ଭାରତ ବିଷୟରେ ସତ ପ୍ରମାଣିତ ହେଉଛି ବୈଜ୍ଞାନିକଙ୍କ ପୂର୍ବାନୁମାନ, ଜୁଲାଇ ଶେଷ ସୁଦ୍ଧା ସଂକ୍ରମିତ ହେବେ ୨୧ ଲକ୍ଷ !

Published By : Prameya-News7 Bureau | June 09, 2020 IST

ନୂଆଦିଲ୍ଲୀ/ନ୍ୟୁୟର୍କ ୦୯।୦୬: ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO) ଭାରତ ସମେତ ଦକ୍ଷିଣ ଏସିଆ ଦେଶଗୁଡିକ ଲାଗି ଆଲର୍ଟ ଜାରି କରି କହିଛି, ଏଠାରେ ରହୁଥିବା ବଡ ଜନସଂଖ୍ୟା କରୋନା ଶିକାର ହୋଇ ପାରନ୍ତି। ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ମଙ୍ଗଳବାର ଏକ ଆକଳନ ଆଧାରରେ କହିଛନ୍ତି, ଜୁଲାଇ ଶେଷ ବେଳକୁ ଦିଲ୍ଲୀରେ ୫ ଲକ୍ଷରୁ ଅଧିକ ସଂକ୍ରମିତ ହୋଇ ପାରନ୍ତି। ଉଲ୍ଲେଖଯୋଗ୍ୟ, ଭାରତୀୟ ମୂଳ ନିବାସୀ ବୈଜ୍ଞାନିକ ଭ୍ରମର ମୁଖାର୍ଜୀ ମେ ୨୩ରେ ଦାବି କରିଥିଲେ ଯେ, ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ଦେଶରେ ୨୧ ଲକ୍ଷରୁ ଅଧିକ ସଂକ୍ରମିତ ହୋଇ ପାରନ୍ତି ଏବଂ କେସ୍‌ ପ୍ରତି ୧୩ ଦିନରେ ଦ୍ଵିଗୁଣିତ ହେବ।

ଭାରତ ସର୍ବାଧିକ କରୋନା ଭାଇରସ୍ ମାମଲାରେ ଦୁନିଆରେ ପଞ୍ଚମ ଏବଂ ଏସିଆରେ ପ୍ରଥମ ସ୍ଥାନରେ ରହିଛି। ୟୁନିଭର୍ସିଟି ଅଫ ମିସିଗନ ଓ ଜନ ହପକିନ୍ସ ୟୁନିଭର୍ସିଟି ଚେତାବନୀ ଦେଇଛନ୍ତି, ଭାରତରେ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ୨୧ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ପାରନ୍ତି। ୟୁନିଭର୍ସିଟି ଅଫ ମିସିଗନ ବାୟୋଷ୍ଟ୍ରାଟିଷ୍ଟିକ୍ସ ଓ ମହାମାରୀ ରୋଗ ବିଶେଷଜ୍ଞ ପ୍ରଫେସର ଭ୍ରମର ମୁଖାର୍ଜୀ ନ୍ୟୁଜ୍ ଏଜେନ୍ସି ରାଇଟର୍ସକୁ କହିଛନ୍ତି, ଭାରତରେ ଆଗକୁ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ। ଏହା ପୂର୍ବରୁ ପ୍ରଫେସର ମୁଖାର୍ଜୀଙ୍କ ଟିମ୍ ଏପ୍ରିଲ ମାସରେ ସର୍ବ ପ୍ରଥମେ କହିଥିଲେ ଯେ, ମେ ଦ୍ଵିତୀୟ ସପ୍ତାହ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ହୋଇପାରେ।

ମହାରାଷ୍ଟ୍ର-ଦିଲ୍ଲୀରେ ୧୨-୧୩ ଦିନରେ ଦ୍ଵିଗୁଣିତ ହେଉଛି କେସ୍

ପ୍ରଫେସର ଭ୍ରମର ମୁଖାର୍ଜୀଙ୍କ କହିବା ଅନୁଯାୟୀ ଭାରତରେ ସଂକ୍ରମଣ ବୃଦ୍ଧି ମାମଲା ଏବେ କମ  ହୋଇ ନାହିଁ। ସରକାରୀ ତଥ୍ୟ ଅନୁଯାୟୀ ଭାରତରେ କରୋନା ଭୂତାଣୁ ସଂକ୍ରମିତ ମାମଲା ପ୍ରତି ୧୩ ଦିନରେ ଦ୍ଵିଗୁଣିତ ହେଉଛି। ତେଣୁ ସରକାରଙ୍କୁ ଲକ୍‌ଡାଉନ୍‌ରେ କରାଯାଉଥିବା କୋହଳ ମୁସ୍କିଲ ସ୍ଥିତି ଉତ୍ପନ କରିପାରେ। ମଙ୍ଗଳବାର ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି, ରାଜ୍ୟରେ ୧୨ ଓ ୧୩ ଦିନରେ କରୋନା କେସ୍‌ ସଂଖ୍ୟା ଦ୍ଵିଗୁଣିତ ହେଉଛି। ତେଣୁ ଭ୍ରମର ମୁଖାର୍ଜୀଙ୍କ ଆକଳନ ସତ୍ୟ ସାବ୍ୟସ୍ତ ହେଉଥିବା ନଜର ଆସୁଛି। ଜୁନ୍ ୧୫ ସୁଦ୍ଧା ଦେଶର ରାଜଧାନୀ ଦିଲ୍ଲୀରେ ୪୪୦୦୦ ମାମଲାର ହେବାର ଆଶଙ୍କା ରହିଛି। ତେଣୁ ଦିଲ୍ଲୀର ହସ୍ପିଟାଲଗୁଡିକରେ ଚିକିତ୍ସା ପାଇଁ ୬୦୦୦ ଶଯ୍ୟାର ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.