ବିଶ୍ୱାସ ହରାଇଛି ଚୀନ୍ ! ଟିକା ରାଜିନାମା କରିଥିବା ଦେଶ ଏବେ ଭାରତ ମୁହାଁ

Published By : Prameya-News7 Bureau | January 22, 2021 IST

ନୂଆଦିଲ୍ଲୀ ୨୨।୧: ବିଶ୍ୱକୁ କରୋନା ଭାଇରସ ମହାମାରୀ ବାଣ୍ଟିଥିବା ଚୀନ୍‌ ଏବେ ବିଶ୍ୱାସ ହରାଇଛି। ଚୀନ୍‌ ପ୍ରସ୍ତୁତ କରୋନା ଟିକା ମହାମାରୀ ମୁକାବିଲାରେ ସକ୍ଷମ କି ନା ସେ ନେଇ ଟିକା ଲାଗି ରାଜିନାମା କରିଥିବା ଦେଶ ଏବେ ଅସ୍ପଷ୍ଟ । ଏଣୁ ଚୀନ୍‌ରୁ ଟିକା  ପାଇଥିଲେ ହେଁ ଦେଶରେ ଟିକାକରଣ ଲାଗି ସେମାନେ ଏବେ ଭାରତ ମୁହାଁ ହୋଇଛନ୍ତି।

ଅକ୍ସଫର୍ଡ ଆଷ୍ଟ୍ରେଜେନେକା ଭାରତରେ କୋଭିସିଲ୍ଡ ପ୍ରସ୍ତୁତ କରୁଛନ୍ତି। ଏହା ଛଡା ଭାରତ ବାୟୋଟେକ୍ ପ୍ରସ୍ତୁତ କୋଭାକ୍ସିନ ମଧ୍ୟ ଫଳପ୍ରଦ ପ୍ରମାଣିତ ହୋଇଛି। ଏଣୁ ଚୀନ୍ ଟିକାବାଦେ ବ୍ରାଜିଲ, କମ୍ବୋଡିଆ ସମେତ ଅନୁନ୍ୟ ୮ଟି ଦେଶ ଏବେ ଭାରତ ମୁହାଁ ହୋଇଛନ୍ତି।  

ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସାନେରୋ ଏ ନେଇ ଜାନୁୟାରୀ ୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ନିବେଦନ କରିଥିବା ବେଳେ ବାଣିଜ୍ୟିକ ଯୋଗାଣରେ ଶୁକ୍ରବାର ୨ ନିୟୁତ ଡୋଜ୍ କୋଭିସିଲ୍ଡ ପଠାଯାଇଥିବା ଜଣାପଡିଛି। ସେହିପରି ଚୀନ୍‌ର ମିତ୍ର ଦେଶ କମ୍ବୋଡିଆ ମଧ୍ୟ ଭାରତକୁ ସହାୟତାରେ କୋଭିସିଲ୍ଡ ହେଉ କି କୋଭାକ୍ସିନ ଯୋଗାଇ ଦେବାକୁ ନିବେଦନ କରିଛି।

ଅନ୍ୟପକ୍ଷରେ ମାଗଣା ଟିକାକରଣ ଲାଗି ଚୀନ୍‌ରୁ  କରୋନା ଭାକ୍ ପାଇଥିବା ଇଣ୍ଡୋନେସିଆ ମଧ୍ୟ ଟିକା ଲାଗି ଏବେ ଭାରତକୁ ମୁହାଁଇଛି।  ଏଥିଲାଗି ସେରମ ଇନିଷ୍ଟିଚ୍ୟୁଟ୍ ସହ କଥାବାର୍ତ୍ତା ଆରମ୍ଭ କରିଥିବା ବେଳେ ଖୁବ୍ ଶୀଘ୍ର ଦେଶକୁ ଟିକା ଯୋଗାଇ ଦିଆଯିବ ବୋଲି ଜଣାପଡିଛି। ତେବେ ଦେଶରେ ଟିକାକରଣ ଲାଗି କମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ ସେନ୍‌ ଗତ ସୋମବାର ଭାରତୀୟ ରାଷ୍ଟ୍ରଦୂତ ଦେବଯାନୀ ଖୋବରଗାଡେଙ୍କ ଦ୍ୱାରା ଭାରତକୁ ସହାୟତା ନିବେଦନ କରିଥିଲେ। 

କମ୍ବୋଡିଆ ପ୍ରଧାନମନ୍ତ୍ରୀଙ୍କ ନିବେଦନ ଅନୁସାରେ ଭାରତ ସରକାର ଯଥାସମ୍ଭବ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ଓ ଖୁବ୍ ଶୀଘ୍ର ଟିକା ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଚୀନ୍‌ ଟିକାକୁ ନେଇ ୟାହା  ସବୁଠୁ  ବଡ ଅସୁବିଧା ତାହା ହେଉଛି ଏହାର ସଂରକ୍ଷଣ। ଚୀନ୍‌ ଋଣ ଭାରରେ ଦବି ରହିଥିବା କମ୍ବୋଡିଆ  ଟିକା ସଂରକ୍ଷଣ ଲାଗି ବିପୁଳ ବ୍ୟୟ କରିପାରିବେ ନାହିଁ। ଏଣୁ ଭାରତ ପ୍ରସ୍ତୁତ ଟିକା ଘରର ତାପମାତ୍ରାରେ ମଧ୍ୟ ମହଜୁଦ ହୋଇପାରୁଥିବାରୁ ଏଥିପାଇଁ କମ୍ବୋଡିଆ ବିଶେଷ ଆଗ୍ରହୀ ବୋଲି ଜଣାପଡିଛି।

ତେବେ ଯାହା ଜଣାପଡୁଛି ଚୀନ୍‌ ଋଣ ଚାପରେ ଦେଶମାନେ ଟିକା ନେଇଥିଲେ ହେଁ ସେଥିରେ ସବୁ ନାଗରିକଙ୍କ ଟିକାକରଣ ସମ୍ଭବ ନୁହେଁ। ଆର୍ଥିକ ଦୃଷ୍ଟିରୁ ଟିକା ମହଙ୍ଗା ହୋଇଥିବା ବେଳେ ଟିକାର କାର୍ଯ୍ୟକାରିତା ମଧ୍ୟ ପ୍ରମାଣିତ ନୁହେଁ। ଏଣୁ ଦେଶମାନେ ମନା ନକରି କିଛି ମାତ୍ରାରେ ଟିକା ନେଇ ଟିକାକରଣ କରୁଥିଲେ ହେଁ ଭାରତୀୟ ଟିକା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ବୋଲି ସ୍ପଷ୍ଟ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.