କରୋନାରେ ଉଦାହରଣ ସୃଷ୍ଟି କଲେ ଆଦର୍ଶ ଦମ୍ପତ୍ତି : ନିଜ ସ୍କୁଲର ୩୦୦ ପିଲାଙ୍କ ଫି ଛାଡ କରିଦେଲେ, ବାଣ୍ଟୁଛନ୍ତି ମାଗଣା ଖାଦ୍ୟ

Published By : Prameya-News7 Bureau | July 25, 2020 IST

ମୁମ୍ବାଇ, ୨୫|୦୭: ମହାନତା ଦେଖାଇଲେ ଦମ୍ପତ୍ତି । ଲକଡାଉନ୍ ସମୟରେ ସ୍କୁଲ ଫି ଛାଡ କରିବା ସହ ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ମୁମ୍ବାଇର ଏକ ଦମ୍ପତ୍ତି । ସେମାନେ ନିଜେ ପରିଚାଳନା କରୁଥିବା ସ୍କୁଲରେ ଛାତ୍ରଛାତ୍ରୀଙ୍କ  ଫି ମଧ୍ୟ ଛାଡ କରିଛନ୍ତି । ଯାହାକୁ ନେଇ ପ୍ରଶଂସାର ପାତ୍ର ହୋଇଛନ୍ତି ।

ସୂଚନାନୁସାରେ, ମିଗଜା ଓ ଫୟାଜଙ୍କର ଜିଲ୍ ଇଂଲିଶ ମିଡିୟମ ସ୍କୁଲ ନାମରେ ଏକ ଶିକ୍ଷାନୁଷ୍ଠାନ ରହିଛି । ଉଭୟ ଲକଡାଉନ୍ ସମୟରେ କାମଦନ୍ଦା ହରାଇ ଘରେ ବସିଥିବା ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି । ଏପରି ପ୍ରାୟ ୧୮୦୦ରୁ ଅଧିକ ଅସହାୟଙ୍କୁ ସେମାନେ ଖାଦ୍ୟ ଯୋଗାଇ ଦେଇଛନ୍ତି ।

ଫୟାଜ୍ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଯେତେବେଳେ ତାଙ୍କ ଦରମା ବୃଦ୍ଧି ପାଇଥିଲା ସେ ଓ ତାଙ୍କ ପତ୍ନୀ ଉଭୟେ ସଞ୍ଚୟ କରିଥିବା ରାଶିକୁ ଏପରି ମହାନ କାର୍ଯ୍ୟରେ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ । ସେମାନେ ପ୍ରାୟ ସାଢେ ୪ ଲକ୍ଷ ଟଙ୍କା ଲୋକଙ୍କ ସେବାରେ ଖର୍ଚ୍ଚ କରିସାରିଛନ୍ତି ।

ମିଗଜା କହିଛନ୍ତି ଯେ, ଲକଡାଉନ୍ ଆରମ୍ଭ ହେବା ପରେ ଅନେକ ବ୍ୟକ୍ତି ସାହାଯ୍ୟ ପାଇଁ ତାଙ୍କୁ ଫୋନ୍ କରିଥିଲେ । ପ୍ରବାସୀ ଶ୍ରମିକଙ୍କ ପାଇଁ କିଛି କରିବାକୁ ତାଙ୍କୁ ନିବେଦନ କରିଥିଲେ । ଏହାପରେ ସେ ଏକ ଏନଜିଓ ସହ ଯୋଗାଯୋଗ କରି ଅସହାୟ ଶ୍ରମିକଙ୍କୁ ଖେଚେଡି ବଣ୍ଟନ କରିଥିଲେ । କିନ୍ତୁ ପରେ ସ୍ଥିତି ଆହୁରି ବିଗିଡିଥିଲା । ସେ ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ।ବ୍ୟାଙ୍କରେ ରଖିଥିବା ଟଙ୍କାକୁ ଉଠାଇ ଅସହାୟଙ୍କୁ ସାହାଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ସ୍କୁଲ ପିଲାଙ୍କ ଫି ଛାଡ ପାଇଁ କହିଥିଲେ ।

ସେମାନେ ବସବାସ କରୁଥିବା ମାଲଓ୍ୱାନୀରେ ଏହି ମହତ କାମକୁ ଭୂୟସୀ ପ୍ରଶଂସା କରାଯାଉଛି । ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ଦମ୍ପତି ଗତ ୧୦ ବର୍ଷ ଧରି ସ୍କୁଲ ଚଳାଇ ଆସୁଛନ୍ତି । ଏହି ସ୍କୁଲରେ ପ୍ରାୟ ୩୦୦ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ଅଧିକାଂଶ ଛାତ୍ରଛାତ୍ରୀ ବସ୍ତି ଅଞ୍ଚଳର ରହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.