ଦେଶରେ ୩ ଲକ୍ଷ ଟପିଲା କରୋନା ସଂକ୍ରମିତ ସଂଖ୍ୟା, କେବଳ ୪ଟି ରାଜ୍ୟରୁ ୬୫ ପ୍ରତିଶତ ମାମଲା
12/06/2020 at 7:10 PM

ନୂଆଦିଲ୍ଲୀ ୧୨।୦୬: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି। କରୋନ ନେଇ ସମଗ୍ର ବିଶ୍ଵର ତଥ୍ୟ ଉପରେ ନଜର ରଖୁଥିବା ଓ୍ଵେବ୍ସାଇଟ୍ ଓ୍ଵାଲ୍ଡମିଟର ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ୭ଟା ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୫୩୧ ରହିଥିବା ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ତିନି ଲକ୍ଷ ଟପି ୩,୦୦,୮୨୧ରେ ପହଞ୍ଚିଛି। ଅନ୍ୟପଟେ ଏକ ଲକ୍ଷ ୪୯ ହଜାର ୩୫ ଜଣ ସଂକ୍ରମିତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
ଭାରତର କେବଳ ୪ଟି ରାଜ୍ୟରେ ହିଁ ୬୫ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଥିବା ରେକର୍ଡ କରାଯାଇଛି। ସର୍ବାଧିକ ସଂକ୍ରମିତ ସଂଖ୍ୟା ମହାରାଷ୍ଟ୍ରରେ ଅଛନ୍ତି। ଏଠାରେ ସଂକ୍ରମିତ ସଂଖ୍ୟା ପ୍ରାୟ ୯୭, ୬୪୮ ରହିଛି। ସେହି ପରି ଦ୍ଵିତୀୟରେ ଥିବା ତାମିଲନାଡୁରେ ୪୦,୬୯୮, ଦିଲ୍ଲୀରେ ୩୪,୬୮୭ ଓ ଗୁଜରାଟରେ ୨୨,୦୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଉଲ୍ଲେଖନୀୟ ଗୋଟିଏ ଦିନ ପୂର୍ବେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR) ୮୩ ଜିଲ୍ଲାକୁ ନେଇ ସିରୋ ସର୍ବେକ୍ଷେଣ ରିପୋର୍ଟ ଜାରି କରିଛି। ଏହା ଅନୁସାରେ ଏପ୍ରିଲ ୩୦ ସୁଦ୍ଧା ୦.୭୩ ପ୍ରତିଶତ ଲୋକ ସଂଖ୍ୟା ସଂକ୍ରମିତ ହୋଇ ସାରିଥିଲା। ମାତ୍ର ଆଇସିଏମଆର ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଖାରଜ କରି ଦେଇଛି।