୨୪ ଘଣ୍ଟାରେ ୧୩୯୬ ନୂତନ କରୋନା କେସ୍, ବଢୁଛି ସୁସ୍ଥ ରୋଗୀଙ୍କ ହାର, ଗତ ୧୪ ଦିନ ହେବ ୮୫ ଜିଲ୍ଲାରୁ ଆସିନି ସଂକ୍ରମଣ ମାମଲା

Published By : Prameya-News7 Bureau | April 27, 2020 IST

ନୂଆଦିଲ୍ଲୀ ୨୭।୦୪: ଭାରତରେ ଗତ ୨୪ ଘଣ୍ଟାରେ କରୋନାର  ୧୩୯୬ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୩୮୧  ଜଣ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି। ଦେଶରେ ଘାତକ କରୋନା ଭାଇରସ୍‌ର ସଂକ୍ରମିତଙ୍କ ସଂଖ୍ୟା ବଢି ୨୭,୮୯୨ରେ ପହଞ୍ଚିଛି। ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସୁସ୍ଥ ହେବା ହାର ବଢି ୨୨.୧୭ରେ ପହଞ୍ଚିଛି। ନିଜର ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ।

ସେ କହିଛନ୍ତି ଯେ, ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୬ଟି ଜିଲ୍ଲା ଏମିତି ରହିଛି, ଯେଉଁଠି ଗତ ୨୮ ଦିନ ହେବ କରୋନାର ଗୋଟିଏ ହେଲେ ମାମଲା ଆସିନାହିଁ। ଅନ୍ୟପଟେ ଗତ ୧୪ ଦିନ ହେବ ୮୫ଟି ଜିଲ୍ଲାରେ କରୋନା ସଂକ୍ରମିତ କେସ୍ ଆସିନାହିଁ। ଲଭ୍  ଅଗ୍ରଓ୍ଵାଲ କହିଛନ୍ତି ୨୦,୮୩୫ ଲୋକଙ୍କ ଚିକିତ୍ସା ଜାରି ରହିଛି। ଗତ ୨୪ ଘଣ୍ଟାରେ ୩୮୧ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୬୧୮୪ ହୋଇଛି।

ସେହି ପରି ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ, ଦେଶରେ ଲାଗୁ ଲକ୍‌ଡାଉନ୍ ସମୟରେ କେନ୍ଦ୍ର ସରକାର ଦେଶରେ ୨ କୋଟିରୁ ଅଧିକ ଶ୍ରମିକଙ୍କୁ ରୋଜଗାର ଦେଇଛନ୍ତି। ୮୦ ପ୍ରତିଶତ ଗଣମାଧ୍ୟମକୁ ସଞ୍ଚାଳନ କରାଯାଇଛି। ସେ କହିଛନ୍ତି, ପ୍ରାୟ ୬୦ ପ୍ରତିଶତ ଫୁଡ୍ ପ୍ରୋସେସିଂ ୟୁନିଟ୍ ଆରମ୍ଭ ହୋଇ ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.