ବ୍ୟାଙ୍କ ଆକାଉଣ୍ଟକୁ ଭୁଲରେ ଆସିଥିବା ୭୨ଲକ୍ଷ ଟଙ୍କାକୁ ଦୁଇ ସପ୍ତାହ ଭିତରେ ଉଡ଼ାଇଲେ ଦମ୍ପତ୍ତି : ଏବେ ଯିବାକୁ ପଡ଼ିବ ଜେଲ୍

Published By : Prameya-News7 Bureau | September 10, 2019 IST

ପେନସିଲଭାନିଆ ୧୦/୯: ଜଣେ ଦମ୍ପତ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭୁଲବଶତଃ ପାଖାପାଖି ୧ଲକ୍ଷ ୨୦ହଜାର ଡଲାର ଆସିଯାଇଥିଲା। ବ୍ୟାଙ୍କ ଅଧିକାରୀଙ୍କ ଭୁଲ କାରଣରୁ ଏହି ଦମ୍ପତ୍ତିଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହୋଇଯାଇଥିଲା। ଏକା ସାଙ୍ଗରେ ଏତେ ଟଙ୍କା ଆସିଯିବାରୁ ଦମ୍ପତ୍ତି ଖୁସିରେ ଆତ୍ମହରା ହୋଇଯାଇଥିଲେ। ସେମାନେ ଏ ବିଷୟରେ ବ୍ୟାଙ୍କକୁ ସୂଚନା ନଦେଇ ଏହି ଟଙ୍କାକୁ ଖର୍ଚ୍ଚ କରିବା ଆରମ୍ଭ କରି ଦେଇଥିଲେ। ଦୁଇ ସପ୍ତାହ ମଧ୍ୟରେଏହି ଦମ୍ପତ୍ତି ୭୨ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଥିଲେ। ସେମାନେ ଜମା ଭାବିନଥିଲେ ଯେ ଏହି ପଦକ୍ଷେପ ତାଙ୍କୁ ଦିନେ ମହଙ୍ଗା ପଡ଼ିବ। ହେଲେ ପୋଲିସ ଏହି ଦମ୍ପତ୍ତିଙ୍କ ବିରୋଧରେ ଠକେଇ, ବେଆଇନ ଭାବେ ଟଙ୍କା ଖର୍ଚ୍ଚ କରିବାର ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

{"id":155666}

ଘଟଣାଟି ହେଉଛି ଆମେରିକାର ପେନସିଲଭାନିଆର। ରବର୍ଟ ଓ୍ବିଲିୟମ୍ସ(୩୬) ଏବଂ ତାଙ୍କ ପତ୍ନୀ ଟିଫନି ଓ୍ବିଲିୟମ୍ସ(୩୫)ଙ୍କ ବିରୋଧରେ ଠକେଇ ଏବଂ ବେଆଇନ ଭାବେ ସପିଙ୍ଗ କରିବାର ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ ଏହି ଦମ୍ପତ୍ତିଙ୍କ ଆକାଉଣ୍ଟରେ ମଇ ୩୧ତାରିଖରେ ପାଖାପାଖି ୧ଲକ୍ଷ ୨୦ହଜାର ଡଲାରର ଭୁଲବଶତଃ ଟ୍ରାନ୍ସଫର ହୋଇ ଯାଇଛି। ଦମ୍ପତ୍ତି କିନ୍ତୁ ଏହି ବିଷୟରେ ବ୍ୟାଙ୍କକୁ ସୂଚନା ଦେବା ପରିବର୍ତେ ଟଙ୍କାକୁ ଖର୍ଚ୍ଚ କରିବାକୁ ଲାଗିଥିଲେ। ପାଖାପାଖି ଦୁଇ ସପ୍ତାହ ପରେ ଏହି ଘଟଣା ବିଷୟରେ ଜଣା ପଡ଼ିଥିଲା। ଜୁନ୍ ୩ତାରିଖରୁ ୧୯ତାରିଖ ମଧ୍ୟରେ ଦମ୍ପତ୍ତି ଗୋଟିଏ ଏସୟୁବି,ଏକ କ୍ୟାମ୍ପର,ଏକ କାର ଟ୍ରେଲର ଏବଂ ଦୁଇଟି ଦୁଇ ଚକିଆ ଗାଡ଼ି କିଣିଥିଲେ। ଏହା ବ୍ୟତୀତ ସେମାନେ ଏହି ଟଙ୍କାରୁ ସେମାନଙ୍କ ବାକି ଥିବା କିଛି ବିଲ୍ ମଧ୍ୟ ପୈଠ କରିଥିଲେ । ତାଛଡା ଏହି ଟଙ୍କାର ସେମାନଙ୍କ କାର ସଜାଡ଼ି ଥିଲେ, ତାଙ୍କର ଜଣେ ବନ୍ଧୁଙ୍କୁ କିଛି ଟଙ୍କା ଧାର ଦେଇଥିଲେ। ରବର୍ଟ ଓ୍ବିଲିୟମ୍ସଙ୍କ ଆକାଉଣ୍ଟରେ ଏତେ ମୋଟା ରକମ ଜମା ହେବା ପୂର୍ବରୁ ପାଖାପାଖି ୧୧୨୧ଡଲାର ଟଙ୍କା ଥିଲା। ବ୍ୟାଙ୍କ କର୍ମଚାରୀଙ୍କ ଭୁଲ ପାଇଁ ତାଙ୍କ ଆକାଉଣ୍ଟରେ ୧ଲକ୍ଷ ୨୦ହଜାର ଡଲାର ଟଙ୍କା ଜମା ହୋଇଯାଇଥିଲା।

{"id":155667}

ଘଟଣା ସମ୍ପର୍କରେ ଜଣା ପଡ଼ିବାରୁ ବ୍ୟାଙ୍କ ତୁରନ୍ତ ଟିଫନି ଓ୍ବିଲିୟମ୍ସଙ୍କୁ ଯୋଗାଯୋଗ କରିଥିଲା। ବ୍ୟାଙ୍କ କର୍ମଚାରୀ ଟିଫନୀଙ୍କୁ ହଠାତ୍ ବ୍ୟାଙ୍କ ଆକାଉଣ୍ଟରେ ଏତେ ଟଙ୍କା ଜମା ହେବାର ସୂଚନା ନଦେବାର କାରଣ ପଚାରିଥିଲେ। କେବଳ ଏତିକି ନୁହେଁ ସେମାନେ ଟିଫନି ଏବଂ ତାଙ୍କ ସ୍ବାମୀଙ୍କୁ ପୂରା ଟଙ୍କା ଫେରାଇବାକୁ ନିର୍ଦେଶ ଦେଇଥିଲେ । ତେବେ ବ୍ୟାଙ୍କ ତରଫରୁ ଅନେକ ଥର ଆଦେଶ ଏବଂ ଯୋଗାଯୋଗ ଉଦ୍ୟମ ସତ୍ବେ ଏହି ଦମ୍ପତ୍ତି କୌଣସି ଉତ୍ତର ଦେଇନଥିଲେ। ଫଳରେ ବ୍ୟାଙ୍କ କର୍ମଚାରୀ ପୋଲିସ ସହ ଯୋଗାଯୋଗ କରିଥିଲେ। ପୋଲିସ୍ ତୁରନ୍ତ ଦମ୍ପତ୍ତିଙ୍କୁ ହେପାଜତକୁ ନେଇଥିଲା। ପଚରାଉଚୁରା ପରେ ଦମ୍ପତ୍ତି କହିଥିଲେ ଯେ ସେମାନେ ଜାଣିଥିଲେ ଯେ ଟଙ୍କା ତାଙ୍କର ନୁହେଁ , ତଥାପି ସେମାନେ ଏହାକୁ ଖର୍ଚ୍ଚ କରି ଦେଇଥିଲେ। ବର୍ତ୍ତମାନ ଏହି ଦମ୍ପତ୍ତିଙ୍କ ବିରୋଧରେ ଠକେଇ କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହେବ। ସେମାନଙ୍କୁ ପାଖାପାଖି ୨୫ହଜାର ଡଲାର ଜମା କରିବା ପରେ ଜାମିନ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.