Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

୨୯ ଜାନୁଆରୀ ପରେ ପୁଣି ଥରେ ୧୮ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ୧୦୮ ଜଣଙ୍କ ମୃତ୍ୟୁ

6/03/2021 at 5:23 PM

ନୂଆଦିଲ୍ଲୀ ୦୬/୦୩:  ଭାରତରେ ପୁଣି କରୋନା ଗ୍ରାଫ ଉପରମୁହାଁ । ଗତ ୨୪ ଘଣ୍ଟାରେ ୧୮,୩୨୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୧୧,୯୨,୦୮୮ରେ ପହଞ୍ଚିଛି। ଭାରତରେ ୩୬ ଦିନ ପରେ ପୁଣି କରୋନା ସଂକ୍ରମଣ ବଢ଼ିଛି। ୨୯ ଜାନୁଆରୀ ପରେ ପ୍ରଥମ ଥର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ପାର କରିଛି। ଏହା ସହ ଲଗାତାର ୪ ଦିନ ହେଲା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।  ତେବେ ଗତ ୨୪ ଘଣ୍ଟାରେ ୧୦୮ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହା ସହ ଦେଶରେ ଏବେ ସୁଦ୍ଧା ମୋଟ ୧,୫୭,୬୫୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶନିବାର ସୂଚନା ମିଳିଛି ।

ଏହା ପୂର୍ବରୁ ୨୯ ଜାନୁଆରୀରେ ୨୪ ଘଣ୍ଟାରେ ୧୮,୮୫୫ କରୋନା ମାମଲା ସାମ୍ନାକୁ ଆସିଥିଲା। କିନ୍ତୁ ତା ପରଠୁ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାରରୁ କମ୍‌ ଥିଲା। ସୁସ୍ଥ ସଂକ୍ରମିତଙ୍କ ସଂଖ୍ୟା ୧,୦୮,୫୪,୧୨୮ ହୋଇଥିବା ବେଳେ ଦେଶରେ ସୁସ୍ଥ ହାର ୯୬.୯୮ ପ୍ରତିଶତ ହୋଇଛି। ମୃତ୍ୟୁ ହାର ୧.୪୧ ପ୍ରତିଶତ ରହିଛି।

ତେବେ ଚିକିତ୍ସାଧୀନ ସଂକ୍ରମିତଙ୍କ ସଂଖ୍ୟା ୧,୮୦,୩୦୪ ଥିବା ବେଳେ ଏହା ମୋଟ ସଂକ୍ରମଣର ୧.୬୧ ପ୍ରତିଶତ। ମନ୍ତ୍ରାଳୟ ଅନୁସାରେ ଏବେ ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ଗତ ୨୪ ଘଣ୍ଟାରେ ମିଳିଥିବା ମୋଟ ସଂକ୍ରମତିଙ୍କ ମଧ୍ୟରେ ୮୨ ପ୍ରତିଶତ ମାମଲା ଏହି ସବୁ ରାଜ୍ୟର ବୋଲି ଜଣାପଡ଼ିଛି।

ଗତ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଥିବା ୧୦୮ ଲୋକଙ୍କ ମଧ୍ୟରୁ ୫୩ ଜଣ ମହାରାଷ୍ଟ୍ରର ହୋଇଥିବା ବେଳେ କେରଳରୁ ୧୬, ପଞ୍ଜାବରୁ ୧୧ ଜଣ ଅଛନ୍ତି। ଆଜି ସୁଦ୍ଧା କରୋନାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ସଂଖ୍ୟା ୧,୫୭,୬୫୬। ସେଥିମଧ୍ୟରୁ ମହାରାଷ୍ଟ୍ରରୁ ୫୨,୩୯୩, ତାମିଲନାଡ଼ୁରୁ ୧୨,୫୧୩, କର୍ଣ୍ଣାଟକରୁ ୧୨,୩୫୪, ଦିଲ୍ଲୀରୁ ୧୦,୯୧୮, ପଶ୍ଚିମବଙ୍ଗରୁ ୧୦,୨୭୫, ଉତ୍ତରପ୍ରଦେଶରୁ ୮,୭୨୯ ଏବଂ ଆନ୍ଧ୍ରପ୍ରଦେଶରୁ ୭,୧୭୨ ଜଣ ମୃତ୍ୟୁବରଣ କରିଛନ୍ତି।

   Related Posts