ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର

Published By : Prameya-News7 Bureau | July 30, 2021 IST

ବାଂଶପାଳ ୩୦।୭: ବାଂଶପାଳ ବ୍ଲକ ବିଜେପି ରେଞ୍ଜର କାଳିଆଡିହି, ନୂଆସହି, ପଣସୁଆଁ ଆଦି ଅଞ୍ଚଳକୁ ପୁଣି ଲେଉଟିଛି ଗୋଠ ଛଡା ଦନ୍ତା । ବିଜେପି ରେଞ୍ଜର କରାଳପସି ବିଟ ଅଞ୍ଚଳରେ ଗୋଟିଏ ପଲରେ ୯ ଟିକିଆ, ଅନ୍ୟ ଏକ ପଲରେ ୩ ଟିକିଆ ହାତୀ ପଲ ଘୁରିବୁଲୁଥିବା ବେଳେ ଏକୁଟିଆ ବୁଲୁଥିବା ଗୋଠ ଛଡା ଦନ୍ତାଟି ହିଂସ୍ର ହୋଇ ଘୁରିବୁଲୁଛି । ଦିନ ବେଳା ନିକଟସ୍ଥ ଚା’ ବାଗାନ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁକୁ ପଶି ଆସୁଛି କେତେ ବେଳେ ଘର ଭାଙ୍ଗୁଛି ତ ଆଉ କେତେ ବେଳେ ଲୋକଙ୍କୁ ଆକ୍ରମଣ କରିବାକୁ ଦୌଡ଼ୁଛି । ଯାହାଫଳରେ ଲୋକେ ଭୟଭୀତ ହୋଇ ରାତିରେ ଘରମାନଙ୍କରେ ରହିବାକୁ ସୁରକ୍ଷିତ ମଣୁ ନାହାନ୍ତି । ବନବିଭାଗ ହାତୀକୁ ନିୟମିତ ଟ୍ରାକ କରି ଘଉଡାଇବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହେଉଛି ।

{"id":488093,"width":749,"height":412,"sizeSlug":"large","linkDestination":"none"}

ଗୁରୁବାର ରାତିରେ ନୂଆସାହିର ରାଫେଲ କେର୍କେଟାଙ୍କ ପରିବାର ଘରେ ଶୋଇଥିବା ବେଳେ ଦନ୍ତାଟି ରାଫେଲଙ୍କ ଘର ଭାଙ୍ଗିବା ସହ ଘର ଭିତରେ ଥିବା ଧାନ ପୁଡ଼ୁକି ଓ ଚାଉଳ ବସ୍ତାକୁ ଟାଣି ଆଣି ଖାଇ ଦେଇଥିଲା । ହାତୀଟି କାନ୍ଥ ଭାଙ୍ଗି ଦେବାବେଳେ ଘର ଭିତରେ ଶୋଇଥିବା ରାଫେଲଙ୍କ ପୁଅ ପ୍ରକାଶ କେର୍କେଟା ଓ ତାଙ୍କ ସ୍ତ୍ରୀ ଆରତୀ କେର୍କେଟାଙ୍କ ଉପରେ କାନ୍ଥ ପଡିଯାଇଥିଲା । ପ୍ରକାଶଙ୍କ ଆଖି ଓ ଦେହରେ ମାଡ ହୋଇଥିଲା । ଫଳରେ ସେ ଗୁରୁତର ହୋଇ ଯାଇଥିଲେ ।  ସ୍ତ୍ରୀ ଆରତୀ ମଧ୍ୟ ଆହତ ହୋଇଥିଲେ । ସୌଭାଗ୍ୟ ବଶତଃ ତାଙ୍କ ଛୋଟ ଶିଶୁଟି ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ।

{"id":488094,"width":750,"height":413,"sizeSlug":"large","linkDestination":"none"}

ବନ ବିଭାଗ ଟିମ୍ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଖବର ବିଷୟରେ ଜାଣିପାରି ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଂଶପାଳ ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରକାଶ ଓ ସ୍ତ୍ରୀ ଆରତୀ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଓ ଦୁହେଁ ସୁସ୍ଥ ଥିବା ଜଣାପଡିଛି । ଦନ୍ତା ହାତୀଟି ପ୍ରତ୍ୟେକ ଦିନ ଗାଁମାନଙ୍କରେ ପଶି ବିଭିନ୍ନ କ୍ଷୟକ୍ଷତି କରୁଥିବାରୁ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଲେଣି । ବନ ବିଭାଗ ନିୟମିତ ହାତୀଙ୍କୁ ଘଉଡାଇବା ସହିତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.