କରୋନାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ଜାଣନ୍ତୁ ଲୋକକଥା ଓ ବାସ୍ତବିକ ତଥ୍ୟ ବିଷୟରେ …

Published By : Prameya-News7 Bureau | March 09, 2020 IST

ନୂଆଦିଲ୍ଲୀ ୦୯।୦୩- ଚୀନର ଉହାନରୁ  ଉତ୍ପନ କରୋନା ସଂପ୍ରତି ବିଶ୍ଵର ୧୦୯ ଦେଶକୁ ବ୍ୟାପି ସାରିଛି। ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ଟପିଛି। କରୋନାକୁ ନେଇ ଅନେକ ପ୍ରକାରର ଲୋକକଥା କଥା ଓ ଉଡା କଥା ବ୍ୟାପିବାରେ ଲାଗିଛି। ଅନ୍ୟପଟେ ପ୍ରଚାରିତ ଗୁଜବ ନେଇ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏକ ଆଡଭାଇଜରି ଜାରି କରିଛି, ଯେଉଁଠି ଲୋକକଥାକୁ ନେଇ ଲୋକେ କରୋନା ଭଲ ହେବାର ଗୁଜବ ପ୍ରତି ଲୋକଙ୍କୁ ସତର୍କ କରାଯାଇଛି। ଆସନ୍ତୁ ଜାଣିବା ଠିକ୍ କେଉଁଟା…

କଣ ଥଣ୍ଡା ପରିବେଶ ଓ ବରଫ କରୋନାକୁ ମାରି ଦେବ

ଏହି ତଥ୍ୟକୁ ବିଶ୍ଵାସ କରିବାର କୌଣସି କାରଣ ନାହିଁ ଯେ, ଥଣ୍ଡା ପରିବେଶରେ କରୋନା ଓ ଅନ୍ୟ ରୋଗ ଭୂତାଣୁ ନଷ୍ଟ ହୋଇଯିବ। ସାଧାରଣତଃ ମଣିଷ ଶରୀରର ତାପମାତ୍ରା ପାଖାପାଖି ୩୬.୫ ଡିଗ୍ରୀରୁ ୩୭ ଡିଗ୍ରୀ ରହିଥାଏ। ସେପୁଣି ବାହ୍ୟ ତାପମାତ୍ରା ଓ ପରିବେଶ ଅନୁସାରେ ରହିଥାଏ। କରୋନାରୁ ନିଜକୁ ରକ୍ଷା କରିବାକୁ ସବୁଠୁ ଭଲ ଉପାୟ ନିଜର ହାତକୁ ସର୍ବଦା ସଫା ରଖନ୍ତୁ।

କଣ ଗରମ ପାଣିରେ ଗାଧୋଇଲେ କରୋନା ଭୂତାଣୁକୁ ରୋକି  ହେବ

ଗରମ ପାଣିରେ ଗାଧୋଇଲେ କଦାପି କରୋନା ଭୂତାଣୁର ପ୍ରଭାବକୁ କମ କରାଯାଇ ପାରିବ ନାହିଁ। ମଣିଷ ଶରୀରର ତାପମାତ୍ରା ୩୬.୫ ଡିଗ୍ରୀରୁ ୩୭ ଡିଗ୍ରୀ ରହିଥାଏ। ତେଣୁ ଗରମ ପାଣିରେ ଗାଧୋଇଲେ କରୋନା ଭୂତାଣୁ ମରିବା ତର୍କ ଭିତ୍ତିହୀନ ଅଟେ। ଓଲଟା ଅତ୍ୟଧିକ ଗରମ ପାଣିରେ ଗାଧୋଇବା ସ୍ଵାସ୍ଥ୍ୟ ପକ୍ଷେ କ୍ଷତିକାରକ ଏବଂ ଏହା ନିଜ ଶରୀରର ଅଙ୍ଗକୁ ପୋଡି ଦେଇପାରେ। ସବୁଠୁ ଭଲ ଉପାୟ ନିଜ ହାତକୁ ସର୍ବଦା ସାବୁନ ପାଣିରେ ଧୋଇ ସଫା ରଖନ୍ତୁ। ହାତରେ ନାକ, ଆଖି, କାନ ଓ ପାଟିକୁ ବାରମ୍ବାର ଛୁଅନ୍ତୁ ନାହିଁ।

କଣ ନୂତନ କରୋନା ଭୂତାଣୁ ଚୀନରୁ ଆସୁଥିବା ସାମଗ୍ରୀରେ ରହିଛି

ନୂତନ କରୋନା ଭୂତାଣୁ ଚଟ୍ଟାଣ କିମ୍ବା ବସ୍ତୁରେ କେବଳ କିଛି ଘଣ୍ଟା କିମ୍ବା କିଛି ଦିନ ରହିଥାଏ। ସେ ପୁଣି ବସ୍ତୁର ଉପରିଭାଗ ଉପରେ ନିର୍ଭର କରେ। ଏହା ଏକ ଭୁଲ କଥା ଯେ, କୌଣସି ବସ୍ତୁ ଗତି କରିବା ସହିତ କରୋନା ସେଥିରେ ବ୍ୟାପଥାଏ। କାରଣ ବସ୍ତୁଟି ବିଭିନ୍ନ ପରିବେଶ, ତାପମାତ୍ରା ଦେଇ ଗତି କରିଥାଏ। ଯଦି ଆପଣଙ୍କୁ ଲାଗୁଛି ଯେ, କୌଣସି ବସ୍ତୁ ଛୁଇଁ ଦେଲେ କରୋନା ସଂକ୍ରମିତ ହୋଇ ପାରନ୍ତି। ତେବେ ନିଜ ହାତକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ସହିତ ଥଣ୍ଡା, କାଶରେ ପୀଡିତ ବ୍ୟକ୍ତିଙ୍କଠୁ ଦୂରେଇ ରୁହନ୍ତୁ।

କଣ ହ୍ୟାଣ୍ଡ ଡ୍ରାୟର କରୋନା ଭୂତାଣୁ ମାରିପାରେ

ହ୍ୟାଣ୍ଡ ଡ୍ରାୟରରେ  କରୋନା ଭୁତାଣୁ ନଷ୍ଟ ହୁଏ ନାହିଁ। ମାରାତ୍ମକ କରୋନା ଭୂତାଣୁରୁ ନିଜକୁ ରକ୍ଷା କରିବାକୁ ହେଲେ ପୁଣି ଥରେ କହି ରଖୁଛୁ  ନିଜ ହାତକୁ ସାବୁନ ପାଣିରେ ଭଲ ଭାବେ ସଫା ରଖନ୍ତୁ।

ନିଜ ନାକକୁ ନିର୍ମଳ ଜଳ ଦ୍ଵାରା ଧୋଇଲେ କରୋନା ରୋକି ହେବ କି

ଏହାର କୌଣସି ପ୍ରମାଣ ନାହିଁ ଯେ, ନିୟମିତ ସାଲାଇନ ପାଣିରେ ନାକ ଧୋଇଲେ ନୂତନ କରୋନା ଭୂତାଣୁ ପ୍ରଭାରୁ ରୋକି ହେବ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ।

ପଶୁ ପକ୍ଷୀ କରୋନା ସଂକ୍ରମଣର କାରକ ନୁହନ୍ତି

ସଂପ୍ରତି ଏହାର କୌଣସି ପ୍ରମାଣ ନାହିଁ ଯେ, ଗୃହପାଳିତ ପଶୁ ଯେପରି ବିଲେଇ କିମ୍ବା କୁକୁର ହେଉଛନ୍ତି କରୋନା ବାହକ। ତେଣୁ ବିଲେଇ ଓ କୁକୁର ପକ୍ଷରୁ ନୂତନ କରୋନା ସଂକ୍ରମଣର କୌଣସି ବିପଦ ନାହିଁ।

କଣ ଆପଣଙ୍କୁ ମାକ୍ସ ପିନ୍ଧିବା ଜରୁରୀ ?

ଜଣେ ସୁସ୍ଥ ମଣିଷଙ୍କୁ ମୁହଁରେ ମୁଖା ପିନ୍ଧିବାର ଆଦୌ ଜରୁରୀ ନୁହଁ। ଯଦି କାହାକୁ ସର୍ଦ୍ଦି-କାଶ ହେଉଛି ଏବଂ ସେ ଚାହାନ୍ତି ଯେ, ଏହାର ସଂକ୍ରମଣ ଅନ୍ୟ କାହାରିକୁ ନହେଉ ତେବେ ଉକ୍ତ ବ୍ୟକ୍ତି ମାକ୍ସ ପିନ୍ଧି ପାରିବେ। ସେ କହିଛନ୍ତି ଏନ-୯୫ ମାକ୍ସ କେବଳ ସେହି ଲୋକଙ୍କୁ ପିନ୍ଧିବା ଦରକାର ଯିଏ ରୋଗୀଙ୍କ ଚିକିତ୍ସା କରୁଥିବେ। ଏହାର ଅର୍ଥ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ଲାଗି ମାକ୍ସ ପିନ୍ଧିବା ଜରୁରୀ ଅଟେ।

ରସୁଣ ଖାଇଲେ କରୋନାରୁ ରକ୍ଷା ମିଳିବ

ରସୁଣ ସ୍ଵାସ୍ଥ୍ୟ ପକ୍ଷେ ବହୁତ ଭଲ ଖାଦ୍ୟ ଏବଂ ସେଥିରେ କିଛି ମାତ୍ରାରେ ରୋଗପ୍ରତିରୋଧକ ଶକ୍ତି ଥାଏ। ମାତ୍ର ଏହାର କୌଣସି ପ୍ରମାଣ ନାହିଁ ଯେ ରସୁଣ ଖାଇଲେ କରୋନାରୁ ମୁକ୍ତି ମିଳି ପାରିବ।

ଆମିଷ ଖାଇଲେ କରୋନା ହେବାର ଆଶଙ୍କା ନାହିଁ
ଆମିଷ ସହିତ ଜଡିତ ଭ୍ରମାତ୍ମକ ଧାରଣାରୁ ଦୂରେଇ ରୁହନ୍ତୁ। କରୋନା ଏକ ମାନବଜନିତ ଭୂତାଣୁ ଅଟେ। ଏହାର ପଶୁ ସହିତ କୌଣସି ସଂପର୍କ ନାହିଁ। ଏହା ଜଣେ ମଣିଷଠୁ ଅନ୍ୟ ମଣିଷକୁ ବ୍ୟାପିଥାଏ। ଏଥିପାଇଁ ଆମିଷ କରୋନା ବ୍ୟାପିବାର ଆଶଙ୍କା ନାହିଁ।

ଆଲକୋହୋଲ ନେଲେ କରୋନା ବ୍ୟାପନଥାଏ

ଏହା ସବୁଠୁ ବଡ ଭୁଲ କଥା ଯେ, ମଦ ସେବନ କଲେ କରୋନା ସଂକ୍ରମଣ ସମ୍ଭାବନା କମ ଥାଏ।

ଆଣ୍ଟି ବାୟୋଟିକରେ କରୋନା ଭଲ ହୋଇ ପାରିବ କି

କୌଣସି ଆଣ୍ଟି ବାୟୋଟିକ କରୋନା ବିରୋଧରେ କାମ କରେ ନାହିଁ। ଏହା କେବଳ ବ୍ୟାକ୍ଟେରିଆକୁ ମାରିବାରେ କାମରେ ଆସିଥାଏ। ନୂତନ କରୋନା ଭୂତାଣୁ ଏକ ଭୂତାଣୁ ଅଟେ। ଯଦି ଆପଣ କରୋନାର ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ତେବେ ଆଣ୍ଟି ବାୟୋଟିକ ବ୍ୟବହାର କରି ପାରିବେ କାରଣ ହସ୍ପିଟାଲରେ ବ୍ୟାକ୍ଟେରିଆ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ।

କରୋନ ଲାଗି କୌଣସି ନିର୍ଦ୍ଦିଷ୍ଟ ଔଷଧ  ବାହାରି ନାହିଁ

ସଂପ୍ରତି କରୋନା ଲାଗି କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରି ନାହିଁ। କେବଳ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କିଛି ନିର୍ଦ୍ଦିଷ୍ଟ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରି ହେବ। ଏହା ଦ୍ଵାରା କରୋନା ଲକ୍ଷଣ ହେବାରୁ ଆପଣ ରକ୍ଷା ପାଇ ପାରିବେ। କରୋନାର ମୁକାବିଲା ଲାଗି ଔଷଧ ନେଇ ଗବେଷଣା ଜାରି ରହିଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଏନେଇ ସହାୟତା  ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.