Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଜି୨୦ ନେତାଙ୍କ ଫୋକସରେ କର୍ପୋରେଟ୍ ଟ୍ୟାକ୍ସ : ବିଶ୍ୱବ୍ୟାପୀ ଲାଗୁ ହେବ ସର୍ବନିମ୍ନ ୧୫% ଟିକସ, ସହମତି ପ୍ରକାଶ କଲେ ୧୩୬ ଦେଶ

31/10/2021 at 8:59 AM

ନୂଆଦିଲ୍ଲୀ,୩୧/୧୦: ବିଶ୍ୱବ୍ୟାପୀ ସର୍ବନିମ୍ନ ୧୫% କର୍ପୋରେଟ୍‌ ଟିକସ ଲାଗୁ ହେବ । ଏଥିପାଇଁ ନିକଟରେ ୧୩୬ ରାଷ୍ଟ୍ର ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଆଜିଠାରୁ ଆରମ୍ଭ ହୋଇଥିବା ଜି-୨୦ ରାଷ୍ଟ୍ର ସଦସ୍ୟଙ୍କ ଦୁଇଦିନିଆ ସମ୍ମିଳନୀରେ ମଧ୍ୟ ସର୍ବନିମ୍ନ କର୍ପୋରେଟ୍‌ ଟିକସ ଲାଗୁ ଉପରେ ଜୋର୍‌ ଦିଆଯାଇଛି । ୨୦୨୩ରୁ ଯେମିତି ବିଶ୍ୱବ୍ୟାପୀ ଏହି ବ୍ୟବସ୍ଥା ବାସ୍ତବ ରୂପ ନିଏ, ତାହାକୁ ସୁନିଶ୍ଚିତ କରାଯିବା ନେଇ ଆହ୍ୱାନ ଦିଆଯାଇଛି ।

ବର୍ତ୍ତମାନ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ବାଂଲାଦେଶ, ବ୍ରାଜିଲ, କାନାଡ଼ା, ଚୀନ୍‌, ଫ୍ରାନ୍ସ, ଇରାକ, ଜାପାନ, ପାକିସ୍ତାନ, ତୁର୍କୀ ଭଳି ଦେଶରେ ୨୦% ବା ତା’ଠାରୁ ଅଧିକ କର୍ପୋରେଟ୍‌ ଟିକସ ଲାଗୁ ହେଉଛି । ଏହା ବାଦ୍‌ କିଛି ରାଷ୍ଟ୍ର ସର୍‌ଚାର୍ଜ ବି ଲାଗୁ କରୁଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ସର୍ବନିମ୍ନ ଟିକସ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଦ୍ୱାରା ଅଧିକ ସୁଫଳ ମିଳିବ ବୋଲି ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି । ବ୍ରିଟେନ୍‌ ଚାନ୍‌ସେଲର୍‌ ରିଶି ସୁନକ୍‌ ଏହି ବ୍ୟବସ୍ଥାକୁ ପସନ୍ଦ କରିବା ସହ ଆଧୁନିକ ଯୁଗର ଅନ୍ତର୍ଜାତୀୟ ଟିକସ ବ୍ୟବସ୍ଥା ଉନ୍ନତ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ।

ରିଶି କହିଛନ୍ତି, ବିଶ୍ୱରେ ଏକ ସୁବ୍ୟବସ୍ଥିତ ଟିକସ ବ୍ୟବସ୍ଥା ପାଇଁ ଆମେ ରାସ୍ତା ସଫା କରିଛୁ । ବୃହତ୍‌ ବହୁଦେଶୀୟ କମ୍ପାନିମାନେ ସେମାନଙ୍କ ବ୍ୟବସାୟକୁ ଅଧିକ ବ୍ୟାପକ କରିପାରିବେ । ସେହିଭଳି ସର୍ବନିମ୍ନ ୧୫% କର୍ପୋରେଟ୍‌ ଟିକସକୁ ସମର୍ଥନ କରୁଥିବା ଅର୍ଥନୈତିକ ସମନ୍ୱୟ ଓ ବିକାଶ ସଂଗଠନ (ଓଇସିଡି) ଅତିକମ୍‌ରେ ଆସନ୍ତା ଦଶନ୍ଧି ପର୍ଯ୍ୟନ୍ତ ସର୍ବନିମ୍ନ କର୍ପୋରେଟ୍‌ ଟିକସ ଲାଗୁ ଉପରେ ଗୁରୁତ୍ୱ ଦେଇଛି । ଏହାଦ୍ୱାରା ପ୍ରତିବର୍ଷ ୧୫,୦୦୦ କୋଟି ଡଲାରର ଅତିରିକ୍ତ ଟିକସ ରାଜସ୍ୱ ଆୟ ହେବା ନେଇ ଏହା ଆଶାପ୍ରକାଶ କରିଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଶଗୁଡ଼ିକ ମଧ୍ୟରେ ‘ଟିକସ ପ୍ରତିଯୋଗିତା’ ହେବା ଉଚିତ ନୁହେଁ । ବରଂ ଏହାକୁ ସେମାନେ ସୀମିତ କରିଦେବା ଆବଶ୍ୟକ ।

ଶନିବାର ଆରମ୍ଭ ହୋଇଥିବା ଜି୨୦ ସମ୍ମିଳନୀରେ ରାଷ୍ଟ୍ରଗୁଡ଼ିକ ଏକ ଚିଠା ସଂକଳ୍ପନାମା ଜାରି କରିଛନ୍ତି । ଏଥିରେ ସର୍ବନିମ୍ନ ୧୫% କର୍ପୋରେଟ୍‌ ଟିକସ ଲାଗୁ ପାଇଁ ଆହ୍ୱାନ ଦିଆଯାଇଛି । ୨୦୨୩ରୁ ବିଶ୍ୱରେ ଏହି ବ୍ୟବସ୍ଥା ଲାଗୁ ହେବା ଆବଶ୍ୟକ ବୋଲି କୁହାଯାଇଛି । ରବିବାର ଚୂଡ଼ାନ୍ତ ସଂକଳ୍ପନାମା ଜାରି ହେବ । ଆମେରିକାର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ ସର୍ବନିମ୍ନ କର୍ପୋରେଟ୍‌ ଟିକସ ନିୟମ ଦ୍ୱାରା ବିଶ୍ୱ ଅର୍ଥନୀତି ନୂଆ ରୂପ ପାଇବ । ଗୁଗୁଲ୍‌, ଆମାଜନ୍‌, ଫେସ୍‌ବୁକ୍‌, ମାଇକ୍ରୋସଫ୍ଟ ଓ ଆପଲ୍‌ ଭଳି ଅନ୍ତର୍ଜାତୀୟ ବହୁଦେଶୀୟ କମ୍ପାନି ଏହାଦ୍ୱାରା ଉପକୃତ ହେବେ ଓ ସେମାନଙ୍କ ନିବେଶ ବୃଦ୍ଧି କରିବେ ।
ଉଲ୍ଲେଖଯୋଗ୍ୟ, ବହୁଦେଶୀୟ କମ୍ପାନିଙ୍କ ବିପୁଳ ଲାଭକୁ ଚାହିଁ ବିଭିନ୍ନ ରାଷ୍ଟ୍ର ଅଧିକ ଆୟ ଆଶାରେ ଟିକସ ବଢ଼ାଉଛନ୍ତି । ଫଳରେ କମ୍ପାନିମାନେ ସ୍ୱଳ୍ପ ଟିକସ ଲାଗୁ ହେଉଥିବା ଦେଶଗୁଡ଼ିକରେ ନିବେଶ ପାଇଁ ଉଚିତ ମଣୁଛନ୍ତି । ଏମିତି କି ହଠାତ୍‌ କର୍ପୋରେଟ୍‌ ଟିକସ ବଢ଼ାଉଥିବା ଦେଶରୁ ସେମାନେ ନିଜ ବ୍ୟବସାୟ ସ୍ଥାନାନ୍ତର କରିବାକୁ ବାଧ୍ୟ ହେଉଛନ୍ତି । ଏହାଦ୍ୱାରା ଟିକସ ବ୍ୟବସ୍ଥା ବିଶୃଙ୍ଖଳିତ ହୋଇପଡ଼ୁଛି ।

୧୯୮୦ ଦଶକ ବେଳକୁ ବିଶ୍ୱରେ ହାରାହାରି କର୍ପୋରେଟ୍‌ ଟିକସ ପରିମାଣ ୪୦%ରୁ ଅଧିକ ରହିଥିଲା । ୨୦୨୦ରେ ଅଧିକ ନିବେଶ ଟାଣିବା ଆଶାରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଜୋରଦାର ପ୍ରତିଯୋଗିତା ହେବା ଯୋଗୁ କର୍ପୋରେଟ୍‌ ଟିକସ ହାର ୨୫% ତଳକୁ ହ୍ରାସ ପାଇଥିଲା । କିନ୍ତୁ ପରେ ବିଭିନ୍ନ ଦେଶ ପୁଣି ଅତିରିକ୍ତ ଟିକସ ଲାଗୁ କରିବାରୁ ଏହା ହାରାହାରି ୩୫%କୁ ବୃଦ୍ଧି ପାଇଥିଲା ।

ନୂଆ ଟିକସ ବ୍ୟବସ୍ଥାରେ ରହିଥିବା ପ୍ରସ୍ତାବ ମୁତାବକ ସାରା ବିଶ୍ୱରେ ୧୫% କର୍ପୋରେଟ୍‌ ଟିକସ ଲାଗୁ ପରେ ସରକାରମାନେ ସେମାନଙ୍କ ଘରୋଇ କମ୍ପାନି ଉପରେ ‘ଟପ୍‌ ଅପ୍‌’ (ଅତିରିକ୍ତ) ଟିକସ ଲାଗୁ କରିପାରିବେ, ଯେଉଁମାନେ ୧୫%ରୁ କମ୍‌ ଟିକସ ଦେଉଛନ୍ତି । ଉଦାହରଣ ସ୍ୱରୂପ, ଏକ ଆମେରିକୀୟ କମ୍ପାନି ଯଦି ଆୟର୍ଲାଣ୍ଡରେ ଥିବା ସହଯୋଗୀ ସଂସ୍ଥାର ଲାଭ ଉପରେ ମାତ୍ର ୫% ଟିକସ ଦେଉଥାଏ, ଆମେରିକା ସରକାର ତାହା ଉପରେ ୧୦% ଅତିରିକ୍ତ ଟିକସ ଲାଗୁ କରିପାରିବେ । ଏହିଭଳି ଭାବେ ସରକାରଗୁଡ଼ିକ ପାଇଁ ବାର୍ଷିକ ୧୫,୦୦୦ କୋଟି ଡଲାରର ଅତିରିକ୍ତ ରାଜସ୍ୱ ଫାଇଦା ମିଳିପାରିବ ।

   Related Posts