Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁନିଆରେ ବ୍ୟାପୁଛି କରୋନା ପରି ଆଉ ଏକ ରହସ୍ୟମୟ ରୋଗ, ଜଣଙ୍କ ମୃତ୍ୟୁ

8/05/2020 at 3:54 PM

ଲଣ୍ଡନ ୦୮।୦୫: ସମଗ୍ର ବିଶ୍ଵ ଏବେ କରୋନା ଭାଇରସ୍‌ର ପ୍ରକୋପରୁ ବର୍ତ୍ତି ନାହିଁ, ପୁଣି ଆଉ ଏକ କରୋନା ପରି ରହସ୍ୟମୟ ରୋଗ ଅନେକ ଦେଶରେ ପାଦ ଦେଇଛି। ଆମେରିକା ଓ ୟୁରୋପର ଅନେକ ଦେଶରେ ଏହି ରୋଗ ଦେଖିବାକୁ ମିଳିଛି। ବ୍ରିଟେନ୍‌ରେ କରୋନା ପରି ଏହି ଭୂତାଣୁ ଜନିତ ସଂକ୍ରମଣରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ଏହି ରୋଗକୁ ପିଡିଏଟ୍ରିକ ମଲ୍‌ଟି-ସିଷ୍ଟମମ ଇନଫ୍ଲେମେଟ୍ରି ସିଣ୍ଡ୍ରୋମ ନାମ ଦିଆଯାଇଛି। କୋଭିଡ୍‌-୧୯ ସହ ଏହି ରୋଗର ସଂପର୍କ ଥିବା କୁହାଯାଉଛି।

ବ୍ରିଟେନ୍‌ରେ ଅତି କମରେ ୬୪ ପିଲା ଓ କିଶୋର ଏହି ରୋଗରେ ସଂକ୍ରମିତ ହୋଇଛନ୍ତି। ଗବେଷକଙ୍କ କହିବା କଥା ଏହି ରୋଗରେ ପିଲାଙ୍କ ଦେହରେ ଅନେକ ଦିନ ପର୍ଯ୍ୟନ୍ତ ଜ୍ଵର ରହୁଛି। ପେଟରେ ଯନ୍ତ୍ରଣା ହେଉଛି ଓ ବାରମ୍ବାର ବାନ୍ତି ହେଉଛି। ହାଭାର୍ଡ ମେଡିକାଲ ସ୍କୁଲରେ ପ୍ରଫେସର ଜେନ୍ ନ୍ୟୁବର୍ଗରଙ୍କ କହିବା କଥା ଏହି ରୋଗରେ ସଂକ୍ରମିତଙ୍କ ସଂଖ୍ୟା ଏବେ କମ ରହିଛି, ମାତ୍ର ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ଡାକ୍ତର ଓ ବୈଜ୍ଞାନିକ ଏହାର ମୂଳ କାରଣ ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା କରୁଛନ୍ତି।

ଏହା ଜଣା ପଡିନାହିଁ ଯେ, ଏହି ରୋଗରେ କେବଳ ଛୋଟ ପିଲା ସଂକ୍ରମିତ ହେଉଛନ୍ତି ନା ଅନ୍ୟ ବର୍ଗ ମଧ୍ୟ ଅଛନ୍ତି। ଶିଶୁ  ହସ୍ପିଟାଲ କୋଲୋରାଡୋର ଡ. ସିନ୍ ଓ ଲୋରୀ କହିଛନ୍ତି ଯଦି ପିଲା ଅସୁସ୍ଥ ଜଣା ପଡୁଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। କିଛି ରୋଗୀଙ୍କୁ ଗମ୍ଭୀର ସ୍ଥିତିରେ ହସ୍ପିଟାଲ ଆଣୁଛନ୍ତି। କିଛି ରୋଗୀଙ୍କ ଠାରେ ନିମ୍ନ ରକ୍ତ ଚାପ ଓ ଭୀଷଣ ଜ୍ଵର ହେଉଥିବା ଦେଖିବାକୁ ମିଳିଛି।

କିଛି ରୋଗୀଙ୍କଠାରେ ଟକ୍ସିସ୍ ସକ ସିଣ୍ଡ୍ରୋମ ପରି ଲକ୍ଷଣ ଦେଖିବାକୁ ମିଳିଛି। ସେମାନଙ୍କୁ ପେଟ ଯନ୍ତ୍ରଣା, ବାନ୍ତି ଓ ଡାଏରିଆ ହେଉଛି। ଏହା ସହିତ ଶରୀର ଓ ଛାତିରେ ଯନ୍ତ୍ରଣା ହେଉଥିବା ରୋଗୀମାନେ ଅଭିଯୋଗ କରୁଛନ୍ତି। ଏବେ ରୋଗୀଙ୍କୁ ଇମୁନୋଗ୍ଲୋବିନ୍ ଦେଉଛନ୍ତି, ଏଥିରେ ଇମ୍ୟୁନ୍ ସିଷ୍ଟମରେ ଯନ୍ତ୍ରଣା ହ୍ରାସ ଘଟୁଛି। ଏହା ସହିତ ରୋଗୀଙ୍କୁ ଷ୍ଟେରାଇଡ୍ ଓ ସାଇଟୋକାଇନ୍ ବ୍ଲକର୍ସ ମଧ୍ୟ ଦିଆଯାଉଛି।

ଲୋ ଓରୀ କହିଛନ୍ତି ଏହି ରୋଗ ୟୁରୋପରୁ ଆରମ୍ଭ ହୋଇଥିଲା। ସେଠାରେ ରୋଗରେ ସଂକ୍ରମିତ ହେବା ପରେ ବି ଅଧିକାଂଶ ରୋଗୀ ସୁସ୍ଥ ହେଉଥିବାର ସଙ୍କେତ ମିଳିଛି। ଦ ଲାସେଣ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୧୪ ବର୍ଷର ଏକ କିଶୋରର ଏହି ରୋଗରେ ମୃତ୍ୟୁ ଘଟିଛି। ଫ୍ରାନ୍ସ, ଇଟାଲୀ ଓ ସ୍ପେନରେ ମଧ୍ୟ ଏହି ରୋଗ ଦେଖିବାକୁ ମିଳିଛି।

   Related Posts