ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୬୭, ତବଲିଗି ଜମାତର ୧୪୪୫ ଜଣ, ୨୪ ଘଣ୍ଟାରେ ୬୯୩ ନୂତନ କେସ୍: ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୦୬।୦୪: ସମଗ୍ର ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। ଗତ ୧୪ ଘଣ୍ଟାରେ କୋଭିଡ୍-୧୯ର ୬୯୩ଟି ନୂତନ ମାମଲା ସାମ୍ନାକୁ ଆସିଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟି ୪୦୬୭ରେ ପହଞ୍ଚିଛି। ଏଥିରୁ ୧୪୪୫ ଜଣ ତବଲିଗି ଜମାତରେ ସାମିଲ ହୋଇଛନ୍ତି କିମ୍ବା ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲଙ୍କ ଅନୁଯାୟୀ ଅଦ୍ୟାବଧି କରୋନା ଭାଇରସ୍‌ରେ ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ପ୍ରତିଶତ ରହିଥିବା ବେଳେ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ପ୍ରତିଶତ ରହିଛି। ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୯ରେ ପହଞ୍ଚିଛି। ରବିବାର ୩୦ ଜଣଙ୍କ ପ୍ରାଣହାନୀ ଘଟିଥିବା ସେ କହିଛନ୍ତି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭାଇରସ୍‌ ରୋଗୀଙ୍କ ସଂପର୍କିତ କିଛି ତଥ୍ୟ ସାମ୍ନାରେ ରଖିଛନ୍ତି। ତାହା ମୁତାବକ ୬୩ ପ୍ରତିଶତ ମୃତ୍ୟୁ ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କର ଘଟିଛି। ୩୦ ପ୍ରତିଶତ ମୃତକଙ୍କ ବୟସ ୪୦ ରୁ ୬୦ ବର୍ଷ ଏବଂ ୭ ପ୍ରତିଶତ ପୀଡିତ ୪୦ ବର୍ଷରୁ କମ ବୟସର।

ତବଲିଗି ସମ୍ବନ୍ଧିତ ୨୫ ହଜାର କ୍ଵାରେଣ୍ଟାଇନରେ

ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ତବଲିଗି ଜମାତକୁ ନେଇ ମହତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ, ଆମେ ୨୫  ହଜାରରୁ ଅଧିକ ତବଲିଗି ଜମାତୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ  କ୍ଵାରେଣ୍ଟାଇନରେ ରଖିଛୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପ୍ରଥମ ଥର ଭିଡିଓ କନଫରେନ୍ସ ଜରିଆରେ କ୍ୟାବିନେଟ୍ ବୈଠକର ଅଧ୍ୟକ୍ଷତା କରିଛନ୍ତି। ମୋଦୀଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହ ମନ୍ତ୍ରୀ ଅମିତ୍ ଶାହା କିଛି ବରିଷ୍ଠ ଅଧିକାରୀ ସହିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ଥିଲେ। ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ଭିଡିଓ ଲିଙ୍କ ଜରିଆରେ ବୈଠକରେ ସାମିଲ ହୋଇଥିଲେ।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ରାଜ୍ୟଗୁଡିକ ପାଇଁ ନ୍ୟାସନାଲ ହେଲ୍‌ଥ ମିଶନ ଫଣ୍ଡରୁ ୧୧୦୦ କୋଟି ଟଙ୍କା ଜାରି କରି ସାରିଛି। ଆଜି ୩୦୦୦ କୋଟି ଟଙ୍କାର ଅତିରିକ୍ତ ଫଣ୍ଡ ମଧ୍ୟ ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.