ମର୍ଡର FIRରେ ନାଁ ପରେ ଆପ୍‌ର ଆକ୍ସନ : କର୍ପୋରେଟର ତାହିର ହୁସେନ ସସ୍‌ପେଣ୍ଡ, ଘର-ଫ୍ୟାକ୍ଟ୍ରି ସିଲ୍, ସାମ୍ପୁଲ ସଂଗ୍ରହ କଲା ତଦନ୍ତକାରୀ ଟିମ୍

Published By : Prameya-News7 Bureau | February 28, 2020 IST

ନୂଆଦିଲ୍ଲୀ ୨୮।୨: ଦିଲ୍ଲୀ ମହାନଗର ନିଗମ କର୍ପୋରେଟର ତାହିର ହୁସେନଙ୍କ ଉପରେ କରାଓ୍ବଲ ନଗରରେ ହୋଇଥିବା ହିଂସାକାଣ୍ଡ ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ତାହିର ହୁସେନଙ୍କୁ ଆମ୍ ଆଦମୀ ପାର୍ଟି ତାର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛି । ତାଙ୍କ ବିରୋଧରରେ ହତ୍ୟା ମାମଲା ରୁଜୁ କରାଯାଇଛି । ଏହାସହ ଦୟାଲପୁର ଥାନାରେ ତାହିର ହୁସେନଙ୍କ ବିରୋଧରେ ଧାରା ୩୦୨ରେ ମାମଲା ରୁଜୁ ହୋଇଛି ।

ଆମ୍ ଆଦମୀ ପାର୍ଟି କର୍ପୋରେଟର ତାହିର ହୁସେନଙ୍କୁ ଦଳରୁ ନିଲମ୍ବିତ କରିଛି । ହିଂସାକାଣ୍ଡକୁ ଉସକେଇବା, ତାଙ୍କ ଘରକୁ ବିଦ୍ରୋହୀମାନେ ବ୍ୟବହାର କରିବା ଅଭିଯୋଗ ହୋଇଥିଲା । ଚାପ ବଢିବାରୁ ପାର୍ଟି ତାଙ୍କୁ ନିଲମ୍ବିତ କରିଛି । ଅଙ୍କିତ ଶର୍ମାଙ୍କ ହତ୍ୟା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି । ତାହିର ହୁସେନକୁ ପୋଲିସ ଗିରଫ କରିପାରେ ।

ଆମ୍ ଆଦମୀ ପାର୍ଟିର କର୍ପୋରେଟର ତାହିର ହୁସେନ ଘରୁ ପଥର ଫିଙ୍ଗିବା, ପେଟ୍ରୋଲ ବମ୍ ଫିଙ୍ଗିବା ଏବଂ ଛାତ ଉପରେ ଉପସ୍ଥିତ ଥିବା ଡଜନେ ବିଦ୍ରୋହୀଙ୍କ ଫଟୋ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଏଥିଯୋଗୁଁ ତାହିରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିବା ବେଳେ ଆପ୍ ମଧ୍ୟ ତାଙ୍କୁ ଦଳରୁ ନିଲମ୍ବିତ କରିଛି ।

ଇଣ୍ଟେଲିଜେନ୍ସ  ବ୍ୟୁରୋର ଯୁବ ଅଫିସର ଅଙ୍କିତ ଶର୍ମାଙ୍କ ବାପା ମଧ୍ୟ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତାହିରଙ୍କ ବିରୋଧରେ ଆଇପିସି ଧାରା ୩୦୨, ୨୦୧, ୩୬୫, ୩୪ରେ ମାମଲା ରୁଜୁ ହୋଇଛି । ଭାଇରାଲ୍ ଭିଡିଓରେ ବିଦ୍ରୋହୀଙ୍କ ସହ ତାହିର ହୁସେନ ଦେଖିବାକୁ ମିଳିଥିଲା । ତାହିର ହୁସେନଙ୍କ ଫ୍ୟାକ୍ଟ୍ରି ମଧ୍ୟ ସିଲ୍ କରାଯାଇଛି । ଖଜୁରୀ ଖାସ୍ ଅଞ୍ଚଳରେ ଥିବା ତାହିରଙ୍କ ୪ ମହଲା ବିଶିଷ୍ଟ ଘରକୁ ମଧ୍ୟ ପୋଲିସ ସିଲ୍ କରିଦେଇଛି । ସେହି ଘରୁ ପେଟ୍ରୋଲ ବମ୍, ପଥର ଖଣ୍ଡ, ଏସିଡ୍ ପାଉଚ୍ ଆଦି ଜବତ ହୋଇଥିଲା । ତାଙ୍କ ଘରେ ତଦନ୍ତକାରୀ ଟିମ୍ ପହଞ୍ଚି ସାମ୍ପୁଲ ସଂଗ୍ରହ କରିଥିବା ସୂଚନା ମିଳିଛି ।

ଭିଡିଓ ଭାଇରାଲ୍ ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ, ଯଦି ମୋ ଦଳର ନେତା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦେଶର ସୁରକ୍ଷାକୁ ନେଇ ରାଜନୀତି ହେବା ଉଚିତ୍ ନୁହେଁ । ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ବୋଲି କେଜ୍ରିଓ୍ବାଲ କହିଛନ୍ତି ।

ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି କର୍ପୋରେଟର ତାହିର ହୁସେନ । ସେ କହିଛନ୍ତି ଯେ, ଅଙ୍କିତଙ୍କ ମୃତ୍ୟୁରେ ସେ ଦୁଃଖୀ । ଅଙ୍କିତଙ୍କ ପରିବାର ଲୋକଙ୍କ ସହ ସେ ଅଛନ୍ତି । ମୋତେ ଜଣାନାହିଁ ମୋ ଘର ଛାତରୁ କିଏ ପେଟ୍ରୋଲ ବମ୍ ଏବଂ ପଥର ଫିଙ୍ଗୁଥିଲା । ମୋ ଘରର ଦୂରୁପଯୋଗ କରାଯାଇଛି ବୋଲି ତାହିର ହୁସେନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.