ପ୍ରେମୀଯୁଗଳଙ୍କୁ କାଠ ଫାଳିଆରେ ଆକ୍ରମଣ: ପ୍ରେମିକା ଗୁୁରୁତର, ଅଳ୍ପକେ ବର୍ତ୍ତିଲେ ପ୍ରେମିକ
17/07/2020 at 1:49 PM

ଚନ୍ଦ୍ରଶେଖରପୁର,୧୭/୭: ନାଲକୋ ଛକ ଅରଣ୍ୟ ଭବନ ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ବାଇକ୍ରେ ଫେରୁଥିବା ପ୍ରେମୀଯୁଗଳଙ୍କୁ କାଠ ଫାଳିଆରେ ଅତର୍କିତ ଆକ୍ରମଣ କରିଛି ଜଣେ ମାନସିକ ବିକାରଗ୍ରସ୍ତ ଯୁବକ । ଏଥିରେ ପ୍ରେମିକା ଜଣଙ୍କ ଗୁରୁତର ହୋଇଥିବାବେଳେ ପ୍ରେମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ଯୁବତୀଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ପଠାଇବା ସହ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ କାବୁ କରିଥିଲା । ରାତି ୧ଟାରେ ପଟିଆ କାନନ ବିହାରର ଆୟୁଷକାନ୍ତ ମହାନ୍ତି ହସ୍ପିଟାଲରୁ ତାଙ୍କ ବାନ୍ଧବୀ ଛଦ୍ମନାମ(ମଧୁସ୍ମିତା)ଙ୍କ ସହ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ଉକ୍ତ ରାସ୍ତାରେ ହଠାତ୍ କାଠଫାଳିଆ ଧରି ଗାଡ଼ି ଆଗକୁ ଚାଲିଆସିଥିଲେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ । ଆୟୁଷ ତାଙ୍କୁ ଦେଖି ଭୟଭୀତ ହୋଇ ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସମ୍ପୃକ୍ତ ଯୁବକ କାଠ ଫାଳିଆଟି ଗାଡ଼ି ଉପରକୁ ଫୋପାଡ଼ିଥିଲା ।
କାଠ ଫାଳିଆଟି ସିଧା ଯାଇ ପଛରେ ବସିଥିବା ମଧୁସ୍ମିତାଙ୍କ ଦେହରେ ବାଜିଥିଲା । କାଠ ଫାଳିଆଟି ଏତେ ଜୋରରେ ବାଜିଥିଲା ଯେ, ଆୟୁଷ ଭାରସାମ୍ୟ ହରାଇ ବାଇକ୍କୁ ଡିଭାଇଡରରେ ପିଟି ଦେଇଥିଲେ । ଉଭୟ ତଳେ ପଡ଼ିଯାଇଥିଲେ । ଏଥିରେ ଆୟୁଷ ସାମାନ୍ୟ ଆହତ ହୋଇଥିବାବେଳେ ମଧୁସ୍ମିତାଙ୍କ କାନ୍ଧ ଓ ମୁଣ୍ଡରେ ଆଘାତ ଲାଗିଛି । ଏହା ଦେଖି ମାନସିକ ବିକାରଗ୍ରସ୍ତ ଯୁବକ ଜଣଙ୍କ ସେଠାରୁ ପଳାଇଥିଲା । ସେହି ବାଟ ଦେଇ ଯାଉଥିବା ଜଣେ କାର ଚାଳକ ଏହା ଦେଖି ପିସିଆର ଭ୍ୟାନକୁ ଫୋନ୍ କରିଥିଲେ । ପୁଲିସ ପହଞ୍ଚି ମଧୁସ୍ମିତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲା । ପରେ ସମ୍ପୃକ୍ତ ଯୁବକଙ୍କୁ ପୁଲିସ ଗୋଡାଇ ଗୋଡାଇ କାବୁ କରିଥିଲା । ଆଜି ତାଙ୍କୁ ଖଣ୍ଡଗିରିସ୍ଥିତ ପାଗଳଖାନାକୁ ପଠାଇ ଦିଆଯାଇଛି ।