କରୋନାକୁ ଅଟକାଇ ପାରିବ କଟକଣା: ୨ ବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ନହଟାଇବାକୁ ଚେତାଇଲେ ବୈଜ୍ଞାନିକ
15/04/2020 at 5:57 PM

ନୂଆଦିଲ୍ଲୀ ୧୫।୦୪: କରୋନା ଭାଇରସ୍ର ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ଦୁନିଆର ପ୍ରାୟତଃ ସବୁ ଦେଶକୁ ଲକ୍ଡାଉନ୍ ପରି କଠୋର ପଦକ୍ଷେପ ନେବାକୁ ବିବଶ ହେବାକୁ ପଡିଛି। ଭାରତରେ ୨୧ ଦିନିଆ ଲକ୍ଡାଉନ୍ ଶେଷ ହେବା ପରେ ଏହାକୁ ମେ ୩ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏହା ସହିତ ସାମାଜିକ ଦୂରତ୍ଵ ନିୟମକୁ ଆହୁରି କଡାକଡି କରାଯାଇଛି। ଅନେକ ଦେଶ ଆଶା ରଖିଛନ୍ତି ଯେ, ଲକ୍ଡାଉନ୍ ଓ ସାମାଜିକ ଦୂରତ୍ଵ ସହିତ କିଛି ମାସରେ ଏହି ମୁସ୍କିଲ ପରିସ୍ଥିତିରୁ ମୁକୁଳି ଯିବେ।
ମାତ୍ର ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ଯେ, କରୋନା ଭାଇରସ୍ ସଂକ୍ରମଣର ପ୍ରତିରୋଧ ଲାଗି ୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତ୍ଵର ସାହାରା ନେବାକୁ ପଡିପାରେ। ନୂତନ ଅଧ୍ୟୟନରେ ଗବେଷକମାନେ କହିଛନ୍ତି ଯେ, ଆଗାମୀ ସମୟରେ କରୋନା ଭାଇରସ୍ ପୁଣି ଥରେ ନିଜର ଭୟାବହ ଦେଖାଇପାରେ।

ଜର୍ଣ୍ଣାଲ ସାଇନ୍ସରେ ପ୍ରକାଶିତ ଗବେଷଣାରେ କୁହାଯାଇଛି ଯେ, କେବଳ ଥରୁଟିଏ ଲକ୍ଡାଉନ୍ କରି ଦେଲେ ମହାମାରୀକୁ ନିୟନ୍ତ୍ରଣ କରି ହେବ ନାହିଁ। ସଙ୍ଗରୋଧ ଉପାୟ ବିନା କରୋନା ଭାଇରସ୍ର ଦ୍ଵିତୀୟ ଲହର ଅଧିକ ଭୟାବହ ହୋଇପାରେ।
ହାଭାର୍ଡ ୟୁନିଭର୍ସିଟିରେ ମହାମାରୀ ବିଶେଷଜ୍ଞ ଓ ଅଧ୍ୟୟନର ଲେଖକ ମାର୍କ ଲିପସିଚ୍ କହିଛନ୍ତି, ସଂକ୍ରମଣ ଦୁଇଟି ଜିନିଷ ହେଲେ ବ୍ୟାପିଥାଏ, ଏକ ସଂକ୍ରମିତ ବ୍ୟକ୍ତି ଏବଂ ଦ୍ଵିତୀୟ ଦୁର୍ବଳ ରୋଗପ୍ରତିରୋଧଶକ୍ତି ଥିବା ଲୋକ। ଯେ ପର୍ଯ୍ୟନ୍ତ ଦୁନିଆର ଅଧିକାଂଶ ଜନସଂଖ୍ୟା ଭାଇରସ୍ ବିରୋଧରେ ପ୍ରତିରୋଧକ କ୍ଷମତା ବଢାଇ ନାହାନ୍ତି ସେ ପର୍ଯ୍ୟନ୍ତ ବଡ ସଂଖ୍ୟାରେ ଲୋକ୍ ଏହି ଭାଇରସ୍ରେ ସଂକ୍ରମିତ ହେବାର ଆଶଙ୍କା ବଜାୟ ରହିବ।

ଭ୍ୟାକସିନ୍ ବା ଚିକିତ୍ସାର ଆବିଷ୍କାର ନହେବା ସ୍ଥିତିରେ ୨୦୨୫ରେ କରୋନା ଭାଇରସ୍ ପୁଣି ଥରେ ପୂରା ଦୁନିଆକୁ ନିଜ କବଳକୁ ନେଇପାରେ। ମହାମାରୀ ବିଶେଷଜ୍ଞ ମାର୍କଙ୍କ କହିବା କଥା ବର୍ତ୍ତମାନ କରୋନା ଭାଇରସ୍ର ସଂକ୍ରମଣ ସ୍ଥିତିକୁ ଦେଖି ୨୦୨୦ର ଗ୍ରୀଷ୍ମ ଶେଷ ପର୍ଯ୍ୟନ୍ତ ମହାମାରୀ କେବେ ଶେଷ ହେବ ତାର ଭବିଷ୍ୟବାଣୀ କରିବା ଉଚିତ୍ ନୁହଁ।
ଅଧ୍ୟୟନ ଅନୁଯାୟୀ, ନୂତନ ଚିକିତ୍ସା, ଭ୍ୟାକସିନ୍ ଆସିବା ଓ ସ୍ଵାସ୍ଥ୍ୟ ବିଭାଗ ଉନ୍ନତ ହେବା ସ୍ଥିତିରେ ସାମାଜିକ ଦୂରତ୍ଵ ବାଧ୍ୟତାମୂଳକ ରହିବ ନାହିଁ। ମାତ୍ର ଦେଶଗୁଡିକୁ ୨୦୨୨ ପର୍ଯ୍ୟନ୍ତ ସର୍ଭିଲାନ୍ସ ଓ ସାମାଜିକ ଦୂରତ୍ଵ ଲାଗୁ କରିବାକୁ ପଡିପାରେ।

ଗବେଷକ ଲିପଚିସ୍ କହିଛନ୍ତି ଯେ, ଏହାର ସମ୍ଭାବନା ରହିଛି ଯେ, ଦୁନିଆ ପ୍ରାୟ ଏକ ବର୍ଷ ପାଇଁ କରୋନା ବିରୋଧରେ ଆଶିଂକ ସୁରକ୍ଷା ହାସଲ କରି ନେବ। ମାତ୍ର ଭାଇରସ୍ ବିରୋଧରେ ପୂର୍ଣ୍ଣ ସୁରକ୍ଷା ହାସଲ ପାଇଁ ଅନେକ ବର୍ଷ ଲାଗିପାରେ। ସଂପ୍ରତି ଆମେ କେବଳ ପୂର୍ବାନୁମାନ କରି ପାରିବା। ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖିବା ପରେ ସ୍ପଷ୍ଟ ହୋଇଛି ଯେ, ଥରୁଟିଏ ଲକ୍ଡାଉନ୍ କରୋନାରୁ ମୁକୁଳିବା ପର୍ଯ୍ୟାପ୍ତ ନୁହଁ। ପ୍ରତିବନ୍ଧକ ହଟିବା ପରେ ପୁଣି ଥରେ କରୋନା ସଂକ୍ରମଣ ବ୍ୟାପିବା ଆରମ୍ଭ ହୋଇ ଯାଇପାରେ।
ବୈଜ୍ଞାନିକଙ୍କ କହିବା କଥା ଭ୍ୟାକସିନ୍ ନହେବା ପର୍ଯ୍ୟନ୍ତ କରୋନା ଭାଇରସ୍ରୁ ସଂପୂର୍ଣ୍ଣ ସୁରକ୍ଷା ପାଇବା ମୁସ୍କିଲ ଅଟେ। ଆମେରିକା କରୋନା ଭାଇରସ୍ ଟାକ୍ସ ଫୋର୍ସର ସଦସ୍ୟ ଡ. ଆନ୍ଥୋନୀ ଫାଉଚି ଏହା ମଧ୍ୟ କହିଛନ୍ତି ଯେ, କରୋନା ଭାଇରସ୍ର ମୂଳତ୍ପାଟୋନ ଏତେ ସହଜ ନୁହଁ।