FDIରେ ନୂତନ ନୀତି: ହଜମ କରି ପାରୁନି ଚୀନ, କହିଲା- ଭାରତ ଆମ ସହିତ ଭେଦଭାବ କରୁଛି

Published By : Prameya-News7 Bureau | April 20, 2020 IST

ନୂଆଦିଲ୍ଲୀ ୨୦।୦୪: ଭାରତ ସରକାର ଚୀନରୁ ଆସୁଥିବା ସାମଗ୍ରୀକୁ ନେଇ ଏଫଡିଆଇ ନିୟମରେ ପରିବର୍ତ୍ତନ କରିଛନ୍ତି। ଏହାକୁ ସହଜରେ ହଜମ କରି ପାରି ନାହିଁ ଚୀନ। ଏମିତି ଲାଗୁଛି ଭାରତ ଚୀନରୁ ଆସୁଥିବା ନିବେଶ ଉପରେ ରୋକ୍ ଲଗାଇ ଦେଇଛି। ଚୀନ କହିଛି ଯେ, ଭାରତ ଏମିତି କରି ଚୀନ ସହିତ ଭେଦଭାବ କରୁଛି। ଭାରତର ଏହି ଆଭିମୁଖ୍ୟ ବିଶ୍ଵ ବାଣିଜ୍ୟ ସଂଗଠନର ନିୟମ ବିରୋଧୀ ବୋଲ ଡ୍ରାଗନ କହିଛି।

ଚୀନର ଏମିତି ଛଟପଟ୍ ହେବା ଦେଖିଲେ ଲାଗୁଛି ଭାରତି ପ୍ରତି ତାର ଉଦ୍ଦେଶ୍ୟ ଠିକ୍ ନାହିଁ। ଭାରତ ସରକାର ତ କେବଳ ଏତିକି କହିଛି ଯେ, ନିବେଶ ପୂର୍ବରୁ ସରକାରଙ୍କୁ ଜଣାଇବାକୁ ପଡିବ ଏବଂ ଅନୁମତି ନେବାକୁ ପଡିବ। ଏଥରେ ଭୁଲ କଣ ? ମାତ୍ର ଚୀନର ଏପରି ବିଚଳିତ ହେବା ତାର ଭୁଲ ଉଦ୍ଦେଶ୍ୟକୁ ପର୍ଦ୍ଦାଫାଶ କରିବାର କାମ କରିଛି।

କଣ ଏହି ନିୟମ ?

ଏ ପର୍ଯ୍ୟନ୍ତ ପ୍ରତିରକ୍ଷା, ଟେଲିକମ, ଗଣମାଧ୍ୟମ, ଫାର୍ମାସ୍ୟୁଟିକାଲ୍ସ ଓ ବୀମାକୁ ଛାଡି ବାକି କ୍ଷେତ୍ରରେ ନିବେଶ ପାଇଁ ସରକାରଙ୍କଠୁ ମଞ୍ଜୁରୀ ନେବାକୁ ପଡୁନଥିଲା। ଏବେ ସରକାର ଏଥିରେ ସଂଶୋଧିତ କରି ନିୟମ କରିଛନ୍ତି ଯେ, ଭାରତର ସୀମା ସହିତ ଲାଗି ରହିଥିବା ଦେଶ ଭାରତରେ ଯେ କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ସରକାରଙ୍କ ମଞ୍ଜୁରୀ ନେବାକୁ ପଡିବ।

କଣ କହିଲେ ଚୀନ ମୁଖପାତ୍ର

ଚୀନ ଦୂତାବାସର ମୁଖପାତ୍ର ସୋମବାର କହିଛନ୍ତି ଯେ, କିଛି ଖାସ୍ ଦେଶ ସହିତ ପ୍ରତ୍ୟକ୍ଷ ନିବେଶ କରିବା ପାଇଁ ଭାରତର ଏହି ନୂତନ ନିୟମ ଡବ୍ଲ୍ୟୁଟିଓ ନିୟମର ଉଲ୍ଲଂଘନ କରୁଛି। ଏହା ମୁକ୍ତ କାରବାର ବିରୋଧୀ। ଅଧିକାରୀ କହିଛନ୍ତି ଏହି ନୂତନ ନୀତି ଜି୨୦ ସମୂହରେ ନିବେଶ ପାଇଁ ଏକ ସ୍ଵାଧୀନ, ନିରପେକ୍ଷ, ଅଣ ଭେଦଭାବ ଓ ପାରଦର୍ଶି ବାତାବରଣ ପାଇଁ ହୋଇଥିବା ସର୍ବସମ୍ମତି ବିରୋଧୀ।

ଉଲ୍ଲେଖଯୋଗ୍ୟ, ଭାରତ ଯେଉଁ ନିୟମ କରିଛି ତାହା କେବଳ ଚୀ ପାଇଁ ନୁହଁ ବରଂ ନେପାଲ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ମିଆନମାର ଓ ଭୂଟାନ ଉପରେ ମଧ୍ୟ ଲାଗୁ ହୋଇଛି। କିନ୍ତୁ ସମସ୍ୟା କେବଳ ଚୀନକୁ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.