ଭାରତୀୟଙ୍କ ଏହି ଖରାପ ଅଭ୍ୟାସ ଯୋଗୁଁ ବ୍ୟାପୁଛି କରୋନା ଭାଇରସ୍ : ହେବ କଠୋର କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | May 15, 2020 IST

କରୋନା ଭାଇରସରୁ ବର୍ତ୍ତିବା ପାଇଁ ବାରମ୍ବାର ହାତ ଧୋଇବା,ସଫା-ସୁତୁରା ରଖିବା ଏବଂ ସୋସିଆଲ୍ ଡିସଟ୍ୟାନସିଂ ରଖିବାର ପରାମର୍ଶ ଦିଆଯାଏ। ଏହା ବ୍ୟତୀତ ଆମକୁ ଏପରି ଅଭ୍ୟାସ ମଧ୍ୟ ଛାଡ଼ିବାକୁ ପଡ଼ିବ ଯାହା ଦ୍ବାରା କରୋନା ଭାଇରସ ବ୍ୟାପିବାରେ ସାହାଯ୍ୟ ମିଳି ପାରିବ।

ଭାରତରେ ପ୍ରାୟତଃ ଲୋକଙ୍କ ରାସ୍ତାରେ ଯାଉଥିବାବେଳେ କିମ୍ବା ସାର୍ବଜନିକ ସ୍ଥାନରେ ଛେପ ପକାଇବାର ଅଭ୍ୟାସ ରହିଛି। ରାସ୍ତାରେ ଛେପ ପକାଇବା କେବଳ ଯେ ଅଶିଷ୍ଟତା ତା’ ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ। କରୋନା ଭାଇରସ୍ ଛେପ ପକାଇବା ଦ୍ବାରା ମଧ୍ୟ ବ୍ୟାପିଥାଏ। କରୋନାରେ ସଂକ୍ରମିତ କୌଣସି ବ୍ୟକ୍ତି ଯଦି ଖୋଲା ସ୍ଥାନରେ ଛେପ ପକାଇଥାଏ ତେବେ ତାର ମୁହଁର ଲାଳ ୨୪ଘଣ୍ଟା ମଧ୍ୟରେ ସଂକ୍ରମଣ ସୃଷ୍ଟି କରିଥାଏ। ଏଥିପାଇଁ ଛେପ ପକାଇବାକୁ ରୋକିବା ପାଇଁ ଏକ ଅଭିଯାନ ଭଳି ଚଲାଇବା ଉଚିତ୍ ଯାହା ଦ୍ବାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ।

ଅନେକ ଲୋକଙ୍କୁ ଯେକୌଣସି ସ୍ଥାନରେ ଛେପ ପକାଇବାର ଅଭ୍ୟାସ ରହିଛି ଯେପରିକି ଚାଲିବା ବେଳେ,ଗାଡ଼ି ଚଲାଇବା ବେଳେ  କିମ୍ବା ଗାଡ଼ି​ରେ ବସି ବସି। ଛେପରେ ଜୀବିତ କୀଟାଣୁ ଥାନ୍ତି। ଯେତେବେଳେ କୌଣସି ବ୍ୟକ୍ତି ଛେପ ପାଖ ଦେଇ ଅତିକ୍ରମ କରିଥାଏ ସେତେବେଳେ ଏହି ଡ୍ରପଲେଟ୍ସ ମୁହଁ,ନାକ ଏବଂ ଆଖି ଜରିଆରେ ପ୍ରବେଶ କରି ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାନ୍ତି। ଏହା ବ୍ୟତୀତ ଛେପରେ କେବଳ ଲାଳ ନଥାଏ ବରଂ ବେଳେବେଳେ ଏଥିରେ କଫ ମଧ୍ୟ ରହିଥାଏ ଯେଉଁଥିରେ ଅନେକ ପ୍ରକାରର ଜୀବାଣୁ ରହିଥାନ୍ତି।

ପାନ ଖାଉଥିବା ବ୍ୟକ୍ତି ଅଧିକ ଛେପ ପକାଇ ଥାଆନ୍ତି। ଯଦି କୌଣସି ବ୍ୟକ୍ତି ଛେପ ପାଖ ଦେଇ ଅତିକ୍ରମ କରିଥାନ୍ତି ତେବେ ସେହି ସ୍ଥାନକୁ ଛୁଇଁବାରୁ ନିବୃତ୍ତ ରହିବା ଉଚିତ୍। ଯଦି ଛେପ ଭୁଲରେ ପୋଷାକରେ ଲାଗିଯାଏ ତେବେ ଶୀଘ୍ର ପୋଷାକ ବଦଳି ଦିଅନ୍ତୁ ଏବଂ ଏହା ପରେ ସେହି ପୋଷାକକୁ ଗରମ ପାଣିରେ ଧୋଇ ଜୀବାଣୁରହିତ କରି ଦିଅନ୍ତୁ।

ଯଦି ବାହାରକୁ ଗଲେ ଆପଣଙ୍କୁ ଛେପ ପକାଇବା ଆବଶ୍ୟକ ହେଉଛି ତେବେ ଏହାକୁ ଅତ୍ୟନ୍ତ ସାବଧାନତାର ସହ କରନ୍ତୁ। ନିଜ ସହ ଟିସୁ ପେପର ନେଇଯାଆନ୍ତୁ ଏବଂ ଛେପ କିମ୍ବା କଫ ବାହାର କରିବା ପରେ ଏହାକୁ ତୁରନ୍ତ ଡଷ୍ଟବିନରେ ପକାନ୍ତୁ। ଯଦି ଆପଣଙ୍କର ଥଣ୍ଡା,ତଣ୍ଟି ଦରଜ ଏବଂ ଛିଙ୍କିବା ଭଳି ଲକ୍ଷଣ ଦେଖାଯାଉଛି ତେବେ ବାହାରକୁ ଯାଆନ୍ତୁ ନାହିଁ।

କରୋନା ଭାଇରସ ବ୍ୟାପିବାର ଆଶଙ୍କା ଯୋଗୁଁ ଗୁଜୁରାଟ ସରକାର ପୂର୍ବରୁ ସାର୍ବଜନିକ ସ୍ଥାନରେ ଛେପ ପକାଇବା ଉପରେ କଟକଣା ଲଗାଇଛି। ଏହା ଗୁଜୁରାଟରେ ଏକ ଦଣ୍ଡନୀୟ ଅପରାଧ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ ରେଡିଓ କାର୍ଯ୍ୟକ୍ରମରେ ‘ମନ କି ବାତ’ରେ ଲୋକଙ୍କୁ ସାର୍ବଜନିକ ସ୍ଥାନରେ ଛେପ ନ ପକାଇବାକୁ ଅପିଲ କରି ସାରିଛନ୍ତି। ନିଜ କାର୍ଯ୍ୟକ୍ରମରେ ମୋଦି କହିଥିଲେ ଯେ ସାର୍ବଜନିକ ସ୍ଥାନରେ ଛେପ ପକାଇବା ଭୁଲ୍ ବୋଲି ଜଣା ଥିବା ସତ୍ବେ ଲୋକେ ଏହି ଭୁଲ୍ କରୁଛନ୍ତି ଯାହାକୁ ଏବେ ରୋକିବାର ସମୟ ଆସି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.