ସ୍ବାମୀଙ୍କ ମୃତ୍ୟୁକୁ ସହିପାରିଲେନି, ଗୋଟିଏ ଜୁଇ ନଲିଭୁଣୁ ଜଳିଲା ସ୍ତ୍ରୀଙ୍କ ଜୁଇ

Published By : Prameya-News7 Bureau | October 09, 2021 IST

ବାଲିକୁଦା ୯।୧୦: ସ୍ବାମୀଙ୍କ ଅନ୍ତିମ ସଂସ୍କାର ନସରୁଣୁ ପତ୍ନୀଙ୍କ ଜୀବନ ଦୀପ ଲିଭି ଯାଇଛି । ଗାଁ ମଶାଣୀରେ ଗୋଟିଏ ପଟେ ସ୍ବାମୀଙ୍କ ଜୁଇ ଜଳୁଥିବା ବେଳେ ଆଉ ଗୋଟେ ପଟେ ସ୍ତ୍ରୀଙ୍କର ଜୁଇ ଜଳିଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲିକୁଦା ବ୍ଲକ୍ ଅନ୍ତର୍ଗତ ଅଢ଼ଙ୍ଗା ପଞ୍ଚାୟତ ଦେବ ଗ୍ରାମରେ । ସ୍ବାମୀଙ୍କ ମୃତ୍ୟୁଜନିତ ଦୁଃଖକୁ ସହ୍ୟ କରି ନପାରି ପତ୍ନୀ ବିଷ୍ଣୁପ୍ରିୟା ମହାନ୍ତିଙ୍କର ହୃଦଘାତରେ ପରଲୋକ ଘଟିଛି ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ୭୨ ବର୍ଷ ବୟସ୍କ ହରିଶ୍ଚନ୍ଦ୍ର ମହାନ୍ତିଙ୍କର କଟକ ବଡ଼ ଡାକ୍ତରଖାନାରେ ପରଲୋକ ଘଟିଥିଲା । ସେହି ରାତି ୧୦ଟାରେ ସ୍ତ୍ରୀ ବିଷ୍ଣୁପ୍ରିୟାଙ୍କର ମୃତ୍ୟୁ ଘଟିଛି । ସ୍ବାମୀଙ୍କ ଦେହ ଅସୁସ୍ଥ ଥିବାରୁ ସ୍ତ୍ରୀ ବିଷ୍ଣୁପ୍ରିୟା ସ୍ବାମୀଙ୍କ ଦେଖାଶୁଣା ପାଇଁ ମେଡିକାଲରେ ଥିଲେ। ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା ଓ ପରିବାର ଲୋକେ ତାଙ୍କୁ ଗାଁକୁ ନେଇ ଆସିଥିଲେ । ବିଷ୍ଣୁପ୍ରିୟା ମଧ୍ୟ ପୁଅମାନଙ୍କ ସହ ଘରକୁ ଆସୁଥିଲେ । ହେଲେ ସ୍ବାମୀଙ୍କ ମୃତ୍ୟୁର ଦୁଃଖ କାରଣରୁ କନ୍ଦରପୁରଠାରେ ତାଙ୍କର ହୃଦ୍‌ଘାତ ହୋଇଥିଲା ଓ ପୁଅ ପିଙ୍କୁ ତାଙ୍କୁ ପୁଣି ସେଠାରୁ ଫେରାଇ ନେଇ କଟକ ମେଡିକାଲକୁ ଯାଇଥିଲେ । ସେଠାରେ ଚିକିତ୍ସା କରାଇ ଘରକୁ ଆସି ବାପାଙ୍କ ଅନ୍ତିମ ସଂସ୍କାରରେ ଲାଗି ପଡ଼ିଥିଲେ । ହେଲେ ମା’ ବିଷ୍ଣୁପ୍ରିୟାଙ୍କର ସନ୍ଧ୍ୟା ୭ଟାରେ ପୁଣି ଛାତି ଯନ୍ତ୍ରଣା ଆରମ୍ଭ ହୋଇଥିଲା ଓ ତାଙ୍କୁ ମେଡିକାଲ ନିଆଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଜଣେ ହୋମିଓପ୍ୟାଥିକ ଚିକିତ୍ସକ ଭାବେ ବିଷ୍ଣୁପ୍ରିୟା ମହାନ୍ତି ସ୍ଥାନୀୟ ଅଞ୍ଚଳରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.