ପ୍ରେମ ଜାଲରେ ଫସାଇ ଲୁଟୁଥିଲେ ଦମ୍ପତ୍ତି

Published By : Prameya-News7 Bureau | November 24, 2018 IST

ପୁରୀ ୨୪|୧୧:   ଫେସବୁକରେ ଫେକ୍ ଆକାଉଣ୍ଟ ଖୋଲିଥିଲେ । ଯୁବପିଢିଙ୍କୁ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇ ପ୍ରଥମେ ବନ୍ଧୁତ୍ବ ସ୍ଥାପନ କରୁଥିଲେ । ତାପରେ ଅଶ୍ଳୀଳ ଚାଟିଂ କରୁଥିଲେ । କେବଳ ଏତିକି ନୁହେଁ ମେସେଞ୍ଜରରେ ମୋବାଇଲ ନମ୍ବର ଆଣି ହ୍ବାଟସଆପ୍ ରେ ପଠାଉଥିଲେ ନଗ୍ନ ଫଟୋ । ଫଟୋ ଦେଖି ଯିଏ ଫସିଲା ତାକୁ ପୁରୀକୁ ଡାକି ସର୍ବସ୍ବ ଲୁଟୁଥିଲେ ଜଣେ ମହିଳା । ସବୁଠୁ ବଡ କଥା ହେଲା ଏଥିରେ ସହଯୋଗ କରୁଥିଲେ ତାଙ୍କ ସ୍ବାମୀ । ଏମିତି ଏକ ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦମ୍ପତ୍ତି ହେଲେ କାଳୀକାଦେବୀ ସାହିର ରାଜା ଓରଫ ସନ୍ତୋଷ ଦାସ, ଏବଂ ତାଙ୍କ ପତ୍ନୀ ଆଞ୍ଜେଲ ରିୟା ଓରଫ ରିୟା ଦାସ । ସେମାନଙ୍କ ନିକଟରୁ ଏକ ବନ୍ଧୁକ, ଛୁରୀ, ଦୁଇଟି ମୋବାଇଲ ଓ ଏକ ମୋପେଡ ଜବତ କରିଛି ପୋଲିସ । ସେମାନେ ଏଯାବତ୍ କେତେଜଣଙ୍କୁ ଲୁଟିଛନ୍ତି ତାର ସଠିକ୍ ସୂଚନା ମିଳିନାହିଁ । ସୂଚନା ଅନୁସାରେ ରିୟା ଏବଂ ତାଙ୍କ ସ୍ବାମୀ ଚତୁରତାର ସହ କିଛିମାସ ତଳେ ଫେସବୁକରେ ଆଞ୍ଜେଲ ରିୟା ନାମରେ ଏକ ଫେସବୁକ ଆକାଉଣ୍ଟ ଖୋଳିଥିଲେ । ପ୍ରୋଫାଇଲରେ ଏକ ଅର୍ଦ୍ଧନଗ୍ନ ଫଟୋ ମଧ୍ୟ ରଖିଥିଲେ । ଷ୍ଟାଟସରେ ଜଣେ କଲେଜ ଛାତ୍ରୀ ବୋଲି ଉଲ୍ଲେଖ କରିଥିଲେ । ତାଙ୍କ ପ୍ରୋଫାଇଲଟି ଯିଏ ଦେଖିଥିଲା ସେ ଫ୍ରେଣ୍ଡ୍ ରିକ୍ବେଷ୍ଟ ପଠାଇ ବନ୍ଧୁତ୍ବ ସ୍ଥାପନ କରୁଥିଲା । କିଛିଦିନ ତଳେ ଭୁବନେଶ୍ବରର ଶଶିଭୂଷଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନିକଟକୁ ଆସିଥିଲା ଆଞ୍ଜେଲ ରିୟାଙ୍କ ଫ୍ରେଣ୍ଡ୍ ରିକ୍ବେଷ୍ଟ । ରିକ୍ବେଷ୍ଟ ଗ୍ରହଣ କରିବା ପରେ ଆରମ୍ଭ ହୋଇଯାଇଥିଲା ଚାଟିଂ । କିଛି ଦିନ ପରେ ନମ୍ବର ନେଇ ପରେ ହ୍ବାଟସଆପରେ ମଧ୍ୟ ଚାଟିଂ କରିଥିଲେ ରିୟା । ଏଭଳି ଅଶ୍ଳୀଳ ଚାଟିଂ କରିଥିଲେ ଯେ ଶଶିଭୂଷଣ ଘରେ କିମ୍ବା ସାଙ୍ଗସାଥୀଙ୍କୁ କିଛି ନକହି ତାଙ୍କୁ ଦେଖାକରିବାକୁ ପୁରୀରେ ପହଞ୍ଚିଥିଲେ । ମାତ୍ର ରିୟା କହିଥିବା ସ୍ଥାନକୁ ସେ ନଆସି ଆସିଥିଲେ ତାଙ୍କ ସ୍ବାମୀ ରାଜା । ସେଠାରେ ପହଞ୍ଚି ରାଜା କହିଥିଲେ ଯେ, ମୋ ସ୍ତ୍ରୀ ସହ ଅଶ୍ଳୀଳ ଚାଟିଂ କରିଛ । ଏମିତି ଫସେଇ ଦେବାର ଧମକ ଦେଇ ସେ ତାଙ୍କୁ ଡରାଇଥିଲେ । ତାପରେ ତାଙ୍କୁ ମାରପିଟ କରି ଛୁରୀ ଦେଖାଇ ତାଙ୍କଠାରୁ ଟଙ୍କା, ସୁନା ଚେନ୍, ମୋବାଇଲ ଲୁଟି ନେଇଥିଲେ । ଏହାପରେ ଶଶିଭୂଷଣ ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମୋବାଇଲ ନମ୍ବରକୁ ଟ୍ରାକ୍ କରି ପୋଲିସ ରାଜା ଓ ରିୟାଙ୍କୁ ଠାବ କରିଥିଲା । ପରେ ଉଭୟଙ୍କୁ ଗିରଫ କରିଥିଲା ପୋଲିସ । ସୂଚନାଯୋଗ୍ୟ ଯେ, ୪ବର୍ଷ ତଳେ ଦମ୍ପତ୍ତିଙ୍କୁ ବିବାହ ହୋଇଥିଲା । ଟଙ୍କା ରୋଜଗାର କରିବାର ଏକ ନୂଆ ବାଟ ବାଛିନେଇଥିଲେ ଉଭୟ ସ୍ବାମୀ ଓ ସ୍ତ୍ରୀ । ସେମାନେ ଏଭଳି ଏକାଧିକ ଲୋକଙ୍କୁ ଫସାଇ ତାଙ୍କଠାରୁ ଲୁଟ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.