାଙ୍କୁ ବିବାହ କରିବା ପରେ ସୁବୈୟା ବୁଧବାର ଧାମପୁର ଚାଲି ଆସିଥିଲା । ଏଠାରେ ନାବାଳିକାଜଣଙ୍କ କାନ୍ଦିବାକୁ ଲାଗିଥିଲେ । ପଡୋସୀଙ୍କୁ ଏନେଇ ସନ୍ଦେହ ହେବାରୁ ସେମାନେ ଶିଶୁ ଅଧିକାର କମିଟିକୁ ଜଣାଇଥିଲେ । ପରେ ଶିଶୁ ଅଧିକାର କମିଟିର କାର୍ଯ୍ୟକର୍ତ୍ତା ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।