ଶୁକ୍ରବାର ସକାଳ ୯ଟାରେ ଦେଶବାସୀଙ୍କୁ ସନ୍ଦେଶ ଜାରି କରିବେ ପ୍ରଧାନମନ୍ତ୍ରୀ ମୋଦୀ, କଣ ବଡ ଘୋଷଣା ହେବ କି ? ବଢୁଛି ଉତ୍କଣ୍ଠା
2/04/2020 at 6:14 PM

ନୂଆଦିଲ୍ଲୀ ୦୨।୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ୍ ବିରୋଧରେ ଦେଶର ଲଢେଇ ଉପରେ ପ୍ରତି ମୁହୂର୍ତ୍ତ ନଜର ରଖିଛନ୍ତି। ଏହି ମହାମାରୀର ମୁକାବିଲା ପାଇଁ ସେ କ୍ରମାଗତ ରାଜ୍ୟ, ପ୍ରଶାସନିକ ଅଧିକାରୀ, ଡାକ୍ତର ଓ ଆଗ ଧାଡିରେ ରହୁଥିବା ଓ୍ଵାରିୟର୍ସଙ୍କ ସହ କ୍ରମାଗତ ଯୋଗାଯୋଗରେ ଅଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ସକାଳ ୯ଟାରେ ଦେଶବାସୀଙ୍କୁ ସନ୍ଦେଶ ଜାରି କରିବେ। ଏହା ରାଷ୍ଟ୍ର ନାମରେ ସମ୍ବୋଧନ ପରି ହେବ ନାହିଁ ବରଂ ଏକ ଛୋଟ ଭିଡିଓ ସନ୍ଦେଶ ହେବ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ସେ ଶୁକ୍ରବାର ସକାଳ ୯ଟାରେ ଦେଶବାସୀଙ୍କ ପାଇଁ ଭିଡିଓ ସନ୍ଦେଶ ଜାରି କରିବେ। କରୋନା ଭାଇରସ୍ ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଏ ପର୍ଯ୍ୟନ୍ତ ଦୁଇ ଥର ଦେଶବାସୀଙ୍କୁ ସମ୍ବୋଧନ କରି ସାରିଛନ୍ତି। ପ୍ରଥମ ଥର ସେ ମାର୍ଚ୍ଚ ୧୯ରେ ଏବଂ ଦ୍ଵିତୀୟ ଥର ମାର୍ଚ୍ଚ ୨୪ରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସକାଳେ ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି ଯେ, କରୋନା ଭାଇରସ୍ ବିରୋଧୀ ଲଢେଇରେ ଧର୍ମଗୁରୁଙ୍କ ସହଯୋଗ ନିଅନ୍ତୁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଟେଷ୍ଟିଂ, ଟ୍ରେସିଙ୍ଗ, ଆଇସୋଲେସନ ଓ କ୍ଵାରେଣ୍ଟାଇନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍।