Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଆଗ୍ରାରେ ପୁଣି ଫେରିଲା କରୋନା : ହଠାତ୍‌ ବଢିଗଲା ପଜିଟିଭ୍‌ଙ୍କ ସଂଖ୍ୟା

14/04/2020 at 2:28 PM

ଆଗ୍ରା ୧୪।୦୪: କରୋନା ଯୁଦ୍ଧରେ ଲଢ଼ିବା ପାଇଁ ଆଗ୍ରାକୁ ରୋଲ୍‌ ମଡେଲ ଭାବେ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଉଥିଲା । କିନ୍ତୁ ଆଗ୍ରାରେ କରୋନା ୟୁ-ଟର୍ଣ୍ଣ ନେଇଛି । ଏଠାରେ ସୋମବାର ପୁଣି ୩୫ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଫଳରେ ଆଗ୍ରାରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧୩୮ରେ ପହଞ୍ଚିଛି । ଏହା ପୂର୍ବରୁ ରବିବାର ଏଠାରେ ୧୨ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ କରାଯାଇଥିଲା । ଏହାଛଡ଼ା ଫତେପୁର ସିକ୍ରିରୁ ମଧ୍ୟ ୧୩ଟି ନୂଆ ମାମଲା ସାମ୍ନାକୁ ଆସିଛି । ପୂର୍ବରୁ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ଆଗ୍ରା ଆଗରେ ଥିଲା । କେନ୍ଦ୍ର ସରକାର ଏହାକୁ ‘ରୋଲ୍‌ ମଡେଲ୍‌’ ବୋଲି ଅଭିହିତ କରିଥିଲେ । ଅନ୍ୟ ଜିଲ୍ଲାଗୁଡ଼ିକୁ ଆଗ୍ରା ଭଳି ପଦକ୍ଷେପ ନେବାକୁ କହିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଦିଲ୍ଲୀରେ ଏକ ପ୍ରେସ ବିବୃତିରେ ଆଗ୍ରାକୁ ରୋଲ୍‌ ମଡେଲ୍‌ ଭାବେ ବିବେଚନା କରିଥିଲେ । ଆଗ୍ରାକୁ ପୂରା ଦେଶ ଅନୁସରଣ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଗ୍ରାରେ ନିଆଯାଉଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । କିନ୍ତୁ ରବିବାର ଏଠାରେ ୧୨ଟି ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ସବୁ ବଦଳି ଯାଇଥିଲା । ସୋମବାର ଦିନ ପୁଣି ୩୫ ନୂଆ ମାମଲା ଆସିବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି । ଏମିତି କି ଯୋଗୀ ଆଦିତ୍ୟନାଥ ସରକାର ମଧ୍ୟ ଚିନ୍ତାରେ ପଡ଼ିଛନ୍ତି । କେଉଁଥିପାଇଁ ଆଗ୍ରାରେ ପୁଣି ଏତେ ମାମଲା ଆସିଲା, ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି ।

ମିଳିଥିବା ସୂଚନା ମୁତାବକ ଆଗ୍ରାର ଏକ ହସ୍ପିଟାଲ ଏବେ କରୋନା ହଟ୍‌ସ୍ପଟ୍‌ରେ ପରିଣତ ହୋଇଛି । ଦୁଇଦିନରେ ଆସିଥିବା ମୋଟ ୪୭ଟି ମାମଲାରୁ ଏହି ହସ୍ପିଟାଲ୍‌ର ସର୍ବାଧିକ ରହିଛି । ଘରୋଇ ପାରସ ହସ୍ପିଟାଲରେ ଏକାକୀ ୨୦ଟି କରୋନା ମାମଲା ସାମ୍ନାକୁ ଆସିଛି । ଏହି ହସ୍ପିଟାଲରେ ହାଥରସ, ଅଲିଗଡ଼ ଏବଂ ଫିରୋଜାବାଦରୁ ବି ରୋଗୀ ଆସିଛନ୍ତି। ଏମାନଙ୍କ ବାବଦରେ ହସ୍ପିଟାଲ ନିକଟରେ କୌଣସି ସୂଚନା ନାହିଁ । ଏହାପରେ ଜିଲ୍ଲା ପ୍ରଶାସନ ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ମଧ୍ୟରେ ପାରସ ହସ୍ପିଟାଲକୁ ଆସିଥିବା ଲୋକଙ୍କୁ କଣ୍ଟ୍ରୋଲ ରୁମ୍‌ରେ ନିଜ ପରିଚୟ ଜଣାଇବାକୁ କୁହାଯାଇଥିଲା । କୁହାଯାଉଛି ଯେ ପର୍ଯ୍ୟନ୍ତ ଏମାନଙ୍କ ନମୁନା ରିପୋର୍ଟ ନ ଆସିଛି, ସେ ପର୍ଯ୍ୟନ୍ତ ବିପଦ ଟଳି ନାହିଁ । ୬୫ ବର୍ଷୀୟା ଜଣେ ମହିଳା କିଡ୍‌ନି ରୋଗରେ ପୀଡ଼ିତ ହୋଇ ପାରସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ମଥୁରାସ୍ଥିତ ନୟତି ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ ଆସିଥିଲା । ଏହାପରେ ପାରସ ହସ୍ପିଟାଲକୁ ସିଲ୍‌ କରାଯାଇଥିଲା । ରୋଗୀମାନଙ୍କୁ ଡିସ୍‌ଚାର୍ଜ କରିଦିଆଗଲା । ଏଠାକୁ ପ୍ରତିଦିନ ୨୫୦ରୁ ୩୦୦ ରୋଗୀ ଆସୁଥିଲେ । ଖାଲି ସେତିକି ନୁହେଁ, ପାରସ ହସ୍ପିଟାଲକୁ ପ୍ରତିଦିନ ସମସ୍ତ କର୍ମଚାରୀ ଘରୁ ହସ୍ପିଟାଲକୁ ଯିବାଆସିବା କରୁଥିଲେ । ତେଣୁ ସେମାନେ ଯଦି ସେହି ମହିଳା ସଂସ୍ପର୍ଶରେ ଆସିଥିବେ, ତା’ହେଲେ ସେମାନେ ବି କରୋନା ସଂକ୍ରମିତ ହେବା ଆଶଙ୍କା ରହିଛି । ଏଭଳି ସ୍ଥିତିରେ ପାରସ ହସ୍ପିଟାଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ମାର୍ଚ୍ଚ ୩ରେ ଆଗ୍ରାରେ ପ୍ରଥମ ମାମଲା
ଆଗ୍ରାରେ ପ୍ରଥମ କରୋନା ମାମଲା ମାର୍ଚ୍ଚ ୩ ତାରିଖରେ ଆସିଥିଲା । ଇଟାଲୀରୁ ଆଗ୍ରାର ଜଣେ ଜୋତା ବ୍ୟବସାୟୀଙ୍କ ପରିବାର ଲୋକ ଆସିଥିଲେ । ଏମାନଙ୍କ ମଧ୍ୟରେ ଜଣେ ପଜିଟିଭ ଥିଲେ । ପୂରା ୟୁପିରେ ଏହା କରୋନାର ବହୁତ ବଡ଼ ମାମଲା ଥିଲା । ଏହାପରେ ବିଦେଶରୁ ଆସିଥିବା ଲୋକମାନଙ୍କର ଯାଞ୍ଚ ଆରମ୍ଭ କରାଯାଇଥିଲା । ୩୩୬ ଲୋକଙ୍କ ନମୁନା ନିଆଯାଇଥିଲା, ଯେଉଁଥିରୁ ୧୧ ପଜିଟିଭ ଥିଲା । ଏହାପରେ ଆଗ୍ରା ଜିଲ୍ଲା ପ୍ରଶାସନ ବ୍ୟାପକ ରଣନୀତି ପ୍ରସ୍ତୁତ କରିଥିଲା । ଅଧିକରୁ ଅଧିକ ବିଦେଶ ଫେରନ୍ତାଙ୍କୁ ଖୋଜାଯାଇ ସେମାନଙ୍କୁ କ୍ୱାରେଣ୍ଟାଇନ କରାଯାଇଥିଲା । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ଖୋଜାଯାଇଥିଲା । ଏହାପରେ କରୋନା ମାମଲା ଏଠାରେ ଥମିଯାଇଥିଲା । ଫଳରେ ଆଗ୍ରା ସମସ୍ତଙ୍କ ପାଇଁ ରୋଲ୍‌ ମଡେଲ୍‌ ସାଜିଥିଲା ।

   Related Posts