OSIC ରେ ଦୁର୍ନୀତିର ଗନ୍ଧ ; ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ବା ଓଏସ୍ଆଇସିରେ ଠିକାଦାରଙ୍କ ମାରଣ ନୀତି

Published By : Prameya-News7 Bureau | July 12, 2018 IST

ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ବା ଓଏସ୍ଆଇସିରେ ମନମାନୀ । ସରକାରଙ୍କ ନୋଟିଫିକେସନର ଖୁଲମଖୁଲା ଉଲ୍ଲଙ୍ଘନ କରାଯାଉଛି । ମିଡିଏମ୍ ଆଣ୍ଡ ସ୍ମଲ ସ୍କେଲ୍ ଇଣ୍ଡଷ୍ଟ୍ରି ଗୁଡିକୁ ପ୍ରୋତ୍ସାହନ ଦେବା ବଦଳରେ କଣ୍ଟ୍ରାକ୍ଟରଙ୍କ ତଣ୍ଟି ଚିପି ଅର୍ଥ ଆଦାୟ କରୁଥିବା ଗୁରୁତର ଅଭିଯୋଗ ଆସିଛି । ନିୟମ ବାହାରେ ଜୋରଜବରଦସ୍ତ ମନଇଛା ଅର୍ଥ ଆଦାୟ କରୁଛି ଓଏସଆଇସି । ଏଥିପାଇଁ ଠିକାଦାରମାନଙ୍କ ବ୍ୟାପକ ଆର୍ଥିକ କ୍ଷତି ହେଉଥିବାରୁ ଆତ୍ମହତ୍ୟା ଭଳି ପନ୍ଥା ବାଛିବେ ବୋଲି ଧମକ ଦେଲେଣି ଅନେକ ଠିକାଦାର । ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ବା ଓଏସ୍ଆଇସିରେ ଠିକାଦାର ମାରଣ ନୀତି । କାମକଲା ପରେ ବି ଠିକାଦାର କିମ୍ବା କଂପାନୀ ମାନଙ୍କୁ ମିଳୁନି ପ୍ରାପ୍ୟ । ପ୍ରାପ୍ୟ ମାଗିଲେ ମୁଳୁଛି ଧମକ । କେତେବେଳେ ସେମାନଙ୍କ ଅର୍ଥ କାଟି ଦିଆଯାଉଛି ତ ଆଉ କେତେବେଳେ କାମ ନମିଳିବାର ଦିଆଯାଉଛି ଧମକ । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି OSIC ଜରିଆରେ କାମ ପାଉଥିବା ଛୋଟ ଛୋଟ କଂପାନୀ ଓ ଠିକାଦାର । ଓଡିଶା କ୍ଷୁଦ୍ର ଶିଳ୍ପ ନିଗମରେ ଓଡିଶାର ପ୍ରାୟ ଶହେରୁ ଅଧିକ ପଞ୍ଜୀକୃତ ଏମଏସଏମଇ କାମ କରୁଛନ୍ତି । ସେଥିମଧ୍ୟରୁ ୧୫ରୁ ଅଧିକ ବଡ ବଡ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ରୁରାଲ ଇଲେକ୍ଟ୍ରିଫିକେସନ କାମରେ ନିୟୋଜିତ ଅଛନ୍ତି । ଗ୍ରାମାଞ୍ଚଳରେ ଏମାନେ କୋଟିକୋଟି ଟଙ୍କାର କାମ କରିଥିଲେ ବି ସେମାନଙ୍କୁ OSIC ଅର୍ଥ ପଇଠ କରିନାହିଁ । କାରଣ ଏମାନେ କୁଆଡେ OSIC ଅଧିକାରୀଙ୍କୁ ସେମାନଙ୍କ ମନ ମୁତାବକ ଖୁସି କରାଇ ପାରିନାହାନ୍ତି । ଫଳରେ ସେମାନଙ୍କ ପ୍ରାପ୍ୟ ଦେବାରେ କେତେବେଳେ ଜାଣିଶୁଣି ବିଳମ୍ବ କରାଯାଉଛି ତ ଆଉ କେତେବେଳେ ବେଆଇନ ଭାବେ ମନଇଛା ଅର୍ଥ କାଟି ରଖାଯାଉଥିବା ଅଭିଯୋଗ ହୋଇଛି । ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ସଂସ୍ଥାମାନଙ୍କୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ISIC ଙ୍କ ଦ୍ବାରା ଟେଣ୍ଡର ମାଧ୍ୟମରେ କାମ ଯୋଗାଉଛନ୍ତି । କାମ ସଂପୂର୍ଣ୍ଣ କରିସାରିବା ପରେ MSME କିମ୍ବା ଠିକାଦାରମାନେ ନିର୍ଦ୍ଧାରିତ ବିଲ୍ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମକୁ ଦିଅନ୍ତି । OSIC ସଂମ୍ପୃକ୍ତ ବିଲକୁ ବିଭାଗକୁ ପେମେଣ୍ଟ ପାଇଁ ପଠାଇଥାଏ । ପେମେଣ୍ଟ ଆସିଲା ପରେ ସରକାରଙ୍କ ଗେଜେଟ୍ ନୋଟିଫିକେସନ୍ ଅନୁସାରେ OSIC ୧ ପ୍ରତିଶତ କମିଶନ ବାବଦରେ ରଖି ବାକି ବିଲ୍ କମ୍ପାନୀ କିମ୍ବା ଠିକାଦାରଙ୍କୁ ତୁରନ୍ତ ପଇଠ କରିବା କଥା । କିନ୍ତୁ OSIC ଜୋରଜବରଦସ୍ତ ୩ ପ୍ରତିଶତ କିମ୍ବା ତା ଠାରୁ ଅଧିକ ଟଙ୍କା କାଟି ରଖୁଥିବା ଅଭିଯୋଗ ହୋଇଛି । ବେଳେ ବେଳେ ତ ଏହା ବାଦ ବି ପିସି ମଗାଯାଉଛି । ଅନେକ ସମୟରେ MSME ମାନେ ସେମାନଙ୍କ ବିଲ୍ ପଇଠ କଲା ପରେ ସରକାରଙ୍କଠୁ ଟଙ୍କା ଆସି ବର୍ଷ ବର୍ଷ ଧରି OSIC ରେ ପଡି ରହୁଛି । ହେଲେ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ଅଧିକାରୀ ସେମାନଙ୍କ ପସନ୍ଦ ମୁତାବକ ପିସି ନମିଳିବା ଯାଏ ବିଲ୍ ଅର୍ଥ ପଇଠ କରୁନାହାନ୍ତି । OSIC ରେ ଏଭଳି ଖୁଲମଖୁଲା ଦୁର୍ନୀତି ଚାଲିଥିବାରୁ ଠିକାଦାର ଓ କ୍ଷୁଦ୍ର ଶିଳ୍ପ ସଂସ୍ଥା ଗୁଡିକ ଏବେ ବୁଡିବାକୁ ବସିଲେଣି । ଧାର କରଜକରି କାମ କରିଥିବା ଠିକାଦାର ଓ ଶିଳ୍ପ ସଂସ୍ଥାର ମାଲିକମାନେ ସେମାନଙ୍କ ପ୍ରାପ୍ୟ ନପାଇଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.