ନୂଆଦିଲ୍ଲୀ ୧୮/୧୨ : ମହାମାରୀ କରୋନା ଭାଇରସ ସହ ଜଡିତ ଏକ ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମହାମାରୀ ବିରୁଦ୍ଧରେ ଲଢେଇକୁ ଏକ ବିଶ୍ବ ଯୁଦ୍ଧ ବୋଲି କହିଛନ୍ତି କୋର୍ଟ । ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ନିର୍ଦ୍ଦେଶାବଳୀ ଏବଂ ମାନକ ପ୍ରକ୍ରିୟା କାର୍ଯ୍ୟକାରୀ ନହେବା ହେତୁ କୋଭିଡ -୧୯ ମହାମାରୀ 'ଜଙ୍ଗଲୀ ନିଆଁ' ପରି ବ୍ୟାପିବାରେ ଲାଗିଛି ।
ସୁପ୍ରିମକୋର୍ଟ କହିଛନ୍ତି, "ଅପ୍ରତ୍ୟାଶିତ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ସମସ୍ତେ କୌଣସି ନା କୌଣସି ପ୍ରକାରେ ପ୍ରଭାବିତ ହେଉଛନ୍ତି । ଏହା କୋଭିଡ -୧୯ ବିରୋଧରେ ବିଶ୍ୱଯୁଦ୍ଧ ।" ଶୁଣାଣି ସମୟରେ କୋର୍ଟ ରାଜ୍ୟମାନଙ୍କୁ କହିଛନ୍ତି ଯେ ସେମାନେ କେବଳ ସତର୍କତାର ସହ କାର୍ଯ୍ୟ କରିବା ସହ କେନ୍ଦ୍ର ସରକାରଙ୍କ ସହିତ ଆନ୍ତରିକତାର ସହ କାର୍ଯ୍ୟ କରିବା ଉଚିତ ଏବଂ ନାଗରିକଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରଥମ ପ୍ରାଥମିକତା ହେବା ଉଚିତ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଲଗାତାର ଆଠ ମାସ ଧରି କାର୍ଯ୍ୟ କରୁଚାଲିଥିବା ଆଗଧାଡିର ସ୍ୱାସ୍ଥ୍ୟ କର୍ମୀମାନେ ଥକି ଯାଇଛନ୍ତି, ସେମାନଙ୍କୁ ବିଶ୍ରାମ ଦେବା ପାଇଁ କିଛି ବ୍ୟବସ୍ଥା ଆବଶ୍ୟକ । କେବଳ ଏତିକି ନୁହେଁ ସୁପ୍ରିମକୋର୍ଟ ମଧ୍ୟ ତାଲାବନ୍ଦ ଏବଂ କର୍ଫ୍ୟୁ ବିଷୟରେ ନିଜର ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଏପରି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ କିଛି ଘୋଷଣା କରାଯିବା ଉଚିତ୍ ଯାହାଦ୍ୱାରା ଲୋକମାନେ ସେମାନଙ୍କର ଜୀବିକା ନିର୍ବାହ କରିପାରିବେ ।
ଅନ୍ୟପକ୍ଷରେ ଶୁକ୍ରବାର ଦେଶରେ କୋଭିଡ -୧୯ ର ୨୨,୮୯୦ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ସଂକ୍ରମଣ ମାମଲା ୯୯.୭୯ ଲକ୍ଷ ଅତିକ୍ରମ କରିଛି । ଏମାନଙ୍କ ମଧ୍ୟରୁ ୯୫ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇସାରିଥିବା ବେଳେ ମୋଟେ ମୃତ୍ୟୁ ସଂଖ୍ୟା ୧ ଳକ୍ଷ ୪୪ ହଜାର ୭୮୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩୮ ଜଣଙ୍କ ମୃତ୍ୟୁ ଘଟିଛି ହୋଇଛନ୍ତି । ମହାମାରୀରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଗତ ୧୩ ଦିନ ହେଲା ପ୍ରତିଦିନ ୫ ଶହରୁ କମ୍ ମୃତ୍ୟୁ ଘଟିଛି ।