କରୋନାକୁ ଡରିଲା ବିଶ୍ଵର ସବୁଠୁ ଶକ୍ତିଶାଳୀ ଦେଶ, ଗୋଟିଏ ଦିନରେ ସର୍ବାଧିକ ଲୋକଙ୍କ ମୃତ୍ୟୁ
20/03/2020 at 5:27 PM

ନୂଆଦିଲ୍ଲୀ ୨୦।୦୩: ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ମଧ୍ୟ କରୋନା ସମ୍ମୁଖରେ ମୁଣ୍ଡ ନୁଆଇଁଥିବା ଦେଖିବାକୁ ମିଳିଛି। ୨୦୨୦ ମାର୍ଚ୍ଚ ୧୯ ଅର୍ଥାତ ଗୁରୁବାର ଆମେରିକାରେ କରୋନା ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ୧୦,୪୯୧ରେ ପହଞ୍ଚିଛି ଯାହା ଗୋଟିଏ ଦିନ ପୂର୍ବେ ୩୪୦୪ ଥିଲା। ଅନ୍ୟପଟେ ମୃତକଙ୍କ ସଂଖ୍ୟା ଗୋଟିଏ ଦିନରେ ତିନି ଗୁଣ ବୃଦ୍ଧି ଘଟିବା ଟ୍ରମ୍ପ ପ୍ରଶାସନକୁ ଚିନ୍ତାରେ ପକାଇଛି। ଆମେରିକାରେ ବୁଧବାର ସୁଦ୍ଧା ମୃତକଙ୍କ ସଂଖ୍ୟା ୫୩ ରହିଥିଲା ଯାହା ଏବେ ବୃଦ୍ଧି ଘଟି ୧୫୦ରେ ପହଞ୍ଚିଛି।

ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ(ସିଡିସି) କହିଛି ଯେ, ସ୍ଵାସ୍ଥ୍ୟ ବିଭାଗ ବୁଝିବାକୁ ଚେଷ୍ଟା କରୁଛନ୍ତି ଯେ, ଅଚାନକ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଗୋଟିଏ ଦିନରେ ଏତେ କେମିତି ବଢିଲା।
ଏହା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସ୍ଵାସ୍ଥ୍ୟ କର୍ମୀଙ୍କୁ ଅପିଲ୍ କରିଥିଲେ ଯେ, କରୋନା ରୋଗୀଙ୍କ ଚିକିତ୍ସା ଏକ ବିଶେଷଜ୍ଞଙ୍କ ପରି କରନ୍ତୁ। ଯଦ୍ଵାରା ଆମେ କମ୍ ସମୟରେ ଭ୍ୟାକସିନ୍ ପ୍ରସ୍ତୁତ କରି ପାରିବା ଯାହା ଏବେ ପ୍ରୟୋଗଶାଳାରେ ରହିଛି।

ଆମେରିକାରେ ସଂପ୍ରତି ୫୦ଟି ରାଜ୍ୟରେ ସିଡିସି ସେଣ୍ଟର ରହିଛି। ଏଠାରୁ ରୋଗୀଙ୍କ ସଂଖ୍ୟା ବିଷୟରେ ସୂଚନା ମିଳୁଛି। ସିଡିସି ସେହି ରୋଗୀଙ୍କ ବିଷୟରେ ମଧ୍ୟ ସୂଚନା ଦେଉଛି ଯାହାଙ୍କ ଚିକିତ୍ସା ଜାରି ରହିଛି। ୧୦,୪୯୧ ରୋଗୀଙ୍କ ମଧ୍ୟରୁ ୯୮୪୨ ରୋଗୀଙ୍କ ଚିକିତ୍ସା କରାଯାଉଛି। ୩୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୨୯୦ରୁ ଅଧିକ ମାମଲା ଯାତ୍ରା ଜରିଆରେ ହୋଇଛି। ଏହି ସବୁ ସଂକ୍ରମିତଙ୍କ ଉପରେ ସିଡିସିର ନଜର ରହିଛି।