କର୍ପୋରେଟ ସେକ୍ଟରକୁ ଆଇସୋଲେସନ ବ୍ୟବସ୍ଥାର ଅନୁମତି...

Published By : Prameya-News7 Bureau | July 13, 2020 IST

ଭୁବନେଶ୍ବର୧୩/୭: ଦେଶ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ଅଛି। କିନ୍ତୁ ଯେଉଁଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି ହସ୍ପିଟାଲରେ ରୋଗୀଙ୍କ ପରିଚାଳନା ହୋଇପାରେ ବିଗ୍‌ ଚ୍ୟାଲେଞ୍ଜ  । ଯେଉଁଥିପାଇଁ ଆଗୁଆ ରଣନୀତି ସ୍ଥିର କରିଛନ୍ତି ସରକାର । ଏବେ ଲକ୍ଷଣ ବିହୀନ କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ପାଇଁ ହୋମ୍ ଆଇସୋଲେସନ ପାଇଁ ଦିଆଯିବ ଅନୁମତି । ଏହି ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସମସ୍ତ ସହରାଞ୍ଚଳ, ଏନଏସି ଏବଂ ବ୍ଲକ ମୁଖ୍ୟାଳୟରେ ଏହି ସୁବିଧା ଉପଲବ୍ଧ କରିବାକୁ ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯେହେତୁ ରାଜ୍ୟରେ ଦେଖା ଦେଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣ ବିହୀନ ଅବା ସାମାନ୍ୟ ଲକ୍ଷଣ ଯୁକ୍ତ ସେଥି ପାଇଁ କୋଭିଡ ହସ୍ପିଟାଲରେ ଚାପ କମାଇବା ପାଇଁ ଏଭଳି ନିଷ୍ପତ୍ତି ହୋଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

ସରକାରୀ ଏବଂ ବେସରକାରୀ କର୍ପୋରେଟ୍ ସେକ୍ଟରକୁ ଆଇସୋଲେସନ ବ୍ୟବସ୍ଥା ପାଇଁ ଅନୁମତି ଦେଇଛନ୍ତି ସରକାର । ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ଟାଟା ଷ୍ଟିଲ୍, ସମସ୍ତ ବନ୍ଦର, ଇଷ୍ଟ କୋଷ୍ଟ ରେଲଓ୍ବେକୁ ଆଇସୋଲେସନ ବ୍ୟବସ୍ଥା କରିବାକୁ ଅନୁମତି ଦିଆଯାଇଛି । ସିଆରପିଏଫ, ଏନଡିଆରଏଫ, ସିଆଇଏସ୍ଏଫ୍, ଓଡ଼ିଶା ପୋଲିସ ଆଦି ସଂସ୍ଥାକୁ ମଧ୍ୟ ଅନୁମତି ମିଳିଛି । ଏହି ସବୁ ସଂସ୍ଥା ନିଜର କର୍ମଚାରୀଙ୍କ ପାଇଁ ଆଇସୋଲେସନ ସେଣ୍ଟର କରିପାରିବେ । ଏହାସହ ଧାର୍ମିକ ଅନୁଷ୍ଠାନ ଗୁରୁଦ୍ବାର, ମାରଓ୍ବାଡି ସମାଜ, ମଠ ମନ୍ଦିର ଏବଂ ବେସରକାରୀ ସଂସ୍ଥା ମାନଙ୍କୁ ଏହି ଅନୁମତି ଦିଆଯାଇଛି । ଯାହାର ଭିତ୍ତିଭୂମି ଥିବ ସେମାନେ ଆଇସୋଲେସନ ବ୍ୟବସ୍ଥା କରିପାରିବେ । ତେବେ ସେଲ୍ଫ ଆଇସୋଲେସନ ପାଇଁ ଅଣ୍ଡରଟେକିଂ ଦେବାକୁ ପଡିବ ।

ଏଚଆଇଭି, କ୍ୟାନ୍‌ସର ରୋଗୀ, ହୃଦରୋଗ ଭଳି ଗୁରୁତର ରୋଗରେ ଆକ୍ରାନ୍ତ ରୋଗୀ ଏବଂ ବୟସ୍କମାନଙ୍କୁ  ସେଲ୍‌ଫ ଆଇସୋଲେସନ ଅନୁମତି ଦିଆଯିବ ନାହିଁ । ଓଡ଼ିଶାରେ ଏବେ କରୋନା ଆରୋଗ୍ୟ ହାର ୬୫ ପ୍ରତିଶତ ଥିବା ​‌ବେଳେ ମୃତ୍ୟୁ ହାର ଭାରତରେ ସବୁଠୁ କମ୍ ଶୂନ ଦଶମିକ ୪୮ ପ୍ରତିଶତ ରହିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.