ମନ୍ଦିର ପରିସରରେ ପ୍ରେମୀଯୁଗଳଙ୍କୁ ଗୁଳିକରି ହତ୍ୟା, କାରଣ ଅସ୍ପଷ୍ଟ
26/03/2019 at 2:53 PM
ଉତ୍ତରପ୍ରଦେଶ: ଗାଜିୟାବାଦ ଜିଲ୍ଲାରେ ପ୍ରେମୀଯୁଗଳଙ୍କୁ ମନ୍ଦିରରେ ହତ୍ୟା କରିଯାଇଛି। ଏହି ଘଟଣା ଗାଜିୟାବାଦ ଜିଲ୍ଲାର କୋତୱାଲି ଥାନା ଅଂଚଳରେ ଘଟିଛି। ସାଇ ଉପବନ ପାଖରେ ଥିବା ଏକ ମନ୍ଦିରରେ ସକାଳ ବେଳା ଉଭୟଙ୍କୁ ଆକ୍ରମଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ସକାଳ ୭.୩୦ଟା ସମୟରେ ପ୍ରେମୀଯୁଗଳ ସାଇ ଉପବନ ସ୍ଥିତ ସାଇ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ।

ତେବେ ଦର୍ଶନ କରି ଫେରିବା ସମୟରେ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଗୁଳି ଶବ୍ଦ ଶୁଣି ମନ୍ଦିରରେ ଥିବା ପୂଜାରୀ ଓ ଅନ୍ୟ ଲୋକେ ବାହାରକୁ ଆସିଥିଲେ। କିନ୍ତୁ କେହି ଦୁର୍ବୃତ୍ତଙ୍କୁ ଦେଖିନଥିଲେ।

ଉଭୟଙ୍କ ମୃତ୍ୟୁ ହୋଇଥିବା ଶୁଣି ଘଟଣାସ୍ଥଳକୁ ପୋଲିସ ଆସି ପହଞ୍ଚିଥିଲେ। ମୃତ୍ୟୁ ହୋଇଥିବା ଯୁବକ ଉତ୍ତରାଖଣ୍ଡର ଗଢୱାଲ ଗାଁର ବାସିନ୍ଦା ଥିଲେ। ତାଙ୍କ ନାଁ ଅନ୍ନୁ ଚୌହାନ। ମୃତ୍ୟୁ ହୋଇଥିବା ଯୁବତୀଙ୍କ ବୟସ ୩୨ ବର୍ଷ ଥିଲା। ଅନେକ ଦିନରୁ ଉଭୟ ପରସ୍ପରଙ୍କୁ ପ୍ରେମ କରୁଥିଲେ। ଯୁବତୀଙ୍କ ପରିବାର ଲୋକେ ମଧ୍ୟ ତାଙ୍କ ପ୍ରେମ ସଂପର୍କ ବିଷୟରେ ଜାଣିଥିଲେ।
