କରୋନା ଆତଙ୍କ: ଦେଶକୁ କନିକା କପୁର ନୁହଁ, ସୋନୁ ନିଗମଙ୍କ ପରି ଲୋକ ଦରକାର
22/03/2020 at 7:01 PM

ନୂଆଦିଲ୍ଲୀ ୨୨।୦୩: କରୋନା ଭୂତାଣୁ ସଂକ୍ରମଣ ଦେଶରେ ଗମ୍ଭୀର ହେବାରେ ଲାଗିଛି । ଭାରତରେ ଅଦ୍ୟାବଧି ସଂକ୍ରମିତଙ୍କ ସଂଖ୍ୟା ୩୫୦ରେ ପହଞ୍ଚିଛି। ଆଜି ସମଗ୍ର ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଜନତା କର୍ଫ୍ୟୁକୁ ସମର୍ଥନ କରି ଘରୁ ବାହାରି ନାହାନ୍ତି। ଭାରତରେ ଅଧିକାଂଶ ବାହାରୁ ଆସିଥିବା ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏମିତିରେ ଦେଶକୁ ଫେରୁଥିବା ଲୋକଙ୍କର ଦାୟିତ୍ଵ ମଧ୍ୟ ବଢି ଯାଇଛି। ମାତ୍ର ଗାୟିକା କନିକା କପୁର ମାମଲାରେ ସାମାଜିକ ଉତ୍ତରଦାୟିତ୍ଵ ଓ ମାନବିକତା ପ୍ରସଙ୍ଗକୁ ଆହୁରି ସରଗରମ କରିଛି। କିନ୍ତୁ ଆମ ସାମ୍ନାରେ ସୋନୁ ନିଗମ ଓ ସୋନମ କପୁର ଅନ୍ୟ ମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିଛନ୍ତି, ଯାହାକୁ ଅନ୍ୟ ବୁଦ୍ଧମତା ଲୋକ ମଧ୍ୟ କରିବା ଉଚିତ୍।
ଭାରତ ସରକାର ବିଦେଶରୁ ଆସୁଥିବା ଲୋକଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି। ମାତ୍ର ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁର ଲଣ୍ଡନରୁ ଫେରିବା ମାତ୍ରେ ପାର୍ଟିରେ ମସଗୁଲ ରହିଗଲେ। ନିଜକୁ ଆଇସୋଲେସନରେ ରଖିବା ପରିବର୍ତ୍ତେ କନିକା କପୁର ଘର ପରିଜନଙ୍କୁ ଭେଟିଥିଲେ ଏବଂ ବଜାର ଯାଇ ମାର୍କେଟିଂ କରିଥିଲେ। କେବଳ ଏତିକି ନୁହଁ ସେ ନିଜର ଏକ ପାର୍ଟିର ଆୟୋଜନ କରିଥିଲେ। ଯେଉଁଠି ରାଜନେତା ସହିତ ତାରକା ମଧ୍ୟ ଆସିଥିଲେ। ଏବେ କନିକା କରୋନା ସଂକ୍ରମିତ ଏବଂ ତାଙ୍କ ସହିତ ମିଶିଥିବା ଶତାଧିକ ଲୋକଙ୍କ ଉପରେ କରୋନା ସଂକ୍ରମଣର ବିପଦ ରହିଛି।

ବେପରୁଆ ରହିଲେ କନିକା
କନିକା ଏହି ମାମଲାର ବହୁତ ବେପରୁଆ ଆଚରଣ କରିଥିଲେ। ଦିଲ୍ଲୀ ବିମାନ ବନ୍ଦରରେ ଯେବେ ଜଣା ପଡିଲା ଯେ କନିକା ଲଣ୍ଡନରୁ ଫେରିଛନ୍ତି, ବିମାନ କର୍ତ୍ତୃପକ୍ଷ ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଥିଲେ। ମାତ୍ର କନିକା ଏହି ପରାମର୍ଶକୁ ହାଲୁକାରେ ନେଇଥିଲେ ଏବଂ ନିଜର ମାଙ୍କ ଘର ଲକ୍ଷ୍ନୌ ଚାଲି ଆସିଥିଲେ। କନିକାଙ୍କ ବେପରୁଆ ମନୋଭାବ ଏଥିରୁ ଜାଣି ପାରିବେ ଯେ ସେ କାନପୁର ମଧ୍ୟ ଯାଇଥିଲେ ଏବଂ ତାଜ୍ ହୋଟେଲରେ ଏକ ପାର୍ଟି ମଧ୍ୟ ରଖିଥିଲେ। ପରେ ସେ କରୋନା ସଂକ୍ରମିତ ହେଲେ ଏବଂ ଏବେ ଲକ୍ଷ୍ନୌର କିଙ୍ଗ ଜଜ୍ ମେଡିକାଲ ୟୁନିଭର୍ସିଟିରେ ଆଇସୋଲେସନ ଓ୍ଵାର୍ଡରେ ଭର୍ତ୍ତି ହୋଇଛନ୍ତି।
ଉଦାହରଣ ପାଲଟିଲେ ସୋନୁ
ଏହା ମଧ୍ୟରେ ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟକ ସୋନୁ ନିଗମ ସଂପ୍ରତି ନିଜ ପରିବାର ସହିତ ଦୁବାଇରେ ଅଛନ୍ତି। କରୋନା କାରଣରୁ ସେ ସେଠାରେ ଫସି ରହିଛନ୍ତି। ତେଣୁ ସେ ଦୁବାଇରେ ରହିବାକୁ ନିଷ୍ପତି ନେଇଛନ୍ତି। ସୋନୁ ନିଗମ ସେ ପର୍ଯ୍ୟନ୍ତ ଭାରତ ଫେରିବାକୁ ଚାହୁଁ ନାହାନ୍ତି ଯେ ପର୍ଯ୍ୟନ୍ତ ସ୍ଥିତି ସ୍ୱାଭାବିକ ନ ହୋଇଛି। ସୋନୁଙ୍କ ପୁଅ ନେଭାନ ଦୁବାଇରେ ପଢୁଛି। ସେଠାରେ ଏବେ ସ୍କୁଲ ଛୁଟି ଥିବାରୁ ସୋନୁ ନିଜର ପରିବାର ସହିତ ଘରେ ସମୟ ବିତାଉଛନ୍ତି ।

ସୋନୁ ପିଟିଆଇକୁ କହିଛନ୍ତି ଯେ, ଏହାକୁ ନେଇ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି କାରଣ ମୋ ପାଖରେ ଏବେ ମୋ ପତ୍ନୀ ଓ ମୋର ପୁଅ ଅଛନ୍ତି। ଦୁବାଇ ମୋର ଦ୍ଵିତୀୟ ଘର ପରି ମନେ ହୁଏ। ମାତ୍ର ମୋର ମାତା-ପିତା ଓ ଭଉଣୀ ଭାରତରେ ଏକାକୀ ଅଛନ୍ତି। ମୁଁ ଭାରତ ଫେରି ନିଜ ପିତାଙ୍କ ସହିତ ରହିବାକୁ ଚାହୁଁଥିଲି ମାତ୍ର ଏବେ ମୁଁ ଭାରତ ଯାଇ ପରିବାର ଲୋକଙ୍କୁ କରୋନା ବିପଦରେ ପକାଇବାକୁ ଚାହୁଁନାହିଁ। ମୋତେ ଜଣା ଏହି ଭାଇରସ୍ କେତେ ବିପଦଜ୍ଜନକ।
କେବଳ ଏତିକି ନୁହଁ ଗାୟକ ରବିବାର ଜନତା କର୍ଫ୍ୟୁ ସମୟରେ ନିଜର ପ୍ରଶଂସକଙ୍କ ଲାଗି ଅନ ଲାଇନ କନସର୍ଟ କରିବାକୁ ନିଷ୍ପତି ନେଇଛନ୍ତି । ଗାୟକ କେବଳ ଭାରତୀୟଙ୍କ ପାଇଁ ନୁହଁ ବରଂ ଭାରତୀୟ ସଙ୍ଗୀତକୁ ଅନୁସରଣ କରୁଥିବା ସମଗ୍ର ଦୁନିଆର ଲୋକଙ୍କ ପାଇଁ ସଙ୍ଗୀତ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି। ଏହି କନସର୍ଟ ଭାରତୀୟ ସମୟନୁସାରେ ରାତି ୮ଟାରେ ବିଭିନ୍ନ ସାମାଜିକ ନେଟଓ୍ର୍କ ପ୍ଲାଟଫର୍ମରେ ସିଧା ପ୍ରସାରଣ ହେବ।

ସୋନୁ ନିଗମ ସାମାଜିକ ମାମଲାରେ ଖୋଲାଖୋଲି ମତବ୍ୟକ୍ତ କରିବା ନେଇ ପରିଚିତ। ସୋନୁ ଦୁବାଇରେ ଥାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରୋନା ପ୍ରତିରୋଧ ନେଇ ନେଉଥିବା ପଦକ୍ଷେପକୁ ସମର୍ଥନ କରିଛନ୍ତି। ଉଲ୍ଲେଖନୀୟ ସୋନୁ ନିଗମ ଭାରତୀୟ ସଙ୍ଗୀତ ଜଗତରେ ଏକ ପ୍ରସିଦ୍ଧ ନାମ । ସୋନୁ ଲମ୍ବା ସମୟ ଧରି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ରାଜ କରିଛନ୍ତି । ସେ ନିଜର ସଙ୍ଗୀତରେ କେବଳ ଦେଶ ନୁହଁ ପୂରା ଦୁନିଆରେ ନିଜକୁ ପ୍ରସିଦ୍ଧି କରାଇଛନ୍ତି । ସୋନୁଙ୍କ ପ୍ରଶଂସକ ଦୁନିଆର ପ୍ରତି କୋଣରେ ଅଛନ୍ତି ।