ଏମ୍ସରୁ ଆସିଲା ଭଲ ଖବର: ବାପା-ମା କରୋନା ପଜିଟିଭ୍ କିନ୍ତୁ ଜନ୍ମ ହେଲା ସୁସ୍ଥ ଶିଶୁ
5/04/2020 at 7:41 PM

ନୂଆଦିଲ୍ଲୀ ୦୫।୦୪: କିଛି ଦିନ ପୂର୍ବେ ଦିଲ୍ଲୀର ଏମ୍ସରେ ଜଣେ ଡାକ୍ତର କରୋନା ପଜିଟିଭ୍ ଥିବା ଖବର ସାମ୍ନାକୁ ଆସିଥିଲା। ପୁଣି ଜଣା ପଡିଲା ଯେ, ତାଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ। ପତ୍ନୀ ଗର୍ଭବତୀ ଥିଲେ, ସେଥିପାଇଁ ଏହି କେସ୍ ଗମ୍ଭୀର ଲାଗୁଥିଲା। ମାତ୍ର ଏବେ ଭଲ ଖବର ଆସିଛି। ଡାକ୍ତରଙ୍କ ପତ୍ନୀ ଏକ ସୁସ୍ଥ ଶିଶୁ ଜନ୍ମ ଦେଇଛନ୍ତି।
ଏମ୍ସର ଦିଲ୍ଲୀ ମେଡିକାଲ ପର୍ଯ୍ୟବେକ୍ଷକ ଡିକେ ଶର୍ମା କହିଛନ୍ତି ଯେ, ଡାକ୍ତର ନୀରଜା ବାଟଲାଙ୍କ ଟିମ୍ ଶୁକ୍ରବାର ବିଳମ୍ବିତ ରାତ୍ରିରେ ସିଜେରିୟମ ପ୍ରସବ କରିଛନ୍ତି। ଶିଶୁ ବର୍ତ୍ତମାନ ସୁସ୍ଥ ଅଛି। ପ୍ରସବ ସମୟରେ ପୂରା ପ୍ରୋଟୋକଲ ଅନୁସରଣ କରାଯାଇଥିଲା। ଡାକ୍ତର ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ(ପିପିଇ)ର ବ୍ୟବହାର କରିଥିଲେ।
ଦିଲ୍ଲୀରେ ଏହା ପ୍ରଥମ ଘଟଣା, ଯେଉଁଠି ବାପା-ମା କରୋନା ପଜିଟିଭ୍ ଥିବା ପରେ ବି ଜନ୍ମିତ ଶିଶୁ ସୁସ୍ଥ ରହିଛି। କରୋନା ପଜିଟିଭ୍ ଚିହ୍ନଟ ଡାକ୍ତରଙ୍କ କୌଣସି ବିଦେଶ ଗସ୍ତର ଇତିହାସ ନାହିଁ। ହସ୍ପିଟାଲରେ ଥିବା ସମୟରେ ସେ ସଂକ୍ରମିତ ହୋଇଥିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ପତ୍ନୀଙ୍କର ମଧ୍ୟ ଟେଷ୍ଟ କରାଯାଇଥିଲା ଏବଂ ସେ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ଗର୍ଭପତ୍ନୀ ପତ୍ନୀଙ୍କୁ ଆଇସୋଲେସନ ଓ୍ଵାର୍ଡରେ ରଖି ପ୍ରସବ କରାଇବାର ପ୍ରସ୍ତୁତି ଜାରି ରହିଥିଲା।
ଡାକ୍ତର ନୀରଜା କହିଛନ୍ତି ଯେ ମା ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ମା ଶିଶୁକୁ କ୍ଷୀର ପିଆଇ ପାରିବେ। ମାାର କ୍ଷୀର ମାଧ୍ୟମରେ କରୋନା ଭାଇରସ୍ ସଂକ୍ରମଣ ହୋଇନଥାଏ। ମା ଓ ଶିଶୁ ସଂପ୍ରତି କ୍ଵାରେଣ୍ଟାଇନରେ ଅଛନ୍ତି।