କରୋନା ଚିକିତ୍ସା ପାଇଁ ଆସିଲା ନୂତନ ଔଷଧ, ୩୫ ପ୍ରତିଶତ ହ୍ରାସ ଘଟିଛି ରୋଗୀଙ୍କ ମୃତ୍ୟୁ

Published By : Prameya-News7 Bureau | June 27, 2020 IST

ନୂଆଦିଲ୍ଲୀ ୨୭।୦୬: ସରକାର କରୋନା ଚିକିତ୍ସାପାଇଁ ଶସ୍ତା ଷ୍ଟେରାଇଡ୍‌ ଡ୍ରଗ୍ ଡେକ୍ସାମେଥାସୋନର ବ୍ୟବହାରକୁ ଅନୁମତି ଦେଇଛନ୍ତି। ଏହି ଔଷଧ ମିଥାଇଲପ୍ରେଡନିସୋଲୋନର  ବିକଳ୍ପ ଭାବେ କାମ କରିବ। ଏହାକୁ ଗମ୍ଭୀର ଲକ୍ଷଣ ଦେଖାଯାଉଥିବା ରୋଗୀଙ୍କ ଠାରେ ବ୍ୟବହାର କରାଯାଇ ପାରିବ। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏକ ସଂଶୋଧିତ ପ୍ରୋଟୋକଲ୍‌ ଜାରି କରିଛନ୍ତି। ଏହା କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ଉଦ୍ଦିଷ୍ଟ। ଚଳିତ ମାସରେ ମନ୍ତ୍ରଣାଳୟ କରୋନା ଲକ୍ଷଣର ତାଲିକାରେ ସଂଶୋଧିତ କରିଥିଲେ। ବାସ୍ନା ଏବଂ ସ୍ଵାଦ ଅନୁଭବ କରି ପାରୁନଥିବାକୁ ମଧ୍ୟ କରୋନା ଲକ୍ଷଣ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ଔଷଧ ଡେକ୍ସାମେଥାସୋନର ବ୍ୟବହାର ଗଣ୍ଠିବାତ ପରି ରୋଗୀଙ୍କ ଯନ୍ତ୍ରଣାକୁ କମ୍ କରିବା ପାଇଁ ବ୍ୟବହାର କରାଯାଏ। ଏହାର ବ୍ୟବହାର କରୋନାର ସେହି ରୋଗୀଙ୍କଠାରେ କରାଯିବ ଯେଉଁମାନଙ୍କୁ ଅକ୍ସିଜେନ ସାହାରାରେ ରଖାଯାଇଛି ଏବଂ ଯେଉଁମାନେ ଅଧିକ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଏହି ଔଷଧ ୬୦ ବର୍ଷରୁ ଅଧିକ ସମୟ ଧରି ବଜାରରେ ରହିଛି। ନିକଟରେ ୟୁନିଭର୍ସିଟି ଅଫ ଅକ୍ସଫୋର୍ଡର ଗବେଷକଙ୍କ ଏକ ଟିମ୍‌ କରୋନା ସଂକ୍ରମଣର ଶିକାର ୨୦୦୦ରୁ ଅଧିକ ରୋଗୀଙ୍କଠାରେ ଏହି ଔଷଧକୁ ପ୍ରୟୋଗ କରାଯାଇଥିଲା। ଏହି ଔଷଧର ବ୍ୟବହାରରେ ଭେଣ୍ଟିଲେଟରରେ ଚିକିତ୍ସା କରାଯାଉଥିବା ରୋଗୀଙ୍କ ମୃତ୍ୟୁ ୩୫ ପ୍ରତିଶତ ହ୍ରାସ ଘଟିଥିଲା। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର କହିବା କଥା ଏହି ଔଷଧର ବ୍ୟବହାର ଗୁରୁତର ରୋଗୀଙ୍କଠାରେ ଡାକ୍ତରଙ୍କ ତତ୍ଵାବଧାନରେ ହେବା ଉଚିତ୍।

ହୁ ହୁ ହୋଇ ବଢୁଛି ସଂକ୍ରମଣ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ସକାଳ ସୁଦ୍ଧା ଜାରି ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୧୮୫୫୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୩୮୪ ଜଣଙ୍କ ପ୍ରାଣହାନୀ ଘଟିଛି। ଆଶ୍ଵସ୍ତିକର କଥା ଗତ ୨୪ ଘଣ୍ଟାରେ ୧୦,୨୪୪ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ୯୫୩ ହୋଇଛି। ଏଥିରୁ ୨ ଲକ୍ଷ ୯୫ ହଜାର ୮୮୧ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ୧୫,୬୮୫ ଲୋକଙ୍କ ମୃତ୍ୟୁ ଘଟିଛି। ଭାରତ ଦୁନିଆରେ କରୋନାରେ ସର୍ବାଧିକ ପ୍ରଭାବିତ ଦେଶ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.