ଦେଶରେ ସାଙ୍ଘାତିକ ରୂପ ନେଉଛି କରୋନା, ସ୍ପେନକୁ ପଛରେ ପକାଇ ପଞ୍ଚମ ସ୍ଥାନକୁ ଉଠିଲା ଭାରତ

Published By : Prameya-News7 Bureau | June 07, 2020 IST

ନୂଆଦିଲ୍ଲୀ ୦୭।୦୬: ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା। ଦିନକୁ ଦିନ ସଂକ୍ରମିତ ମାମଲାରେ ନୂତନ ରେକର୍ଡ ହେବାରେ ଲାଗିଛି। ସ୍ଥିତି ଧୀର ଧୀରେ ସାଙ୍ଘାତିକ ରୂପ ନେବାକୁ ବସିଛି। ଏହି କ୍ରମରେ ଦୁନିଆର ସର୍ବାଧିକ କରୋନା ପ୍ରଭାବିତ ତାଲିକାରେ ଭାରତ ସ୍ପେନକୁ ପଛରେ ପକାଇ ପଞ୍ଚମ ସ୍ଥାନକୁ ଉଠିଛି। ଆମେରିକାର ଜନ୍ସ ହପକିନ୍ସ ବିଶ୍ଵ ବିଦ୍ୟାଳୟ ଅନୁଯାୟୀ ଭାରତରେ କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ଘଟି ୨, ୪୫, ୬୭୦ରେ ପହଞ୍ଚିଛି। ଏହି ମହାମାରୀରେ ୬୬୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି।

ଗତ ୨୪ ଘଣ୍ଟାରୁ କମ୍‌ ସମୟରେ ଭାରତ ଏହି ମହାମାରୀ ମାମଲାରେ ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଇଟାଲୀ ଓ ସ୍ପେନକୁ ଟପି ଯାଇଛି। ଏବେ ଆମେରିକା, ବ୍ରାଜିଲ, ରୁଷ ଓ ବ୍ରିଟେନ୍‌ ଭାରତଠୁ ଆଗରେ ଅଛନ୍ତି। ବିଶ୍ଵ ବିଦ୍ୟାଳୟର ତଥ୍ୟ ଅନୁଯାୟୀ ସ୍ପେନରେ ଅଦ୍ୟାବଧି ଏହି ମହାମାରୀରେ ୨ ଲକ୍ଷ ୪୧ ହଜାର ୩୧୦ ମାମଲା ସାମ୍ନାକୁ ଆସିଛି।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ୧ ଲକ୍ଷ ୧୫ ହଜାର ୯୪୨ ସଂକ୍ରମିତଙ୍କ ଉପଚାର ଚାଲିଥିବା ବେଳେ ୧ ଲକ୍ଷ ୧୪ ହଜାର ୦୭୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରୁ ଗତ ୨୪ ଘଣ୍ଟାରେ ୪,୬୧୧ ରୋଗୀ ସୁସ୍ଥ ହୋଇଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦେଶରେ ସୁସ୍ଥତାହାର ୪୮.୨୦ ପ୍ରତିଶତ ହୋଇଛି। ସଂକ୍ରମଣ ମାମଲାରେ ବିଦେଶୀ ନାଗରିକ ମଧ୍ୟ ସାମିଲ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଅଦ୍ୟାବଧି ୪୫ ଲକ୍ଷ ୨୪ ହଜାର ୩୧୭ ନମୂନା ଯାଞ୍ଚ କରାଯାଇଛି। ଏଥିରୁ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୭ ହଜାର ୯୩୮ ଜଣଙ୍କ ନମୂନା ଯାଞ୍ଚ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.