ଆମେରିକାରେ କରୋନା ଭାଇରସ୍ ଟୀକା ପରୀକ୍ଷା, ୪୫ଜଣ ସୁସ୍ଥ ବ୍ୟକ୍ତିଙ୍କୁ ପରୀକ୍ଷାମୂଳକ ଭାବେ ଦିଆଯିବ ଟୀକା
17/03/2020 at 9:07 AM

ଓ୍ବାଶିଂଟନ୍ ୧୭।୩: ଆମେରିକାରେ କରୋନା ଭାଇରସ୍ର ଟୀକା ନେଇ ପରୀକ୍ଷା ଆରମ୍ଭ । ପରୀକ୍ଷଣ ସଫଳ ହେଲେ ବର୍ଷେରୁ ଦେଢ଼ବର୍ଷରେ ଉପଲବ୍ଧ ହେବ ଏହି ଟୀକା । ସିଆଟଲରେ ଏହି ଟୀକାର ପରୀକ୍ଷା ଆରମ୍ଭ ହୋଇଛି । ସିଆଟଲରୁ ହିଁ ଆମେରିକାରେ କରୋନା ଭୂତାଣୁ ଦେଖାଦେଇଥିଲା ।

ଜଣେ ସ୍ବେଚ୍ଛାସେବୀଙ୍କୁ ପରୀକ୍ଷାମୂଳକ ଭାବେ ପ୍ରଥମ ଟୀକା ଦିଆଯାଇଛି । ୪୫ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ଏହି ପରୀକ୍ଷାମୂଳକ ଟୀକା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ୬ ସପ୍ତାହ ମଧ୍ୟରେ ଏହି ଟୀକା ପର୍ଯ୍ୟାୟକ୍ରମେ ଦିଆଯିବ । USA ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଏହା କହିଛି ।

ଏବେ ଟୀକା ଦିଆଯାଇଥିବା ବ୍ୟକ୍ତିଙ୍କୁ ନଜରରେ ରଖାଯିବ । ବିଭିନ୍ନ ଷ୍ଟେଜ ଦେଇ ବ୍ୟକ୍ତି ଜଣଙ୍କୁ ଗତି କରିବାକୁ ପଡ଼ିବ ଓ ଏହି ସମୟରେ କରୋନା ଭୂତାଣୁ ଟୀକା କେମିତି କାମ କରୁଛି, ତା ଉପରେ ନଜର ରହିବ । ଏହି ଟୀକାର ନାମ ରହିଛି MRNA-୧୨୭୩ ।