କରୋନା ନିୟମ ନମାନିଲେ, ସଂକ୍ରମିତ ଥାଇ ରେଳ ଯାତ୍ରା କଲେ ଯିବେ ଜେଲ୍ !
14/10/2020 at 10:41 PM

ନୂଆଦିଲ୍ଲୀ ୧୪।୧୦: ମାସ୍କ ନପିନ୍ଧିବା , କୋଭିଡ୍-୧୯ ନିୟମ ପାଳନ ନକରିବା ଓ ଯାଞ୍ଚ ବେଳେ ପଜିଟିଭ୍ ଚିହ୍ନଟ ହେବା ପରେ ବି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ରେଳ ଅଧିନିୟମର ବିଭିନ୍ନ ଧାରା ଆଧାରରେ ମାମଲା ରୁଜୁ କରାଯାଇପାରେ। ଏମିତି ଯାତ୍ରୀଙ୍କୁ ଜୋରିମାନା ଦେବା ସହିତ ଜେଲ୍ ଯିବାକୁ ମଧ୍ୟ ପଡିପାରେ। ରେଳ ସୁରକ୍ଷା ବଳ(ଆରପିଏଫ) ବୁଧବାର ଏହି ସୂଚନା ଦେଇଛି।
ଆରପିଏଫ ବିଶେଷ କରି ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛି। ଏହା ଅନୁଯାୟୀ ଯାତ୍ରୀଙ୍କୁ ରେଳ ପରିସରରେ ନିୟମର ପାଳନ କରିବାକୁ ପଡିବ। ମାସ୍କ ପିନ୍ଧିନଥିଲେ, ସାମାଜିକ ଦୂରତ୍ଵ ନିୟମ ନମାନିଲେ, କରୋନା ଭାଇରସ୍ ଚିହ୍ନଟ ହେବା ପରେ କିମ୍ବା ରିପୋର୍ଟ ଆସିବାକୁ ବାକି ଥିବା ସମୟରେ ଟ୍ରେନ ଯାତ୍ରା କଲେ ଯାତ୍ରୀଙ୍କୁ ଦଣ୍ଡ ଭୋଗିବାକୁ ପଡିପାରେ।
ଆରପିଏଫ ଅନୁଯାୟୀ ସାର୍ବଜନୀନ ସ୍ଥାନରେ ଛେପ ପକାଇବା ବେଆଇନ। କରୋନା ରୋକିବା ପାଇଁ ପ୍ରଣୟନ ନିୟମ ମାନିବା ବାଧ୍ୟତାମୂଳକ ରହିଛି। ନିୟମ ଉଲ୍ଲଂଘନ କଲେ ରେଳ ଅଧିନିୟମର ଧାରା ୧୪୫, ୧୫୩ ଓ ୧୫୪ ଆଧାରରେ ଦଣ୍ଡିତ କରାଯାଇପାରେ।