କଡ଼ା କଟକଣା ପରେ ବି ସୁଧୁରୁନି ସ୍ଥିତି: ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୬୩ ହଜାର ତ ଦିଲ୍ଲୀରେ ୧୯ ହଜାର ପାର ନୂଆ ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | April 16, 2021 IST

ମୁମ୍ବାଇ ୧୬/୪: ଦେଶରେ ବେକାବୁ କରୋନା ସଂକ୍ରମଣ। ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୬୩,୭୨୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ୩୯୮ ଲୋକଙ୍କ ଜୀବନ ନେଇଛି କରୋନା ଭୂତାଣୁ। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ ଲକ୍ଷ ପାର କରିଛି। ରାଜ୍ୟ ରାଜଧାନୀ ମୁମ୍ବାଇରେ ଗୋଟିଏ ଦିନରେ ୮୮୦୩ ନୂଆ ମାମଲା ମିଳିଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ହୋଇଛି।

ସେପଟେ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ରାଜଧାନୀରେ ଶୁକ୍ରବାର ୧୯,୪୮୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୧ ଜଣଙ୍କ ଜୀବନ ଯାଇଛି। ଜଣେ ଭାୟରୋଲୋଜିଷ୍ଟଙ୍କ ମତରେ ଦେଶରେ କରୋନାର ଦ୍ବିତୀୟ ଲହର ମେ’ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ। ଏହା ପରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର କରିବାର ମଧ୍ୟ ସମ୍ଭାବନା ରହିଛି ।

କହି ରଖୁଛୁ ବୁଧବାର ଦେଶରେ ରେକର୍ଡ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ସଂକ୍ରମଣ ଦୃଷ୍ଟିରୁ ମହାରାଷ୍ଟ୍ର ଅଧିକ ପ୍ରଭାବିତ ରାଜ୍ୟ। ସେଠାରେ ବିଭିନ୍ନ କଟକଣା ସତ୍ବେ ଏତେ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେବା ସରକାରଙ୍କ ନିଦ ହଜାଇ ଦେଇଛି । ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଦିଲ୍ଲୀ ହେଉ କି ମହାରାଷ୍ଟ୍ର ସବୁଠି କଟକଣା କଡ଼ା। କିନ୍ତୁ ସୁଧୁରୁନି ସ୍ଥିତି। ସଂକ୍ରମଣ ବଢ଼ୁଛି ସିନି କମିବାରେ ନାଁ ଧରୁନି। ଆଗକୁ ଆହୁରି ସ୍ଥିତି ବିଗିଡ଼ିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.