ବିଧାନସଭା ସମ୍ମୁଖରେ ଦମ୍ପତ୍ତିଙ୍କ ଆତ୍ମାହୂତୀ ଉଦ୍ୟମ, ସ୍ବାମୀ-ସ୍ତ୍ରୀଙ୍କୁ ଧରିଲା ପୋଲିସ
24/11/2020 at 11:40 AM

ଭୁବନେଶ୍ବର ୨୪।୧୧: ବିଧାନସଭା ଫାଟକ ସମ୍ମୁଖରେ ଘଟିଛି ଅଭାବନୀୟ ଘଟଣା । ଆତ୍ମାହୂତୀ ଦେବାକୁ ଉଦ୍ୟମ କରିଛନ୍ତି ଦମ୍ପତ୍ତି । କିରୋସିନି ଢାଳି ହୋଇ ଆତ୍ମାହୂତୀ ଦେବାକୁ ଦମ୍ପତ୍ତି ଉଦ୍ୟମ କରିଛନ୍ତି । ଦେହରେ କିରୋସିନି ଢାଳି ହେବା ବେଳେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ କାବୁ କରିଛି ପୋଲିସ ।
ସୂଚନା ଅନୁସାରେ, ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ହେଉଛି ୫ମ ଦିନ । ବିଧାନସଭାରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ବାହାରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ବିଧାନସଭା ଫାଟକ ସମ୍ମୁଖରେ ନୟାଗଡର ଦମ୍ପତ୍ତି ଦେହରେ କିରୋସିନି ଢାଳି ହୋଇ ଆତ୍ମାହୂତୀ ଉଦ୍ୟମ କରିଛନ୍ତି ।
ଦମ୍ପତ୍ତିଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅର ଗଳିତ ଶବ ଉଦ୍ଧାର ହୋଇଥିଲା । ତାଙ୍କ ଝିଅକୁ କେହି ଦୁଷ୍କର୍ମ କରି ମାରି ଦେଇଥିବା ଦମ୍ପତ୍ତି ଅଭିଯୋଗ କରିଥିଲେ । ଥାନାରେ ଏ ନେଇ ଅଭିଯୋଗ ମଧ୍ୟ କରିଥିଲେ । ବାରମ୍ବାର ଥାନାର ଦ୍ବାରସ୍ଥ ହେଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ । ଅନେକ ନେତା, ମନ୍ତ୍ରୀ, ବିଧାୟକଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିବା ଦମ୍ପତ୍ତି ପ୍ରକାଶ କରିଛନ୍ତି । ଶେଷରେ ସମସ୍ତଙ୍କଠାରୁ ନିରାଶ ହେବା ପରେ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି ।