ଆତ୍ମହତ୍ୟା ପାଇଁ ଦୁହେଁ ନିଷ୍ପତ୍ତି ନେଲେ, ଏକାଠି ପାଣିକୁ ଡେଇଁଲେ, କିନ୍ତୁ ପ୍ରେମିକ ପହଁରି ପହଁରି କୂଳକୁ ଚାଲି ଆସିଲା, ବଞ୍ଚିଲାନି ପ୍ରେମିକା

Published By : Prameya-News7 Bureau | August 17, 2020 IST

ଆଜମଗଡ, ୧୭|୦୮:   ପ୍ରେମକୁ ଗ୍ରହଣ କରୁନଥିଲେ ପରିବାର ଲୋକେ । ଅଲଗା ହେବାକୁ ଧମକ ମଧ୍ୟ ଦେଉଥିଲେ । ଶେଷରେ ଆତ୍ମହତ୍ୟା କରିବାକୁ ବିଚାର କଲେ ପ୍ରେମୀଯୁଗଳ । ଜୀବନ ହାରିବାକୁ ପୋଖରୀକୁ ଡେଇଁଲେ । ତେବେ ପ୍ରେମିକ ପୋଖରୀରୁ ପହଁରି ଫେରାର ହୋଇଗଲା । କିନ୍ତୁ ଜୀବନ ହାରିଲା ପ୍ରେମିକା । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଜମଗଡରେ ।

ସୂଚନାନୁସାରେ, ଆଜମଗଡର ମୁବାରକପୁରରେ କପ୍ତାନଗଞ୍ଜରେ ଯୁବକଙ୍କ ଘର । ସେ ଘରଠୁ କିଛି ଦୂରରେ ରହୁଥିବା ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ତେବେ ପରିବାର ଲୋକେ ଏହା ଜାଣିବା ପରେ ଉଭୟଙ୍କୁ ବିରୋଧ କରିଥିଲେ । ଏପରିକି ପରିବାର ଲୋକେ ଉଭୟଙ୍କୁ ଏକଦା ଧରି ମାଡ ମଧ୍ୟ ମାରିଥିଲେ । ଶନିବାର ରାତିରେ ଉଭୟ ଘରୁ ନିଖୋଜ ହୋଇଯାଇତିଲେ । ସେମାନେ ଆତ୍ମହତ୍ୟା କରିବେବୋଲି ନିର୍ଣ୍ଣୟ ନେଇଥିଲେ । ଗାଁ ସ୍କୁଲ ନିକଟରେ ଥିବା ଏକ ପୋଖରୀରେ ଡେଇଁ ସେମାନେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ପାଣିକୁ ଡେଇଁବା ପରେ ଯୁବକଜଣଙ୍କ ମନ ପରିବର୍ତ୍ତନ କରି ବାହାରକୁ ଆସିଯାଇଥିଲେ । ଏପରିକି ଯୁବତୀଙ୍କୁ ଉଦ୍ଧାର କରିବାକୁ ମଧ୍ୟ ଚେଷ୍ଟା କରୁଥିଲେ । କିନ୍ତୁ ସଫଳ ହୋଇନଥିଲେ ।

ପୋଖରୀରୁ ବାହାରି ଯୁବକ ନିଜ ଘରକୁ ଚାଲିଯାଇଥିଲେ । ଯୁବତୀଙ୍କ ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ଯୁବକଙ୍କ ଘରେ ପହଁଚି ତାଙ୍କୁ ପଚରାଉଚୁରା କରିଥିଲା । ଏହାପରେ ପୋଖରୀରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଯୁବତୀଙ୍କ ମୃତଦେହ ମିଲିନଥିଲା ।

ସୋମବାର ସକାଳେ ଯୁବତୀଙ୍କ ମୃତଦେହ ପୋଖରୀରେ ଭାସୁଥିବା କିଛି ଲୋକ ଦେଖିଥିଲେ । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.