ଆଶ୍ଵିସ୍ତକର ଖବର: ଦେଶରେ କମୁଛି କରୋନା ମୃତ୍ୟୁହାର, ବଢୁଛି ସୁସ୍ଥ ରୋଗୀଙ୍କ ସଂଖ୍ୟା

Published By : Prameya-News7 Bureau | April 17, 2020 IST

ନୂଆଦିଲ୍ଲୀ ୧୭।୦୪:  ଭାରତରେ କରୋନା ଭାଇରସ୍‌ର ପ୍ରକୋପ କ୍ରମାଗତ ବଢିବାରେ ଲାଗିଛି। ପ୍ରତି ଦିନ ଶତାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ଯାହା ସରକାରଙ୍କ ଚିନ୍ତାକୁ ବଢାଇ ଦେଉଛି। ମାତ୍ର ବଢୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟରେ ଆସିଛି ଏକ ଆଶ୍ଵସ୍ତିକର ଖବର। ଦେଶରେ ସଂପ୍ରତି କରୋନା ରୋଗରୁ ସୁସ୍ଥ ହେବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ଏହା ସହିତ ମହାମାରୀରେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରତିଦିନବ କରୋନା ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରାଯାଉଛି। ସେଥିରେ ଏହି ମହତ୍ଵପୂର୍ଣ୍ଣ ସୂଚନାକୁ ସାମିଲ କରାଯାଇଛି। ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୨୬୦ ଜଣ କରୋନାରୁ ସୁସ୍ଥ ଲାଭ କରିଛନ୍ତି ଏବଂ ସେମାନଙ୍କୁ  ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଗୋଟିଏ ଦିନରେ ଏହା ସର୍ବାଧିକ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା। ପୂର୍ବରୁ ଗୋଟିଏ ଦିନରେ ସବୁଠୁ ଅଧିକ ୧୮୩ ରୋଗୀ ସୁସ୍ଥ ହୋଇଥିଲେ।

{"id":255686,"sizeSlug":"large"}

ଏହା ବ୍ୟତୀତ ଦେଶରେ କରୋନା ଭାଇରସ୍ ମାମଲା ସାମ୍ନାକୁ ଆସିବା ହ୍ରାସ ପାଇଛି। ପ୍ରଥମେ ଦେଶରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ତିନି ଗୁଣ ରହୁଥିଲା, ମାତ୍ର ଗତ କିଛି ଦିନ ହେବ ଏଥିରେ ହ୍ରାସ ଦେଖିବାକୁ ମିଳିଛି।  ଭାରତରେ କରୋନା ଭାଇରସ୍ ମହାମାରୀ କାରଣରୁ ୪୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ହେଲେ ଗତ କିଛି ଦିନରେ ଦେଶରେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି। ମୋଟ୍ ଆସୁଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ ମୃତ୍ୟୁହାର ମାତ୍ର ୩.୩ ପ୍ରତିଶତ ରହିଛି, ଯାହା କୌଣସି ବି ୟୁରୋପୀୟ ଦେଶଠୁ ବହୁତ କମ।

ଗତ ଦିନରେ ସୁସ୍ଥ ହେଉଥିବା ରୋଗୀଙ୍କ ହାର

ବୁଧବାର- ୧୧.୪୧ ପ୍ରତିଶତ

ଗୁରୁବାର- ୧୨.୦୨ ପ୍ରତିଶତ

ଶୁକ୍ରବାର- ୧୩.୦୬ ପ୍ରତିଶତ

ଗତ ସପ୍ତାହ ସୁଦ୍ଧା ସ୍ପେନରେ ମୃତ୍ୟୁହାର ୯.୩୭ ପ୍ରତିଶତ ଥିଲା। ସେହି ପରି ଇଟାଲୀରେ ୧୨.୭୨ ପ୍ରତିଶତ ଓ ୟୁନାଇଟେଡ୍ କିଙ୍ଗଡମରେ ୧୨ ପ୍ରତିଶତ ଥିଲା।

ଉଲ୍ଲେଖଯୋଗ୍ୟ, ଆଜି ଶୁକ୍ରବାର ସକାଳ ସୁଦ୍ଧା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଜାରି ତଥ୍ୟ ମୁତାବକ, ମୋଟ୍ କରୋନା ସଂକ୍ରମିତ ସଂଖ୍ୟା ୧୩,୩୮୭ ରହିଥିବା ବେଳେ ୪୩୭  ଜଣଙ୍କ ପ୍ରାଣହାନୀ ଘଟିଥିଲା। ଦେଶରେ ଏ ପର୍ଯ୍ୟନ୍ତ ୧୭୪୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.