ଦେଶର ବିଚାର ପ୍ରକ୍ରିୟାକୁ ବିଭିନ୍ନ ଭାବରେ ପ୍ରଭାବିତ କରିଛି କରୋନା ଭାଇରସ ମହାମାରୀ: CJI

Published By : Prameya-News7 Bureau | October 02, 2021 IST

ନୂଆଦିଲ୍ଲୀ ୨।୧୦: କରୋନା ଭାଇରସ ମହାମାରୀ ଦେଶରେ ନ୍ୟାୟ ପ୍ରଦାନକୁ ବିଭିନ୍ନ ଭାବରେ ବାଧିତ କରିଛି। ସୁପ୍ରିମକୋର୍ଟଙ୍କ ପ୍ରଧାନ ନ୍ୟାୟାଧୀଶ ଶନିବାର ଏହା କହିଛନ୍ତି। ଜାତୀୟ ଆଇନସେବା ପ୍ରାଧିକରଣ (ଏନଏଲଏସଏ) ସ୍ଥାପନାର ୨୫ତମ ବର୍ଷିକ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜଷ୍ଟିସ୍ ରମନ୍ନା କହିଛନ୍ତି ଯେ ଦେଶରେ ମହାମାରୀ ସଂକ୍ରମଣ ଯୋଗୁ ବିଭିନ୍ନ ଫୋରମରେ ବହୁ ସଂଖ୍ୟାରେ ମୋକଦ୍ଦମା ଲମ୍ବିତ ରହିଛି। ବିଚାର ବିଭାଗରେ ଖାଲିପଡିଥିବା ପଦବୀ ପୂରଣରେ ବିଳମ୍ବ, ଗ୍ରାମୀଣ ଓ ଅନୁନ୍ନତ ଅଞ୍ଚଳରେ ଭିଡିଓ କନଫରେନସିଂର ସୁବିଧା ହୋଇ ନ ପାରିବା ଆଦି ସମସ୍ୟା ଏବେ ଜଳ ଜଳ ହୋଇ ଆଖିକୁ ଦେଖା ଯାଉଛି। 

ଜଷ୍ଟିସ୍ ରମନ୍ନା କହିଛନ୍ତି ଯେ ଦେଶରେ ବିଭିନ୍ନ ହାଇକୋର୍ଟରେ ଖାଲିଥିବା ୧୦୬ଟି ଜଜ୍‌ ପଦବୀ ଓ ୯ ହାଇକୋର୍ଟଙ୍କ ମୁଖ୍ୟ ନ୍ୟାଧୀଶଙ୍କ ପଦବୀ ପୂରଣ ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି। ଏଥିରୁ କିଛି ନାମ ସରକାର ମଞ୍ଜୁର କରିଛନ୍ତି ଓ ଆଉ କେତକ ଖୁବ୍ ଶୀଘ୍ର ମଞ୍ଜୁର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଷ୍ଟିସ ରମନ୍ନା କାର୍ଯ୍ୟକ୍ରମରେ କହିଛନ୍ତି। ଏଥିଲାଗି ପ୍ରଧାନ ନ୍ୟାୟାଧୀଶ ସରକାର ଓ କେନ୍ଦ୍ର ଆଇନମନ୍ତ୍ରାଳୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି ଯେ ଦେଶରେ ଗଣତନ୍ତ୍ରକୁ ମଜଭୁତ କରିବାକୁ ହେଲେ ନ୍ୟାୟ ବ୍ୟବସ୍ଥାକୁ ମଧ୍ୟ ମଜଭୁତ କରିବାକୁ ହେବ। ଏଥିରେ ବିଚାରବିଭାଗଙ୍କୁ ସରକାରଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ। ଦେଶରେ ଏନଏଏଲଏସଏ ସ୍ଥାପନାକୁ ୨୫ ବର୍ଷ ପୂରଣ ହୋଇଛି। ଏହି ଅବଧିରେ ପ୍ରାଧିକରଣ ଦେଶର କୋଟି କୋଟି ଲୋକଙ୍କୁ ଆଇନ ସହାୟତା କରିପାରିଥିବା ପ୍ରଧାନ ନ୍ୟାୟାଧୀଶ କହିଛନ୍ତି। ଲୋକ ଅଦାଲତ ମାଧ୍ୟମରେ ଏନଏଲଏସଏ ବହୁ ସଂଖ୍ୟାରେ ଲୋକଙ୍କୁ ଉପକୃତ କରିଥିବା ସେ କହିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ଓ ସମାଜିକ ନ୍ୟାୟ ମନ୍ତ୍ରୀ କିରଣ ରିଜ୍ଜୁ ମଧ୍ୟ ଉପସ୍ଥିତ ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.