ନୂଆଦିଲ୍ଲୀ ୦୧।୦୨: ଦେଶର ସାଧାରଣ ବଜେଟ୍ ସୋମବାର ଉପସ୍ଥାପିତ ହୋଇଛି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୧-୨୨ର ବଜେଟ୍ ଉପସ୍ଥାପନ କରିଛନ୍ତି। ମୋଦୀ ସରକାର ଏହି ବଜେଟ୍କୁ ସର୍ବଜନ ହିତରେ ଦର୍ଶାଇଥିବା ବେଳେ ବିରୋଧୀ ଦଳ ବଜେଟ୍ ନିରାଶରେ ଭରା ବୋଲି କହିଛନ୍ତି। ବଜେଟ୍ ଅନୁଯାୟୀ ମଦ, ଡିଜେଲ, ପେଟ୍ରୋଲ ମହଙ୍ଗା ହୋଇପାରେ। ଏହା ବ୍ୟତୀତ ଏପ୍ରିଲରୁ ସୁନା-ରୂପା ଶସ୍ତା ହୋଇପାରେ।
ଏହି ସବୁ ଉପରାନ୍ତେ ଆପଣଙ୍କ ମନରେ ଅନେକ ଥର ଏହି ପ୍ରଶ୍ନ ଉଠିଥାଏ ଯେ ବଜେଟ୍ ପାଇଁ ସରକାରଙ୍କ ପାଖକୁ କୁଆଡୁ ଏତେ ଟଙ୍କା ଆସେ ଏବଂ ଏହି ଟଙ୍କା ପୁଣି କେଉଁଆଡେ ଖର୍ଚ୍ଚ ହୁଏ। ସରଳ ଭାଷାରେ ବୁଝନ୍ତୁ ଦେଶର ବଜେଟ୍ ପାଇଁ ସରକାରଙ୍କ ପାଖକୁ କେଉଁଠୁ ଅର୍ଥ ଆସିଥାଏ। ୨୦୨୧-୨୨ ବଜେଟ୍ର ମୋଟ୍ ରାଶିକୁ ଏକ ଟଙ୍କାର ଅନେକ ଭାଗରେ ବାଣ୍ଟି ଦେଲେ ଆପଣଙ୍କୁ ବୁଝିବା ସହଜ ହେବ।
କେଉଁଠୁ ଆସେ ପଇସା
ଧରି ନିଅନ୍ତୁ ସରକାରଙ୍କ ପାଖକୁ ଟଙ୍କାଟିଏ ଆସିଲା ଏବଂ ଏହି ଟଙ୍କାକୁ ସରକାର ନିଜ ଦେଶର ବଜେଟ୍ ପାଇଁ ବିଭିନ୍ନ କ୍ଷେତ୍ର ପାଇଁ ବଣ୍ଟନ କରିଥାନ୍ତି। ଭାରତ ସରକାରଙ୍କୁ ଧାର ଏବଂ ଲାଇବିଟିଜ୍ ଆକାରରେ ୩୬ ପଇସା ମିଳିଥାଏ। ନିଗମ କରରୁ ୧୩ ପଇସା ଓ ଆୟ କର ଅର୍ଥାତ ଇନକମ ଟ୍ୟାକ୍ସରୁ ୧୪ ପଇସା। ସୀମା ଶୁଳ୍କ ଅର୍ଥାତ କଷ୍ଟମ ଡ୍ୟୁଟିରୁ ୩ ପଇସା ଆସିଥାଏ। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଅର୍ଥାତ ଏକ୍ସାଇଜରୁ ୮ ପଇସା ଓ ଜିଏସଟିରୁ ୧୫ ପଇସା ମିଳିଥାଏ। ଅନ୍ୟ ରାଜସ୍ଵରୁ ୬ ପଇସା ଓ ଋଣ ବ୍ୟତୀତ ଅନ୍ୟ ପୁଞ୍ଜିରୁ ୫ ପଇସା ମିଳିଥାଏ। ଏହି ପଇସାକୁ ଯୋଡି ଦେଲେ ମୋଟ୍ ଏକ ଟଙ୍କା ହେଉଛି।
କେମିତି ଖର୍ଚ୍ଚ ହୁଏ ଏହି ପଇସା
ଏବେ ଜାଣନ୍ତୁ ସରକାର କେମିତି ଏହି ଏକ ଟଙ୍କା ଖର୍ଚ୍ଚ କରନ୍ତି। ସରକାର କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ୯ ପଇସା, କେନ୍ଦ୍ରୀୟ କ୍ଷେତ୍ରର ଯୋଜନା ଉପରେ ୧୩ ପଇସା, ସୁଧ ଅର୍ଥରେ ୨୦ ପଇସା ଏବଂ ପ୍ରତିରକ୍ଷାରେ ୮ ପଇସା ଆବଣ୍ଟନ କରିଥାନ୍ତି। ଦେଶର ଆର୍ଥିକ ସହାୟତା ଅର୍ଥାତ ସବସିଡି ପାଇଁ ୯ ପଇସା, ଅର୍ଥ ଆୟୋଗ ଏବଂ ଅନ୍ୟ ବାବଦରେ ୧୦ ପଇସା। ଭତ୍ତା ପାଇଁ ୫ପଇସା ଏବଂ ଶୁଳ୍କରେ ରାଜ୍ୟଗୁଡିକ ଅଂଶରେ ୧୬ ପଇସା ଓ ଅନ୍ୟ ଖର୍ଚ୍ଚ ପାଇଁ ୧୦ ପଇସା ଆବଣ୍ଟିତ କରାଯାଏ।