ସହି ପାରିଲେନି ନିର୍ଯାତନା, ବିଦ୍ୟାଳୟରେ ହିନ୍ଦୀ ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ସେପଟେ ଫେରାର ମାରିଲେ ପ୍ରଧାନ ଶିକ୍ଷକ

Published By : Prameya-News7 Bureau | March 10, 2021 IST

ଢେଙ୍କାନାଳ ୧୦।୦୩:  ୨୦୧୯ ମସିହାଠାରୁ ହିନ୍ଦୀ ଶିକ୍ଷୟତ୍ରୀଙ୍କୁ ବିଭିନ୍ନ ଆଳରେ ଦିଆଯାଉଥିଲା ମାନସିକ ନିର୍ଯାତନା । ରାଜ୍ୟ ଶିକ୍ଷା ସେକ୍ରେଟାରୀଙ୍କଠାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପର୍ଯ୍ୟନ୍ତ ନିବେଦନ ଓ ବିନତୀ କରି ବିଫଳ ହୋଇଥିଲେ ଶିକ୍ଷୟତ୍ରୀ । ଏପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟ ଅନେକ ସମୟରେ ଦେଇଥିଲେ ମାନସିକ ନିର୍ଯାତନା।  ଶେଷରେ ମାନସିକ ନିର୍ଯାତନା ସହି ନପାରି ବିଦ୍ୟାଳୟରେ ବେକରେ ନିଜର ଓଢଣୀ ଦେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ହିନ୍ଦୀ ଶିକ୍ଷୟତ୍ରୀ। ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ।

ଘଟଣାକୁ ଛପାଇବାପାଇଁ ସ୍କୁଲ ପକ୍ଷରୁ ଉଦ୍ୟମ କରାଯାଇଛି । ଏପଟେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଏହି ହିନ୍ଦୀ ଶିକ୍ଷୟତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନ ଡକ୍ଟରଖାନରେ ଭର୍ତ୍ତି କରିଛନ୍ତି । ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ହୃଦୟ ବିଦାରକ ଭଏସ ଭାଇରଲ ହେବାରେ ଲାଗିଛି । ଗୁରୁତର  ହିନ୍ଦୀ ଶିକ୍ଷୟତ୍ରୀ  ହେଉଛନ୍ତି ସୁଲତାନା ବେଗମ । ୨୦୧୯ ମସିହାରୁ ତାଙ୍କର କିଛି କାଗଜପତ୍ର ଅପଡେଟକୁ ନେଇ ସବୁଠି ଅଭିଯୋଗ କରିଥିଲେ। କିନ୍ତୁ ସବୁ ସ୍ଥାନରେ ତାଙ୍କୁ ନିରାଶ ହେବାକୁ ପଡିଥିଲା। ଅଧିକ ମାନସିକ ନିର୍ଯାତନା ଦେଇଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ରଣା ।

{"id":420953,"sizeSlug":"large","linkDestination":"none"}

ସହିବାର ସବୁ ସୀମା ଟପି ଗଲାପରେ ଗତକାଲି ନିଜର ଯନ୍ତ୍ରଣାକୁ ରେକର୍ଡ କରି ଶିକ୍ଷା ସମ୍ପାଦକଙ୍କ ନିକଟକୁ ହ୍ବାଟସ ଆପରେ ପଠାଇଥିଲେ। ଏହା ପରେ ବିଦ୍ୟାଳୟରେ ନିଜ ଓଢଣୀ ସାହାଯ୍ୟରେ ଝୁଲି ପଡିଥିଲେ ସୁଲତାନ ବେଗମ । ଠିକ ସମୟରେ ବିଦ୍ୟାଳୟର ଶିକ୍ଷକମାନେ ଦେଖି ଶିକ୍ଷୟତ୍ରୀଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଘଟଣାକୁ ଚାପିବାପାଇଁ ଆତ୍ମହତ୍ୟାରେ ବ୍ୟବହୃତ ଓଢଣୀକୁ ନିଆଁ ଲଗେଇ ପୋଡି ଦେଇଥିଲେ। ପ୍ରଧାନ ଶିକ୍ଷକ ମହିଳା ଶିକ୍ଷୟତ୍ରୀଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲ ପଠେଇବା ପରିବର୍ତ୍ତେ ଦୁଇ ଜଣ ଶିକ୍ଷକଙ୍କ ସାହାଯ୍ୟରେ ଭୁବନ ବସ ଷ୍ଟାଣ୍ଡରେ ଛାଡିଦେଇ ପଳାଇଯାଇଥିବା ଜଣାପଡିଛି ।

{"id":420954,"sizeSlug":"large","linkDestination":"none"}

ହିନ୍ଦୀ ଶିକ୍ଷୟତ୍ରୀ ଜଣକ ବସଷ୍ଟାଣ୍ଡରେ ଥିବା ସଂସାର ବସ୍ତ୍ରାଳୟର ବାରଣ୍ଡାରେ ବସି କଇଁ କଇଁ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ବସ୍ତ୍ରାଳୟ ଦୋକାନୀ ବିପିନ ବିହାରୀ ଦାସ ଶିକ୍ଷୟତ୍ରୀଙ୍କ ଏହି ଦୃଶ୍ୟ ଦେଖି ଘଟଣା ସଂପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । ଶିକ୍ଷୟତ୍ରୀ ଜଣକ ସମସ୍ତ ଘଟଣା କହିବା ପରେ ବେହୋସ୍ ହୋଇ ପଡିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏ ସଂପର୍କରେ ପ୍ରଧାନ ଶିକ୍ଷକଙ୍କୁ ମୋବାଇଲ ଯୋଗେ କଲ କରିଥିଲେ ମଧ୍ୟ ସେ ତାଙ୍କର କୌଣସି ଉତ୍ତର ନଥିବା ତାଙ୍କ ଭୂମିକା ନେଇ ସନ୍ଦେହ ଘେରକୁ ଆସିଛି।  ଏ ସଂକ୍ରାନ୍ତରେ ଭୁବନ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.