ବିବାହର କିଛି ଘଣ୍ଟା ପୂର୍ବରୁ କରୋନା ପଜିଟିଭ ହେଲେ କନ୍ୟା, କୋଭିଡ୍ କେୟାର ସେଣ୍ଟରରେ ପିପିଇ କିଟ୍ ପିନ୍ଧି କଲେ ବିବାହ

Published By : Prameya-News7 Bureau | December 07, 2020 IST

ଜୟପୁର ୭।୧୨: କରୋନା ଭାଇରସ୍ ସଂକ୍ରମଣ ଏବେବି ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରୁଛି । ଏହି ସମୟରେ ବିବାହ ଉତ୍ସବଟିଏ ଆୟୋଜନ କରିବା ଏକ ଚ୍ୟାଲେଞ୍ଜ ହୋଇଯାଉଛି । ସଂକ୍ରମଣ ବ୍ୟାପିବା ଡରରରେ ସଂପର୍କୀୟମାନେ ବିବାହ ଉତ୍ସବରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏଭଳି ସ୍ଥିତିରେ ରାଜସ୍ଥାନର ବାରା ସ୍ଥିତ କେଲଓ୍ବାଡା କୋଭିଡ୍ କେନ୍ଦ୍ରରେ ବର-କନିଆ ପିପିଇ କିଟ୍ ପିନ୍ଧି ବିବାହ କରିଛନ୍ତି । ବିବାହ ଦିନ ହିଁ କରୋନା ପରିଟିଭ ହୋଇଥିଲେ କନ୍ୟା । ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ନ୍ୟୁଜ୍ ଏଜେନ୍ସୀ ଏଏନଆଇ ଦ୍ବାରା ଟ୍ବିଟ୍ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ପୂଜାରୀଙ୍କ ବ୍ୟତୀତ ଏହି ବିବାହ ଉତ୍ସବରେ କେବଳ ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ । ବିବାହ ଉତ୍ସବରେ କୋଭିଡ୍ ପ୍ରୋଟୋକଲ ମଧ୍ୟ ପାଳନ କରାଯାଇଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ହୋମକୁଣ୍ଡ ସମ୍ମୁଖରେ ବର-କନ୍ୟା ବସିଥିଲେ । ବିବାହ ବେଳ ପୂଜାରୀ ମଧ୍ୟ ପିପିଇ କିଟ୍ ପିନ୍ଧିଥିବାର ଦେଖିବାକୁ ମିଳିଛି ।

ଫଟୋରେ ଦେଖିବାକୁ ମିଳିଛି ଯେ, ବିବାହ ବେଳେ ବର ପିପିଇ କିଟ୍ ପିନ୍ଧିବା ସହ ପଗଡି ମଧ୍ୟ ପିନ୍ଧିଥିଲେ । କନ୍ୟା ମଧ୍ୟ ପିପିଇ କିଟ୍ ପିନ୍ଧିବା ସହ ମୁହଁରେ ମାସ୍କ ପିନ୍ଧିଥିଲେ । ହାତରେ ଗ୍ଲୋଭସ ମଧ୍ୟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।

କରୋନା ସମୟରେ ଏଭଳି ସ୍ବତନ୍ତ୍ର ଭିଡିଓକୁ ସୋସିଆଲ ମିଡିଆରେ ଶହ ଶହ ଲାଇକ୍ସ ଏବଂ କମେଣ୍ଟ ମିଳିଛି । ଏହାସହ ଭିଡିଓ ଭାଇରାଲ୍ ହୋଇଯାଇଛି । ଏହାକୁ ନେଇ ଅନେକ ପ୍ରକାର ମିମ୍ସ ମଧ୍ୟ ଲୋକ ସେୟାର କରୁଛନ୍ତି ।

ରାଜସ୍ଥାନରେ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି । ଭାରତରେ ମୋଟ୍ ୯୬ ଲକ୍ଷ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.