ସ୍ବଚ୍ଛ ଭାରତ ଯୋଜନା କାମରେ ଦୁର୍ନୀତି : ଲ୍ୟାଟ୍ରିନ୍ କାମ ଏମିତି ହୋଇଛି ଯେ ହାତ ମାରୁ ମାରୁ ଭାଙ୍ଗିଯାଉଛି
30/06/2019 at 7:17 PM

ସାଲେପୁର ୩୦|୬: ସ୍ବଚ୍ଛ ଭାରତ ଯୋଜନା କାମରେ ଦୁର୍ନୀତି ।ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ବାଲିସାହି ପଞ୍ଚାୟତରୁ ।ଗାଁରେ ସ୍ବଚ୍ଛ ଭାରତ ଯୋଜନାରେ ନିର୍ମାଣ ହେଉଥିବା ଲ୍ୟାଟ୍ରିନ୍ କାମ ନିମ୍ନମାନର ହୋଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।ଏହାକୁ ବିଭାଗୀୟ ଯନ୍ତ୍ରୀ ମଧ୍ୟ ସ୍ବୀକାର କରିଛନ୍ତି ।ଏହି ଘଟଣାରେ ସଂପୃକ୍ଟ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗାଁ ଲୋକେ ।

ସ୍ବଚ୍ଛ ଭାରତ ଯୋଜନାରେ ନିର୍ମାଣ ହୋଇଥିବା ଲ୍ୟାଟ୍ରିନ୍ କାମ ଏମିତି ହୋଇଛି ଯେ ହାତ ମାରୁ ମାରୁ ଭାଙ୍ଗିଯାଉଛି ।ଏଥିରେ ନିମ୍ନ ମାନର ଇଟା ଓ ସିମେଣ୍ଟ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି ।ଏପରି ଭାବେ ନିର୍ମାଣ କରାଯାଇଥିବା ଲ୍ୟାଟ୍ରିନ୍ର ସ୍ଥାୟିତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ ।

କାମ ଚାଲିଥିବା ବେଳେ ଖୋଦ୍ ଜେଇ, ଠିକାଦାର ମଧ୍ୟ କାମ ଉପରେ ଉପସ୍ଥିତ ରହି ତଦାରଖ କରୁଥିଲେ ।କିନ୍ତୁ ଅଭିଯୋଗ ଆସିବା ପରେ ନିମ୍ନ ମାନର କାମ ହୋଇଥିବା ସ୍ବୀକାର କରିଛନ୍ତି ବିଭାଗୀୟ ଯନ୍ତ୍ରୀ ।ଏ ସଂପର୍କରେ କନିଷ୍ଠ ଯନ୍ତ୍ରୀ କହିଛନ୍ତି ଯେ ଏ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ଏବଂ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏପରି ନିମ୍ନମାନର କାମ କରାଇଥିବା ଠିକାଦାର ଏବଂ ଯନ୍ତ୍ରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହାକୁ ଗ୍ରାମବାସୀ ଅପେକ୍ଷା କରିଛନ୍ତି ।