ମାସକର ଶିଶୁକୁ ବ୍ୟାଗରେ ପୁରାଇ ମନ୍ଦିର ପାହାଚ ଉପରେ ଛାଡ଼ିଦେଇ ଗଲେ ଦମ୍ପତ୍ତି : ସିସିଟିଭିରେ କଏଦ ହେଲା ପୁରା ଘଟଣା

Published By : Prameya-News7 Bureau | January 09, 2019 IST

ଟିକମଗଡ଼ ୯/୧ : ଆଜିକାଲି ଦୁନିଆରେ ଲୋକେ ସମ୍ପର୍କରେ ମୂଲ୍ୟ ବୁଝୁନାହାନ୍ତି | କିଛି କ୍ଷଣର ଖୁସି ପାଇଁ ଲୋକେ ଭଲ ମନ୍ଦ ବିଚାର ଭୁଲିଯାଉଛନ୍ତି | ଏହି କଳିଯୁଗରେ ମଧ୍ୟପ୍ରଦେଶ ଟିକମଗଡ଼ରେ ଘଟିଛି ଏମିତି ଏକ ଚାଞ୍ଚଲ୍ୟ ଘଟଣା | ଏକ ଦମ୍ପତ୍ତି ଘଟାଇଛନ୍ତି ଏଭଳି ଅମାନବିକ କାଣ୍ଡ | ଦମ୍ପତ୍ତି ଏକ ଶିଶୁକୁ ଥଣ୍ଡା କାକରରେ ବ୍ୟାଗ ଭିତରେ ପୁରାଇ ମନ୍ଦିର ପାହାଚ ଉପରେ ଛାଡ଼ିଦେଇ ଚାଲିଯାଇଛନ୍ତି | ଏକ ମାସର ଶିଶୁକୁ ଭଗବାନଙ୍କ ଭରସାରେ ରାମରାଜା ମନ୍ଦିର ପରିସରରେ ଛାଡିଦେଇଗଲେ ଦମ୍ପତ୍ତି |

{"id":72054}


ମଧ୍ୟ ପ୍ରଦେଶ ଟିକମଗଡ଼ ଜିଲ୍ଲା ପର୍ଯ୍ୟଟନ ତଥା ଧାର୍ମିକ କ୍ଷେତ୍ର ଓରଛା ରାମରାଜା ମନ୍ଦିର ପରିସରରେ ଏକ ମାସର ଶିଶୁ ଏକ ନାଲି ରଙ୍ଗର ବ୍ୟାଗ ଭିତରୁ ଉଦ୍ଧାର ହୋଇଛି | ଲୋକେ ମନ୍ଦିର ପାହାଚ ଉପରେ ଯେତେବେଳେ ଏକ ନାଲି ରଙ୍ଗ ବ୍ୟାଗ ରଖା ହୋଇଥିବା ଦେଖିଲେ ଭୟଭୀତ ହୋଇଯାଇଥିଲେ | କାଳେ କେହି ଦୁର୍ବୁର୍ତ୍ତ ବ୍ୟାଗରେ ବୋମା ରଖିଦେଇ ଯାଇଥିବ | ଠିକ ଏତିକିବେଳେ ବ୍ୟାଗ ହଲଚଲ ହୋଇଥିଲା | ଏହାସହ ବ୍ୟାଗ ଭିତରୁ ଶିଶୁର କାନ୍ଦ ଶୁଭିଥିଲା | ସେଥିରୁ ଲୋକେ ଜାଣିବାକୁ ପାଇଲେ ବ୍ୟାଗରେ ଶିଶୁ ଅଛି | ପାଖକୁ ଆସି ବ୍ୟାଗ ଖୋଲି ଦେଖିଲେ ତ ବ୍ୟାଗ ଭିତରେ ଏକ ଗୁଲୁଗୁଲିଆ ଶିଶୁ ଅଛି | ଶ୍ରଦ୍ଧାଳୁ ସଂଗେସଂଗେ ଶିଶୁକୁ ଉଦ୍ଧାର କାଳେ ଏବଂ ପୋଲିସକୁ ଖବର ଦେଇଥିଲେ |

{"id":72055}

ପୋଲିସ ଘଟଣାସ୍ଥଳରେ ପହଂଚି ଶିଶୁକୁ ଉଦ୍ଧାର କରି ଓରଛା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା | ଶିଶୁର ଅବସ୍ଥା ବର୍ତ୍ତମାନ ଭଲ ଥିବା ଜଣାପଡିଛି | ଶିଶୁର ବୟସ ପାଖାପାଖି ଗୋଟିଏ ମାସ ହେବ ବୋଲି ହସ୍ପିଟାଲରେ ଡାକ୍ତର କହିଥିଲେ | ଶିଶୁର ବ୍ୟାଗରେ ଏକ କମ୍ବଳ, ଡାଇପର, କ୍ଷୀର ବୋତଲ ଏବଂ କିଛି ଡ୍ରେସ ମଧ୍ୟ ଥିଲା | ପୋଲିସ ମନ୍ଦିରରେ ଲାଗିଥିବା ସିସିଟିଭି ଏବଂ ଆଖପାଖ ଅଂଚଳର ସିସିଟିଭି ଯାଞ୍ଚ କରିଥିଲା |

{"id":72056}


ସିସିଟିଭି ଫୁଟେଜରେ ପୋଲି ଦେଖିଲା ଏକ ଦମ୍ପତ୍ତି ଏକ ବ୍ୟାଗ ନେଇ ମନ୍ଦିର ପାଖକୁ ଯାଇଛନ୍ତି | ଯୁବକ ହାତରେ ବ୍ୟାଗ ଥିଲା ଏବଂ ମହିଳା ଜଣକ ଖାଲି ହାତରେ ଛିଡା ହୋଇଥିଲେ | ଏହାପରେ ଉଭୟ ମନ୍ଦିର ପାହାଚ ଉପରେ ବସିପଡିଥିଲେ | ପାହାଚରେ ପ୍ରାୟ ୪୦ ସେକେଣ୍ଡ ବସିବା ପରେ ଉଭୟ ଉଠିକି ପଳେଇଥିଲେ | ଏହାପରେ ରାସ୍ତାରେ ଉଭୟ ଚାଲି ଚାଲି ଯାଉଥିବା ଦେଖା ଦେଇଥିଲା | କିନ୍ତୁ ଏତିକିବେଳେ ତାଙ୍କ ହାତରେ ବ୍ୟାଗ ନଥିଲା |

{"id":72057}


ସିସିଟିଭି ଫୁଟେଜ ଅନୁଯାୟୀ ଏହି ଘଟଣା ସକାଳ ୬.୩୩ ରୁ ୬.୩୬ ମିନିଟ ସମୟ ମଧ୍ୟରେ ହୋଇଥିଲା | ମନ୍ଦିର ପରିସର ପାଖାପାଖି ଅଂଚଳରେ ଲାଗିଥିବା ସିସିଟିଭିରୁ ପୋଲିସ ଏହି ଫୁଟେଜ ସଂଗ୍ରହ କରିଥିଲା | ଦେଶର ସବୁ ରାଜ୍ୟରେ ଏବେ ପ୍ରବଳ ଶୀତ ସହ ଘନ କୁହୁଡି ଜାରି ରହିଛି | ଥଣ୍ଡା ପାଇଁ ଲୋକେ ସକାଳୁ ଘରୁ ବାହାରୁନଥିବାରୁ ରାସ୍ତା ଘାଟ ଶୂନଶାନ ରହିଥିଲା | ରାସ୍ତାରେ କେହିନଥିବା ଯୋଗୁଁ ସେହି ସମୟର ଫାଇଦା ଉଠାଇ ଦମ୍ପତ୍ତି ଏଭଳି କାମ କରିଦେଇ ଖସିଗଲେ | ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ଏବଂ ଉକ୍ତ ଦମ୍ପତ୍ତିଙ୍କୁ ଖୋଜୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.