ବେଙ୍ଗାଲୁରୁ ୦୯।୦୬: SARS-CoV2 ଭାଇରସ୍ରୁ ଉତ୍ପନ କୋଭିଡ୍-୧୯ ପୂରା ଦୁନିଆରେ ହାହାକାର ସୃଷ୍ଟି କରିଛି। କୁହାଯାଉଛି ଯେ, ଭାରତରେ ଏହି ଭୂତାଣୁ ଚୀନରୁ ଆସିଛି। କିନ୍ତୁ ଏହି ତଥ୍ୟକୁ ନେଇ ଇଣ୍ଡିଆନ ଇନଷ୍ଟିଚ୍ୟୁୟଟ୍ସ ଅଫ ସାଇନ୍ସ(IISc)ର ଗବେଷକ ଭିନ୍ନ ମତ ରଖିଛନ୍ତି। IISc ଗବେଷକ ଦାବି କରିଛନ୍ତି ଯେ, ଏହି ଭୂତାଣୁ ଚୀନରୁ ନୁହେଁ ବରଂ ୟୁରୋପ, ମିଡିଲ ଇଷ୍ଟ, ଓସିନିଆ ଓ ଦକ୍ଷିଣ ଏସିଆ ଅଞ୍ଚଳରୁ ଆସିଛି। ଏଠାରୁ ହିଁ ସବୁଠୁ ଅଧିକ ଯାତ୍ରୀ ଭାରତ ଆସିଛନ୍ତି।
ଆଇଆଇଏସସିର ଏହି ରିସର୍ଚ୍ଚ ଟିମ୍ରେ ମାଇକ୍ରୋବାୟୋଲୋଜି ଓ ସେଲ୍ ବାୟୋଲୋଜିର ପ୍ରଫେସର କୁମାରାଭେଲ୍ ସୋମସୁନ୍ଦରମ, ମାଇନକ ମଣ୍ଡଲ, ଅଙ୍କିତା ସାମିଲ। ଗବେଷକ ମାନେ ଏହି ତଥ୍ୟ ଜିନୋମିକ୍ସ ଷ୍ଟଡି ଆଧାରରେ କରିଛନ୍ତି। ବୈଜ୍ଞାନିକ ଭାଇରସ୍ର ଜିନୋମ ଅନୁକ୍ରମର ବିସ୍ତୃତ ବିଶ୍ଳେଷଣ କରିଛନ୍ତି ଓ ଭାରତରେ ଭାଇରସ୍ ମୂଳ ଏବଂ ମହତ୍ଵପୂର୍ଣ୍ଣ ଆନୁବଂଶିକ ଓ୍ଵେରିଏଣ୍ଟର ସମ୍ଭାବିତ ସ୍ରୋତର ସନ୍ଧାନ କରିଛନ୍ତି।
ଆର୍ଟିକିଲ୍ରେ ଏହା କୁହାଯାଇଛି
କରେଣ୍ଟ ସାଇନ୍ସର ଆର୍ଟିକିଲ୍ରେ ଲେଖା ହୋଇଛି ଯେ, ବିଶ୍ଳେଷଣରୁ ଏହା ଜାଣିବାକୁ ମିଳିଛି ୧୩୭ ମଧ୍ୟରୁ ୧୨୯ ଭାରତୀୟ ଲୋକଙ୍କଠାରେ SARS-CoV2 ର ଲକ୍ଷଣ ଏହି ସବୁ ଦେଶରେ ସଂକ୍ରମିତ ଲୋକଙ୍କ ଲକ୍ଷଣ ସହ ମେଳ ଖାଉଛି। କ୍ଲଷ୍ଟର-ଏରୁ ଜଣା ପଡିଛି ଯେ, ଭାରତୀୟଙ୍କ ନମୂନା ଓସିନିଆ, କୁଏତ ଓ ସାଉଥ ଏସିଆନ ନମୂନା ସହ ମେଳ ଖାଉଛି। ସେହି ପରି କ୍ଲଷ୍ଟର-ବିର ନମୂନା ୟରୋପିୟନ ନମୂନା ପରି ସମାନ ରହିଛି। କିଛି ନମୂନା ମିଡିଲ୍ ଇଷ୍ଟ ଓ ଦକ୍ଷିଣ ଏସିଆର ନମୂନା ସହ ମିଶୁଛି।
କେବଳ ୮ ନମୂନା ଚୀନ ପରି ସମାନ
୧୩୭ ନମୂନା ମଧ୍ୟରୁ ୮ ନମୂନା ଏମିତି ଥିଲା, ଯାହା ଚୀନ ଓ ପୂର୍ବ ଏସିଆ ସହ ମେଳ ଖାଉଥିଲା। ଏଥିରୁ ଜଣା ପଡିଛି ଯେ, ଏହି ଭାଇରସ୍ ଚୀନରୁ ଆସିଥିବା ଭାରତୀୟଙ୍କ ଜରିଆରେ ଆସିଛି।
ଗବେଷକ କହିଛନ୍ତି, ଭାରତରେ SARS-CoV2 ସମ୍ଭବତଃ ୟୁରୋପ ଓ ଓସିନିଆରୁ ଆସିଛି। ଏହା ବ୍ୟତୀତ ଏହାର ସ୍ରୋତ ମିଡିଲ୍ ଇଷ୍ଟ ଓ ସାଉଥ ଏସିଆ କ୍ଷେତ୍ରରୁ ଆସିଥାଇପାରେ। ଭାରତୀୟ ରୋଗୀଙ୍କ କଣ୍ଟାକ୍ଟ ହିଷ୍ଟ୍ରି ଓ ଯାତ୍ରାର ବିବରଣୀ ନଥିବାରୁ ଏହା ସ୍ପଷ୍ଟ ଭାବେ କୁହାଯାଇ ପାରିବ ନାହିଁ ଯେ, ଏହି ଭାଇରସ୍ର ମୂଳ ସ୍ରୋତ କେଉଁଠୁ ଆସିଛି। ଗବେଷକ ଏହା ମଧ୍ୟ କହିଛନ୍ତି, ଆମର ଏହି ପରିଣାମ ଏହା ଦର୍ଶାଉଛି ଯେ, ଭାଇରସ୍ ଓ ଦେଶ ମଧ୍ୟରେ ସଂଯୋଗ ରହିଛି, ଯେଉଁଠି ଭାରତୀୟ ସବୁଠୁ ଅଧିକ ରହିଛନ୍ତି।