ପୁଣି ଆବାସ ଯୋଜନାରେ ଦୁର୍ନୀତି, ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର, ଥିଲା ବାଲାଙ୍କୁ ମିଳୁଛି ଘର…
1/03/2020 at 9:13 PM

ଜଗତସିଂହପୁର୧/୩: ପୁଣି ଆବାସ ଯୋଜନାରେ ଦୁର୍ନୀତି। ଜଗତସିଂହପୁର ତିର୍ତ୍ତୋଲରେ ସରକାରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ । ନେତା କି ସରକାରୀ ବାବୁ କେହି ଶୁଣୁନାହାଁନ୍ତି । ଥିଲା ବାଲାଙ୍କୁ ମିଳୁଛି ଘର । ସେପଟେ ଯୋଗ୍ୟ ହିତାଧିକାରୀଙ୍କ ଗୁହାରି କେହି ଶୁଣୁନାହାଁନ୍ତି । ପରିତ୍ୟକ୍ତ କ୍ଲବ ଘରେ ୭ ପ୍ରାଣୀ କୁଟୁମ୍ବଙ୍କୁ ନେଇ ମୁଣ୍ଡ ଗୁଞ୍ଜିଛନ୍ତି କୋଷ୍ଟିମଲ୍ଲିକାପୁର ଗାଁର ଦିନ ମଜୁରିଆ ନିଳମାଧବ ସେଠୀ ।

ଘର ନାହିଁ । ବାଧ୍ୟ ହୋଇ ଗାଁ ମୁଣ୍ଡ ପରିତ୍ୟକ୍ତ କ୍ଲବ ଘରେ ଆଶ୍ରୟ ନେଇଛନ୍ତି ୭ ପ୍ରାଣୀ । କ୍ଲବ ଘରର କବାଟ ଝରକା ବୋଲି କିଛି ନାହିଁ । ଯୋଉଠି ରୋଷେଇ ସେଇଠି ଶୋଇବା ବସିବା ସବୁ ଚାଲିଛି । ଜଗତସିଂହପୁର କୋଷ୍ଟିମଲ୍ଲିକାପୁର ଗାଁର ନୀଳମାଧବ ସେଠୀଙ୍କୁ ସରକାରୀ ଆବାସ ଯୋଜନାରେ ଘର ମିଳିନଥିବାରୁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଥିଲାବାଲାଙ୍କୁ ସରକାରୀ ଆବାସ ମିଳୁଥିବା ବେଳେ ନଥିଲାବାଲାଙ୍କୁ ମିଳୁଛି ଗଦା ଗଦା ପ୍ରତିଶ୍ରୁତି

ନୀଳମାଧବ ଦିନ ମଜୁରିଆ । ପରିବାରର ୩ ଜଣଙ୍କର ଆଧାର କାର୍ଡ ନଥିବାରୁ ସେମାନଙ୍କୁ ଚାଉଳ, ଗହମ ଆଦି ରାସନ ସାମଗ୍ରୀ ମିଳୁନାହିଁ । ଅନ୍ୟ ୪ ଜଣଙ୍କ ନାମରେ ଯାହା ମିଳୁଛି ତାହା ୧୦ ଦିନରେ ସରି ଯାଉଛି । ତେଣୁ ସବୁ ଦିନ ପେଟ ପାଇଁ ଦାନା ଯୋଗାଡ଼ କରିବା ସମ୍ଭବ ହେଉନି ଏ ପରିବାର ପକ୍ଷରେ । ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ବି ଫଳ ଘର ଶୂନ । ଅଭାବ ଯୋଗୁଁ ପିଲାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଛି ।