ନୂଆଦିଲ୍ଲୀ ୨୦/୧୨: କିଛି ସପ୍ତାହ ମଧ୍ୟରେ କରୋନା ଭ୍ୟାକ୍ସିନ୍ ଲୋକଙ୍କ ପାଖରେ ପହଞ୍ଚିପାରେ। କିନ୍ତୁ କରୋନା କଟକଣାରେ କୋହଳ ହେବା ଠିକ୍ ନୁହେଁ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଆଗାମୀ ୬ ମାସ ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଫେସ୍ ମାସ୍କ ପିନ୍ଧିବା ଜରୁରୀ। କରୋନା ଟିକାକରଣ ପାଇଁ ଏକାଧିକ ମାସ କିମ୍ବା ବର୍ଷେ ଲାଗିବାକୁ ଥିବା ବେଳେ ୬ ମାସ ମାସ୍କ ବାଧ୍ୟତାମୂଳକ ବୋଲି ମହାରାଷ୍ଟ୍ର ସରକାର ନିର୍ଦେଶ ଦେଇଛନ୍ତି ।
୬ ମାସ ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। କିନ୍ତୁ ରାତ୍ରି କର୍ଫ୍ୟୁ କିମ୍ବା ଲକ୍ଡାଉନ୍ ସପକ୍ଷରେ ନାହାନ୍ତି ମୁଖ୍ୟମନ୍ତ୍ରୀ ଠାକରେ। ମହାରାଷ୍ଟ୍ରରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ ଲକ୍ଡାଉନ୍ର ଆବଶ୍ୟକତା ନଥିବା ସରକାର କହିଛନ୍ତି।
ଦେଶରେ କରୋନା ମହାମାରୀ ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ରହିଛି। ମୁମ୍ବାଇରେ ସ୍ଥିତି ଅତି ଶୋଚନୀୟ ହୋଇପଡ଼ିଥିଲା। ଶନିବାର ଦିନ ରାଜ୍ୟରେ ୩୯୪୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୪ ଜଣ ପ୍ରାଣ ହରାଇଥିଲେ। ଏହା ସହ ମହାରାଷ୍ଟ୍ରରେ ଏବେ ସୁଦ୍ଧା ମୋଟ ୪୮,୬୪୮ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ।