ସ୍ପେନରେ ହାହାକାର ମଚାଇଲା କରୋନା, ୨୪ ଘଣ୍ଟାରେ ନେଇଗଲା ୧୦୦ ଜଣଙ୍କ ଜୀବନ
15/03/2020 at 8:38 PM

ମାଦ୍ରିଦ ୧୫।୦୩: ସଂପ୍ରତି କରୋନା ଦୁନିଆର ୧୩୪ ଦେଶକୁ କବଳିତ କରି ସାରିଛି। ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ଗତ ୨୪ ଘଣ୍ଟାରେ ସ୍ପେନର ଅବସ୍ଥା ସବୁଠୁ ଅଧିକ ଦୟନୀୟ ରହିଛି। ସ୍ପେନରେ ରବିବାର କରୋନା ଭୂତାଣୁର ସଂକ୍ରମଣରେ ପାଖାପାଖି ୨୦୦୦ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇଟାଲୀ ପରେ ସ୍ପେନ୍ ୟୁରୋପରେ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହେବାରେ ଦ୍ଵିତୀୟ ଦେଶ।
ସ୍ପେନ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୭୫୩ରେ ପହଞ୍ଚିଛି। ଏଥିରୁ ୨୮୮ ଜଣଙ୍କ ମୃତ୍ୟୁ ଘଟି ସାରିଛି। ପରିସ୍ଥିରିକୁ ଦୃଷ୍ଟିରେ ରଖି ସରକାର ପୂରା ଦେଶକୁ ପ୍ରାୟତଃ ବନ୍ଦୀ କରି ଦେଇଛନ୍ତି। ଲୋକଙ୍କୁ କାମରେ ଯିବା, ଔଷଧ ଓ ସାଗମ୍ରୀ କିଣିବା ବ୍ୟତୀତ ବାକି ଅନ୍ୟ କାମ ପାଇଁ ବାହାରକୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ଅନ୍ୟପଟେ ପାକିସ୍ତାନରେ ରବିବାର କରୋନା ସଂକ୍ରମଣର ୫ ନୂତନ ମାମଲା ସାମ୍ନାକୁ ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୩୩ରେ ପହଞ୍ଚିଛି। ଦ ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ନିଜର ରିପୋର୍ଟରେ କହିଛି ଯେ, ଶନିବାର ବଲୁଚିସ୍ତାନରୁ ଦୁଇ, କରାଚିରୁ ଦୁଇ ଓ ଇସଲାମାବାଦରୁ ଗୋଟିଏ ନୂତନ ମାମଲା ସାମ୍ନାକୁ ଆସିଥିଲା, ମାତ୍ର ରବିବାର ସୁଦ୍ଧା କରାଚିରେ ପାଞ୍ଚ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି।