ଖୁସି ଖବର : ପ୍ଲାଜମା ଥେରାପି ଦ୍ବାରା ସୁସ୍ଥ ହେଉଛନ୍ତି କରୋନା ରୋଗୀ

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ ୨୧।୪: ଦେଶରେ ବର୍ତ୍ତମାନ ୧୮ ହଜାରରୁ ଅଧିକ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଲେଣି । ଏହାସହ ୫୯୦ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି । ଏଭଳି ପରିସ୍ଥିତିରେ ଦିଲ୍ଲୀର ସାକେତର ମ୍ୟାକ୍ସ ହସ୍ପିଟାଲରୁ ଏକ ଖୁସି ଖବର ଆସିଛି । ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ ସେମାନଙ୍କ ହସ୍ପିଟାଲରେ ଦିଲ୍ଲୀର ଜଣେ ରୋଗୀ ଭର୍ତ୍ତି ହୋଇଛନ୍ତି, ଯିଏକି ପୂର୍ବରୁ ଗୁରୁତର ଅବସ୍ଥାରେ ଥିଲେ । କିନ୍ତୁ ତାଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା କରିବା ପରେ ସେ ବହୁତ ଶୀଘ୍ର ସୁସ୍ଥ ହେଉଛନ୍ତି ।

୪୯ ବର୍ଷ ବୟସ୍କ ବ୍ୟକ୍ତି ଦିଲ୍ଲୀ ବାସିନ୍ଦା । ଅପ୍ରେଲ ୪ରେ ସେ କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ନ୍ୟୁଜ୍ ଏଜେନ୍ସି ANI ଟ୍ବିଟ୍ କରି ଏହି ସୂଚନା ଦେଇଛି । ଏହା ମଧ୍ୟ କୁହାଯାଇଛି ଯେ ଯେତେବେଳେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ସେ ମଧ୍ୟମ ସ୍ତରର କରୋନା ସଂକ୍ରମଣ ଦେଇ ଗତି କରୁଥିଲେ ।

ଆଗାମୀ କିଛି ଦିନ ମଧ୍ୟରେ ତାଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗିଲା ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି । ତାଙ୍କର ଟାଇପ୍-୧ ରେସପିରେଟୋରୀ ଫେଲୁଅର ସହିତ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ସେହି ରୋଗୀଙ୍କୁ ଅପ୍ରେଲ ୮ରେ ଭେଣ୍ଟିଲେଟରରେ ରଖାଯାଇଥିଲା । ଯେତେବେଳେ ରୋଗୀଙ୍କ ପରିବାର ଦେଖିଲେ ଯେ ତାଙ୍କ ଅବସ୍ଥାରେ ସୁଧାର ଆସୁନାହିଁ, ସେମାନେ ପ୍ଲାଜମା ଥେରାପି ସହିତ ଚିକିତ୍ସା କରିବାକୁ କହିଥିଲେ ।

ଅପ୍ରେଲ ୧୪ରେ ଡାକ୍ତରଖାନାର ଡାକ୍ତରମାନେ ପ୍ଲାଜମା ଥେରାପିରେ ଚିକିତ୍ସା ଆରମ୍ଭ କରିଥିଲେ । ଏହାପରେ ରୋଗୀର ଅବସ୍ଥା ସୁଧୁରିବାରେ ଲାଗିଲା । ୪ ଦିନ ପରେ ଅପ୍ରେଲ ୧୮ରେ ରୋଗୀକୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା । ବର୍ତ୍ତମାନ ରୋଗୀଙ୍କ ଅବସ୍ଥା ସ୍ବାଭାବିକ ହୋଇଛି । ଡାକ୍ତରଖାନା କର୍ତ୍ତୃପକ୍ଷ କହିଛି ଯେ ତାଙ୍କର ଦୁଇଟି କରୋନା ପରୀକ୍ଷା ନେଗେଟିଭ ଆସିଛି ।

କୋଭାଲାଣ୍ଟ ପ୍ଲାଜମା ଥେରାପି ଚିକିତ୍ସା ହେଉଛି ଚିକିତ୍ସା ବିଜ୍ଞାନର ଏକ ମୌଳିକ କୌଶଳ । ପ୍ରାୟ ୧୦୦ବର୍ଷ ଧରି ବିଶ୍ବ ଏହାକୁ ବ୍ୟବହାର କରି ଆସୁଛି । ଏହା ଅନେକ କ୍ଷେତ୍ରରେ ଲାଭଦାୟକ ବୋଲି ଜଣାପଡିଛି ଏବଂ କରୋନା ସଂକ୍ରମିତ ରୋଗୀମାନଙ୍କ ପାଇଁ ଲାଭଦାୟକ ହେଉଛି । ଏହି କୌଶଳ ମଧ୍ୟ ନିର୍ଭରଯୋଗ୍ୟ ଅଟେ । ବୈଜ୍ଞାନିକମାନେ ପୁରୁଣା ରୋଗୀଙ୍କ ରକ୍ତରେ ନୂଆ ରୋଗୀଙ୍କୁ ଚିକିତ୍ସା କରନ୍ତି । ପୁରୁଣା ଅସୁସ୍ଥ ରୋଗୀଙ୍କ ରକ୍ତ ନେଇ ସେଥିରୁ ପ୍ଲାଜମା ବାହାର କରାଯାଇଥାଏ । ତାପରେ ଏହି ପ୍ଲାଜମା ଅନ୍ୟ ରୋଗୀର ଶରୀରରେ ପ୍ରୟୋଗ କରାଯାଇଥାଏ । ପୁରୁଣା ରୋଗୀର ରକ୍ତ ଭିତରେ ଥିବା ଭାଇରସ୍ ସହିତ ଲଢିବା ପାଇଁ ଆଣ୍ଟିବଡି ଗଠନ ହୁଏ । ଏହି ଆଣ୍ଟିବଡିଗୁଡିକ ଭାଇରସ୍ ସହିତ ଲଢନି ସେଗୁଡିକୁ ନଷ୍ଟ କରନ୍ତି । ଏହି ଆଣ୍ଟିବଡିଗୁଡିକ ମୁଖ୍ୟତଃ ରକ୍ତ ପ୍ଲାଜାମାରେ ରହିଥାଏ ।

ମନୁଷ୍ୟ ରକ୍ତରେ ସାଧାରଣତ ୫୫ ପ୍ରତିଶତ ପ୍ଲାଜମା, ୪୫ ପ୍ରତିଶତ ଲାଲ ରକ୍ତ କଣିକା ଏବଂ ୧ ପ୍ରତିଶତ ଧଳା ରକ୍ତ କଣିକା ରହିଥାଏ । ପ୍ଲାଜମା ଥେରାପି ଦ୍ବାରା ରୋଗୀ କୌଣସି ରୋଗ ସହ ଲଢିବାର କ୍ଷମତା ବିକାଶ କରେ । କୋଭାଲାଣ୍ଟ ପ୍ଲାଜମା ଚିକିତ୍ସା SARS ଏବଂ ମର୍ସ ପରି ମହାମାରୀରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହୋଇଥିଲା । ଏହି କୌଶଳ ଦ୍ବାରା ଅନେକ ରୋଗକୁ ହରାଯାଇଛି । ଅନେକ ରୋଗ ମୂଳରୁ ବିଲୋପ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.