୪୦ ସେକେଣ୍ଡରେ କରୋନା ପରୀକ୍ଷା: ଫୁଙ୍କି ଦିଅନ୍ତୁ ଏବଂ ଫଟାଫଟ୍‌ ଜାଣନ୍ତୁ କୋଭିଡ୍‌ ଭାଇରସ୍‌ ଆପଶଙ୍କୁ ସଂକ୍ରମିତ କରିଛି କି ନା…

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୦୯/୧୦: ଦେଶରେ କରୋନା ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଟେଷ୍ଟିଂ ଅଧିକ ହୋଇପାରୁଥିବାରୁ ସଂକ୍ରମିତ ଚିହ୍ନଟ ସହଜ ହେଉଛି। ତେବେ​‌ ଟେଷ୍ଟିଂ ପ୍ରକ୍ରିୟା ଆହୁରି ସହଜ ହୋଇପାରିଲେ ସଂକ୍ରମିତ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିବ। ତେଣୁ ଇସ୍ରାଏଲ୍‌ ଓ ଭାରତର ମିଳିତ ଉଦ୍ୟମରେ ଏଭଳି ଏକ ​‌ଉପାୟର ସଫଳ ରୂପାୟନ ହୋଇପାରିଛି।

ଚୁଟ୍‌କିରେ କରୋନା ଟେଷ୍ଟ କରି ଫଳାଫଳ ଜାଣିବା ପାଇଁ ଆସିଛି ନୂଆ ଟେକ୍ନୋଲୋଜି। ଏହି ମେସିନ୍‌ ତିଆରି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ବାସ ଆଉ କିଛି ଦିନର ଅପେକ୍ଷା ତାପରେ ଏହି ଟେକ୍ନୋଲୋଜି ଦ୍ବାରା ଲୋକଙ୍କ କରୋନା ଟେଷ୍ଟ ହୋଇପାରିବ। ଏଥିରେ ଏକ ମିନିଟ୍‌ରୁ କମ୍‌ ସମୟ ମଧ୍ୟ​ରେ ଫଳାଫଳ ଜାଣିହେବ। ତେବେ ଏନେଇ ଭାରତରେ ଇସ୍ରାଏଲ୍‌ ରାଷ୍ଟ୍ରଦୂତ ରୋନ ମାଲ୍କା ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଇସ୍ରାଏଲ୍‌ ଓ ଭାରତର ଭଲ ତାଳମେଳ ପାଇଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି।

କେମିତି କାର୍ଯ୍ୟ କରିବ ରାପିଡ୍‌ ଟେଷ୍ଟ ଟେକ୍ନୋଲୋଜି
ଭାରତ ଓ ଇସ୍ରାଏଲ୍‌ର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେବାକୁ ଯାଉଥିବା ରାପିଡ୍‌ ଟେଷ୍ଟ ଟେକ୍ନୋଲୋଜି ଦ୍ବାରା  ୧ ମିନିଟ୍‌ରୁ କମ ସମୟ ମଧ୍ୟରେ ଜାଣି ହେବ ଜଣେ କରୋନା ପଜିଟିଭ୍‌ କି ନୁହେଁ। କେବଳ ଏକ ଟ୍ୟୁବ୍‌ରେ ଫୁଙ୍କି ଦେଲେ ଜଣାପଡ଼ିବ ଫଳାଫଳ। ୩୦,୪୦ କିମ୍ବା ୫୦ ସେକଣ୍ଡରେ ଫଳାଫଳ ମିଳିପାରିବ। ବିଶ୍ବ ପାଇଁ ଏହା ଏକ ଖୁସି ଖବର। ଏହାକୁ ଏୟାରପୋର୍ଟରେ ବି ବ୍ୟବହାର କରାଯାଇପାରିବ। ଏହି ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବ୍ୟୟ ସାପେକ୍ଷ ହେବ। କାରଣ ସାମ୍ପଲ୍‌ କୌଣସି ଲ୍ୟାବ୍‌କୁ ପଠାଇବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରୋନ୍‌ ମାଲ୍କା।

ଶବ୍ଦ ଦ୍ବାରା କରୋନା ଟେଷ୍ଟର ଟ୍ରାଏଲ୍‌
ଭାରତ ଓ ଇସ୍ରାଏଲ୍‌ର ମିଳିତ ଉଦ୍ୟମରେ ମୋଟ ୪ଟି ଟେଷ୍ଟ ଟେକ୍ନୋଲୋଜିର ଟ୍ରାଏଲ୍‌ ହୋଇଛି। ଭାରତରେ ଏଥିପାଇଁ ବହୁ ପରିମାଣରେ ସାମ୍ପଲ୍‌ ମଧ୍ୟ ସଂଗ୍ରହ କରାଯାଇଛି। ଏହି ଟେକ୍‌ନିକ୍‌ରେ ବ୍ରେଥ୍‌ ଆନାଲାଇଜର୍‌ ଓ ଭଏସ୍‌ ଟେଷ୍ଟ ମଧ୍ୟ ସାମିଲ ରହିଛି। ଏହା ସାହାଯ୍ୟରେ କରୋନା ଟେଷ୍ଟିଂ ସହଜ ହୋଇପାରିବ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.